ନ୍ୟୁୟର୍କ: ଟେସଲା ସିଇଓ ଏଲନ୍ ମସ୍କ ଟ୍ବିଟର କିଣିବା ନିଷ୍ପତ୍ତିରୁ ଓହରି ଯାଇଛନ୍ତି । ଟ୍ୱିଟର ସହ ସେ ଯେଉଁ ୪୪ ବିଲିୟନ ଡଲାର ଡିଲ୍ କରିଥିଲେ ତାହାକୁ ମସ୍କ ରଦ୍ଦ କରିଛନ୍ତିି । ମସ୍କ ଅଭିଯୋଗ କରିଛନ୍ତି ଯେ ଏହି ସୋସିଆଲ ମିଡିଆ କମ୍ପାନୀ ନକଲି ଆକାଉଣ୍ଟ ବିଷୟରେ ସୂଚନା ପ୍ରଦାନ କରିବାରେ ବିଫଳ ହୋଇଛି। ମସ୍କ ତାଙ୍କ ଡିଲ୍ ବାତିଲ କରିବା ପରେ ଟ୍ବିଟର ତାଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନେବାକୁ ଧମକ ଦେଇଛି ।
ଟେସଲା ମୁଖ୍ୟଙ୍କ ଟିମ୍ ଟ୍ୱିଟରକୁ ପଠାଇଥିବା ଚିଠି ଅନୁଯାୟୀ, ମସ୍କ ଟ୍ବିଟର ବିଲୟ ଚୁକ୍ତି ବନ୍ଦ କରୁଛନ୍ତି । ଟ୍ୱିଟର ସୂଚନା ପ୍ରଦାନ କରି ନାହିଁ ଯାହା ମସ୍କ ଦୁଇ ମାସ ଧରି ମାଗିଥିଲେ ବୋଲି ଚିଠିରେ କୁହାଯାଇଛି।
ସେୟାର ପିଛା ୫୪.୨୦ ଡଲାର ଆଧାରରେ ଏପ୍ରିଲରେ ମସ୍କ ଟ୍ୱିଟର ସହିତ ପ୍ରାୟ ୪୪ ବିଲିୟନ ଡଲାର ଡିଲ୍ କରିଥିଲେ । ତେବେ ନକଲି ଆକାଉଣ୍ଟ ନେଇ ମେ ମାସରେ ମସ୍କ ଏହି ଡିଲକୁ ସ୍ଥଗିତ ରଖି ତାଙ୍କ ଟିମକୁ ଟ୍ୱିଟର ଦାବିର ସତ୍ୟତା (ପ୍ଲାଟଫର୍ମରେ ୫% ରୁ କମ୍ ସ୍ପାମ୍ ବା ନକଲି ଆକାଉଣ୍ଟ ଅଛି କି ନାହିଁ) ଯାଞ୍ଚ କରିବାକୁ କହିଥିଲେ ।
ପୁଣି ଜୁନ୍ ମାସରେ ମସ୍କ ଏହି ମାଇକ୍ରୋବ୍ଲଗିଂ ୱେବସାଇଟ ମିଶ୍ରଣ ଡିଲ୍ ଉଲ୍ଲଂଘନ କରିଥିବା ଅଭିଯୋଗ କରିଥିଲେ ଏବଂ ସ୍ପାମ୍ ଏବଂ ନକଲି ଆକାଉଣ୍ଟ ସମ୍ପର୍କରେ ସେ ମାଗିଥିବା ତଥ୍ୟ ପ୍ରଦାନ ନକଲେ ଏହି ସୋସିଆଲ ମିଡିଆ କମ୍ପାନୀ ଅଧିଗ୍ରହଣ ବନ୍ଦ କରିବାକୁ ଧମକ ଦେଇଥିଲେ ।
Comments are closed.