ଅଗ୍ନିପଥ ଯୋଜନା ଅଧୀନରେ ନୌସେନାକୁ ମିଳିଛି ୩ ଲକ୍ଷରୁ ଉର୍ଦ୍ଧ୍ବ ଆବେଦନ

ନୂଆଦିଲ୍ଲୀ: ଅଗ୍ନିପଥ ଯୋଜନା ଅଧୀନରେ ଭାରତୀୟ ନୌସେନା ବର୍ତ୍ତମାନ ସୁଦ୍ଧା ୩.୦୩ ଲକ୍ଷ ଆବେଦନ ଗ୍ରହଣ କରିଛି। ପ୍ରତିରକ୍ଷା ମନ୍ତ୍ରଣାଳୟ ଏହି ସୂଚନା ଦେଇଛି। ଏହି ଯୋଜନା ଅଧୀନରେ ନୌସେନା ଜୁଲାଇ ୨ରୁ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ କରିଥିଲା। ପ୍ରତିରକ୍ଷା ମନ୍ତ୍ରଣାଳୟର ମୁଖପାତ୍ର ଏକ ଟୁଇଟ୍‌ରେ କହିଛନ୍ତି, ଜୁଲାଇ ୨୨ ସୁଦ୍ଧା ଭାରତୀୟ ନୌସେନାରେ ଅଗ୍ନିବୀରଙ୍କ ପାଇଁ ୩.୦୩.୩୨୮ ଆବେଦନ ଗ୍ରହଣ କରାଯାଇଛି।

ଉଲ୍ଲେଖଯୋଗ୍ୟ ଯେ, ଅଗ୍ନିପଥ ଯୋଜନା ଅଧୀନରେ ସାଢ଼େ ସତରରୁ ୨୧ ବର୍ଷ ବୟସର ଯୁବକମାନଙ୍କୁ ଚାରି ବର୍ଷ ପାଇଁ ସେନାରେ ନିଯୁକ୍ତି ଦିଆଯିବ । ଏହାପରେ କାର୍ଯ୍ୟ ଦକ୍ଷତା ଭିତ୍ତିରେ ୨୫ ପ୍ରତିଶତ ସୈନିକଙ୍କୁ ନିୟମିତ କରାଯିବ ।

ଏହି ଯୋଜନା ସମ୍ପର୍କରେ ଚଳିତ ବର୍ଷ ଜୁନ୍ ୧୪ରେ କେନ୍ଦ୍ର ସରକାର ଘୋଷଣା କରିଥିଲେ। ତେବେ ଏହି ଯୋଜନା ଘୋଷଣା ପରେ ସାରା ଦେଶରେ ହିଂସାତ୍ମକ ପ୍ରଦର୍ଶନ ଆରମ୍ଭ ହୋଇଯାଇଥିଲା। ଅଗ୍ନିପଥ ଯୋଜନାରେ ଅସନ୍ତୋଷ ପ୍ରକାଶ କରି ଯୁବକମାନେ ରାସ୍ତାକୁ ଓହ୍ଲାଇଥିଲେ । ବିଶେଷକରି ବିହାର, ଉତ୍ତର ପ୍ରଦେଶ ଭଳି ରାଜ୍ୟରେ ଆନ୍ଦୋଳନ ଉଗ୍ରରୂପ ନେଇଥିଲା । ବିକ୍ଷୋଭକାରୀମାନେ ଅନେକ ଟ୍ରେନ୍ ପୋଡ଼ିଦେବା ସହ ରେଳ ଷ୍ଟେସନରେ ଭଙ୍ଗାରୁଜା କରିଥିଲେ । ଏହି ଆନ୍ଦୋଳନ ଯୋଗୁଁ ରେଳବାଇକୁ ଶହ ଶହ ଟ୍ରେନ୍ ବାତିଲ କରିବାକୁ ପଡିଥିଲା, ଯାହାଦ୍ୱାରା ଲକ୍ଷ ଲକ୍ଷ ଲୋକ ହଇରାଣ ହୋଇଥିଲେ।

ବିରୋଧୀ ଦଳ ମଧ୍ୟ ସେନା ନିଯୁକ୍ତି ପାଇଁ କେନ୍ଦ୍ର ଆଣିଥିବା ନୂଆ ଅଗ୍ନିପଥ ଯୋଜନାକୁ ସମାଲୋଚନା କରିଥିଲେ। ଯୋଜନା ବିରୋଧରେ ଆନ୍ଦୋଳନ ମଧ୍ୟରେ ସରକାର ନିୟମରେ ସାମାନ୍ୟ ପରିବର୍ତ୍ତନ କରି ନିଯୁକ୍ତି ପ୍ରକ୍ରିୟା ଆରମ୍ଭ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ବିରୋଧ ଆରମ୍ଭ ହେବା ପରେ, କେନ୍ଦ୍ର ଏହି ବର୍ଷ ପାଇଁ ନିଯୁକ୍ତି ବୟସ ସୀମାକୁ ୨୧ରୁ ୨୩କୁ ବୃଦ୍ଧି କରିଥିଲା ।

ବୟସ ସୀମା କୋହଳ କରିବା ସହିତ ପାରାମିଲିଟାରୀ ଫୋର୍ସ ଏବଂ ପ୍ରତିରକ୍ଷା ବିଭାଗରେ ଅଗ୍ନିବୀରଙ୍କୁ ଚାକିରି ଦିଆଯିବ ବୋଲି କେନ୍ଦ୍ର ଘୋଷଣା କରିଥିଲା ।

Comments are closed.