ଉଦ୍ଧବ ଠାକରେଙ୍କ ବିରୋଧରେ ‘ଚାପୁଡ଼ା’ ମନ୍ତବ୍ୟ ମାମଲାରେ କେନ୍ଦ୍ର ମନ୍ତ୍ରୀ ନାରାୟଣ ରାଣେ ଦୋଷମୁକ୍ତ

ମୁମ୍ବାଇ : ତତ୍କାଳୀନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ବିରୋଧରେ ବିବାଦୀୟ ମନ୍ତବ୍ୟ ମାମଲାରେ ମହାରାଷ୍ଟ୍ରର ରାୟଗଡ ଜିଲ୍ଲାର ଏକ ମାଜିଷ୍ଟ୍ରେଟ୍ କୋର୍ଟ କେନ୍ଦ୍ର ମନ୍ତ୍ରୀ ତଥା ବିଜେପି ନେତା ନାରାୟଣ ରାଣେଙ୍କୁ ଦୋଷମୁକ୍ତ କରିଛନ୍ତି।

ଉଦ୍ଧବଙ୍କ ବିରୋଧରେ ଆପତ୍ତିଜନକ ମନ୍ତବ୍ୟ ପରେ ୨୦୨୧ରେ ଆଇପିସିର ବିଭିନ୍ନ ଦଫା ଅନୁଯାୟୀ ରାୟଗଡ ଜିଲ୍ଲାର ମହାଡରେ ରାଣେଙ୍କ ବିରୋଧରେ ମାମଲା ରୁଜୁ କରାଯାଇଥିଲା। ପରେ ତାଙ୍କୁ ରତ୍ନଗିରି ଜିଲ୍ଲାରୁ ଗିରଫ କରାଯାଇଥିଲା।

ରାଣେ ସେହିବର୍ଷ କୋଙ୍କଣରେ ତାଙ୍କ ‘ଜନ ଆଶୀର୍ବାଦ ଯାତ୍ରା’ ବେଳେ ଏକ ସଭାରେ କହିଥିଲେ, “ଏହା ଏକ ଲଜ୍ଜାଜନକ ବିଷୟ ଯେ ମୁଖ୍ୟମନ୍ତ୍ରୀ (ଉଦ୍ଧବ ଠାକରେ) ଦେଶର ସ୍ୱାଧୀନତା ବର୍ଷ ଜାଣି ନାହାଁନ୍ତି। ସେ (ଉଦ୍ଧବ) ତାଙ୍କ ଭାଷଣ ସମୟରେ ସ୍ୱାଧୀନତାର କେତେ ବର୍ଷ ହେଲା ବୋଲି ପଛକୁ ଚାହିଁ ପଚାରୁଛନ୍ତି | ମୁଁ ଯଦି ସେଠାରେ ଥା’ନ୍ତି, ତାଙ୍କୁ ଏକ ଚାପୁଡ଼ା ମାରିଥା’ନ୍ତି। ”

ରାଣେ ଦାବି କରିଥିଲେ ଯେ ଠାକରେ ଅଗଷ୍ଟ ୧୫ରେ ରାଜ୍ୟବାସୀଙ୍କୁ ତାଙ୍କ ଉଦବୋଧନରେ ସ୍ୱାଧୀନତାକୁ କେତେ ବର୍ଷ ହେଲା ତାହା ଭୁଲି ଯାଇଥିଲେ । ତେବେ ରାଣେଙ୍କ ‘ଚାପୁଡା’ ମନ୍ତବ୍ୟ ପାଇଁ ତାଙ୍କ ବିରୋଧରେ ମହାରାଷ୍ଟ୍ରରେ ଚାରିଟି ମାମଲା ରୁଜୁ ହୋଇଥିଲା।

Comments are closed.