ନ୍ୟୁୟର୍କ: ଟ୍ବିଟରକୁ କିଣିବା ଡିଲରୁ ଓହରି ଯିବାକୁ ଧମକ ଦେଇଛନ୍ତି ଏଲନ୍ ମସ୍କ । ଯଦି କମ୍ପାନୀ ତାଙ୍କୁ ନକଲି ଆକାଉଣ୍ଟ ସମ୍ପର୍କରେ ତଥ୍ୟ ନ ଦିଏ, ତେବେ ଟ୍ୱିଟର କିଣିବା ଡିଲ୍ ବାତିଲ କରିବେ ବୋଲି ଟେସଲା ମାଲିକ ଧମକ ଦେଇଛନ୍ତି।
ସୋମବାର ଟ୍ୱିଟରକୁ ଲେଖିଥିବା ଏକ ଚିଠିରେ ମସ୍କ କହିଛନ୍ତି ଯେ ନକଲି ଆକାଉଣ୍ଟ ବିଷୟରେ ତଥ୍ୟ ନ ଦେବା ଚୁକ୍ତିରେ ଦର୍ଶାଯାଇଥିବା ଦାୟିତ୍ବର ସ୍ପଷ୍ଟ ଉଲ୍ଲଂଘନ ।
ପ୍ରଥମ ଥର ପାଇଁ ମସ୍କ ସୋସିଆଲ ମିଡିଆରେ ପୋଷ୍ଟ କରିବା ପରିବର୍ତ୍ତେ ଟ୍ୱିଟର ଡିଲରୁ ଓହରିବାକୁ ଲିଖିତ ଆକାରରେ ଧମକ ଦେଇଛନ୍ତି ।
ଏହାପୂର୍ବରୁ ଟ୍ୱିଟର ମସ୍କଙ୍କ ଧମକକୁ ଗମ୍ଭୀରତାର ସହ ନେଇ ନଥିଲା। ନକଲି ଆକାଉଣ୍ଟ ପାଇଁ ଏହି ଡିଲ୍ ‘ଅଟକି ରହିଛି’ ବୋଲି ମସ୍କ ମାର୍ଚ୍ଚରେ କହିଥିଲେ । ସେ କହିଥିଲେ ଯେ ଟ୍ୱିଟର କମ୍ପାନୀକୁ କିଣିବା ପାଇଁ ଏହି ତଥ୍ୟ (ନକଲି ଆକାଉଣ୍ଟ) ତାଙ୍କ ପାଇଁ ଜରୁରୀ ।
ଗତ ମାସରେ ମସ୍କ କହିଥିଲେ ଯେ ଟ୍ବିଟରରେ ନକଲି ଆକାଉଣ୍ଟ ବିଷୟରେ ତଥ୍ୟ ପାଇବାକୁ ସେ ଅପେକ୍ଷା କରିଥିବାରୁ ଏହି ଡିଲକୁ ଅସ୍ଥାୟୀ ଭାବରେ ସ୍ଥଗିତ ରଖିଛନ୍ତି।
ମସ୍କ ଟ୍ୱିଟରକୁ ଲେଖିଥିବା ଚିଠିରେ କହିଛନ୍ତି – ଏହି ସୋସିଆଲ ମିଡ଼ିଆ କମ୍ପାନୀ ଚୁକ୍ତି ସର୍ତ୍ତାବଳୀ ଉଲ୍ଲଂଘନ କରୁଛି । ଟ୍ବିଟରକୁ ମଗା ଯାଇଥିବା ତଥ୍ୟ କମ୍ପାନୀ ଜାଣିଶୁଣି ଦେଉନାହିଁ ।
ମସ୍କ ନିଜକୁ ବାକ୍ ସ୍ବାଧୀନତାର ଜଣେ ବଡ଼ ସମର୍ଥକ ବୋଲି କୁହନ୍ତି | ସେ ଟ୍ୱିଟରର ପବ୍ଲିକ ଫାଇଲିଙ୍ଗ୍ସ ଉପରେ ମଧ୍ୟ ପ୍ରଶ୍ନ ଉଠାଇ କହିଛନ୍ତି ଯେ, କମ୍ପାନୀ କହିବା ଅନୁସାରେ ଏହି ସୋସିଆଲ ମିଡିଆରେ ମୋଟ ୟୁଜର୍ ବେସ୍ ର କେବଳ ୫ ପ୍ରତିଶତ ଆକାଉଣ୍ଟ ହେଉଛି ନକଲି । କିନ୍ତୁ ବାସ୍ତବରେ ଏହା ପ୍ରାୟ ୨୦ ପ୍ରତିଶତ ହେବ।
ମସ୍କ କହିଛନ୍ତି ଯେ ଟ୍ୱିଟର ୟୁଜରଙ୍କୁ ବିଶ୍ଳେଷଣ କରିବା ପାଇଁ ସେ ମାଗିଥିବା ତଥ୍ୟ ଆବଶ୍ୟକ କାରଣ ସେ କମ୍ପାନୀର “ମୁକୁଳା” ନୀତିରେ ବିଶ୍ୱାସ କରନ୍ତି ନାହିଁ।
ମସ୍କଙ୍କ ଚିଠି ନେଇ ଏପର୍ଯ୍ୟନ୍ତ ଟ୍ୱିଟରରୁ କୌଣସି ପ୍ରତିକ୍ରିୟା ଆସିନାହିଁ।
ଏଲନ୍ ମସ୍କ ୪୪ ବିଲିୟନ ଡଲାରରେ ଟ୍ୱିଟର କିଣିବାକୁ ଡିଲ୍ କରିଥିଲେ । ସେହି ସମୟରେ ସେ କହିଥିଲେ ଯେ ସେ ଟ୍ୱିଟରରେ “ବଡ଼ ସମ୍ଭାବନା” ଦେଖୁଛନ୍ତି ଯାହାକୁ ସେ ଅନଲକ୍ କରିବେ।
Comments are closed.