ଫିଲ୍ମ ‘ଅନ୍ନପୂର୍ଣ୍ଣି’ ପାଇଁ କ୍ଷମା ମାଗିଲେ ନୟନତାରା

ନୂଆଦିଲ୍ଲୀ: ଅଭିନେତ୍ରୀ ନୟନତାରା ତାଙ୍କ ଅଭିନୀତ ତାମିଲ ଚଳଚ୍ଚିତ୍ର ‘ଅନ୍ନପୂର୍ଣ୍ଣି’ ପାଇଁ କ୍ଷମା ମାଗିଛନ୍ତି। ଓଟିଟି ପ୍ଲାଟଫର୍ମରେ ରିଲିଜ୍ ହେବାର ଏକ ସପ୍ତାହ ପରେ ଏହି ଫିଲ୍ମ ବିବାଦରେ ଛନ୍ଦି ହୋଇପଡ଼ିଥିଲା । ଫିଲ୍ମର ନିର୍ମାତାମାନଙ୍କ ବିରୋଧରେ ଧାର୍ମିକ ଭାବନାକୁ ଆଘାତ ଦେବା ଅଭିଯୋଗ ହୋଇଥିଲା । ଏହା ପରେ ଫିଲ୍ମକୁ ନେଟଫ୍ଲିକ୍ସରୁ ହଟାଯାଇଥିଲା।

ଫିଲ୍ମ ‘ଯବାନ’ରେ କାମ କରିଥିବା ଏହି ଲୋକପ୍ରିୟ ଅଭିନେତ୍ରୀ ଗୁରୁବାର ସୋସିଆଲ ମିଡିଆ ପ୍ଲାଟଫର୍ମ ଇନଷ୍ଟାଗ୍ରାମରେ ଏକ ପୋଷ୍ଟରେ କହିଛନ୍ତି, ବିବାଦ ସୃଷ୍ଟି କରିବା ପାଇଁ ନୁହେଁ ବରଂ ପ୍ରେରଣା ଦେବା ପାଇଁ ଏହି ଫିଲ୍ମ ପ୍ରସ୍ତୁତ କରାଯାଇଛି।

“ଜୟ ଶ୍ରୀ ରାମ” କହି ତାଙ୍କ ପୋଷ୍ଟ ଆରମ୍ଭ କରିଛନ୍ତି ନୟନତାରା । ସେ କହିଛନ୍ତି, ମୁଁ ଏହି ଚିଠି ଭାରି ମନ ଏବଂ ଆମ ଚଳଚ୍ଚିତ୍ର ‘ଅନ୍ନପୂର୍ଣ୍ଣି’ ସହ ଜଡିତ ବିବାଦ ନେଇ ଲେଖୁଛି। ‘ଅନ୍ନପୂର୍ଣ୍ଣି’ ନିର୍ମାଣ କରିବାର ପ୍ରୟାସ କେବଳ ସିନେମା ପାଇଁ ନୁହେଁ ବରଂ ପ୍ରେରଣା ଯୋଗାଇବା ତଥା ହାର୍ ନ ମାନିବାର ଭାବନା ସୃଷ୍ଟି କରିବାକୁ ଏକ ପ୍ରୟାସ ଥିଲା ‌।

ସେ କହିଛନ୍ତି, ଏହାର ଉଦ୍ଦେଶ୍ୟ ଥିଲା ଜୀବନ ଯାତ୍ରାର ପ୍ରତିଫଳନ, ଯେଉଁଠି ଦୃଢ଼ ଇଚ୍ଛାଶକ୍ତି ସହ କିପରି ବାଧାବିଘ୍ନ ଦୂର କରାଯାଇ ପାରିବ ତାହା ଆମେ ଶିଖିଥାଉ । ଏକ ସକରାତ୍ମକ ବାର୍ତ୍ତା ଦେବା ପ୍ରୟାସରେ ଆମେ ଅଜାଣତରେ ଲୋକଙ୍କ ଭାବନାକୁ ଆଘାତ ଦେଇଛୁ। ‘

ଫିଲ୍ମ ‘ଅନ୍ନପୂର୍ଣ୍ଣି’ରେ ଏହି ଅଭିନେତ୍ରୀ ଜଣେ ମନ୍ଦିର ପୁରୋହିତଙ୍କ ଝିଅ ଚରିତ୍ରରେ ଅଭିନୟ କରିଛନ୍ତି ଯିଏ ଦେଶର ସର୍ବଶ୍ରେଷ୍ଠ ସେଫ୍ ହେବାକୁ ଲକ୍ଷ୍ୟ ରଖିଛନ୍ତି । କିନ୍ତୁ ତାଙ୍କ ସ୍ୱପ୍ନ ସାକାର କରିବା ପାଇଁ ତାଙ୍କୁ ଆମିଷ ଖାଦ୍ୟ ରାନ୍ଧିବାକୁ ପଡ଼ିଛି।

ନୀଲେଶ କ୍ରିଷ୍ଣାଙ୍କ ନିର୍ଦ୍ଦେଶିତ ଏହି ଚଳଚ୍ଚିତ୍ର ଗତ ବର୍ଷ ଡିସେମ୍ବରରେ ସିନେମା ହଲରେ ରିଲିଜ୍ ହୋଇଥିଲା । ଏହାର ୪ ସପ୍ତାହ ପରେ ‘ଅନ୍ନପୂର୍ଣ୍ଣି’ ନେଟଫ୍ଲିକ୍ସକୁ ଆସିଥିଲା। ଗତ ସପ୍ତାହରେ ନୟନତାରା ଏବଂ ନିର୍ମାତାଙ୍କ ବିରୋଧରେ ଦୁଇଟି ଅଭିଯୋଗ ରୁଜୁ ହୋଇଥିବା ବେଳେ ଫିଲ୍ମକୁ ନେଇ ବିବାଦ ଉଠିଥିଲା ।

ଅଭିଯୋଗରେ ଦାବି କରାଯାଇଥିଲା ଯେ ଚଳଚ୍ଚିତ୍ରର କିଛି ଦୃଶ୍ୟ ହିନ୍ଦୁ ମାନଙ୍କ ଧାର୍ମିକ ଭାବନାକୁ ଆଘାତ ଦେଇଛି। ଏହି ଚଳଚ୍ଚିତ୍ରରେ ପ୍ରଭୁ ରାମଙ୍କୁ ନେଇ ବିବାଦୀୟ ମନ୍ତବ୍ୟ ରହିଛି ଏବଂ ଏଥିରେ ‘ଲଭ୍ ଜିହାଦ’କୁ ମଧ୍ୟ ପ୍ରୋତ୍ସାହିତ କରାଯାଇଛି। ବିବାଦ ମଧ୍ୟରେ ନିର୍ମାତାମାନେ ଫିଲ୍ମକୁ ନେଟଫ୍ଲିକ୍ସରୁ ହଟାଇ ଦେଇଥିଲେ।

ନୟନତାରା ତାଙ୍କ ପୋଷ୍ଟରେ କହିଛନ୍ତି ‘ଅନ୍ନପୂର୍ଣ୍ଣି’ ଟିମ୍ ଏହି ଫିଲ୍ମ ମାଧ୍ୟମରେ ଏକ ସକାରାତ୍ମକ ବାର୍ତ୍ତା ଦେବା ପାଇଁ ଚାହୁଁଥିଲେ ଏବଂ ହଲରେ ରିଲିଜ୍ ହୋଇଥିବା ଏହି ଫିଲ୍ମକୁ ଷ୍ଟ୍ରିମିଂ ପ୍ଲାଟଫର୍ମରୁ ହଟାଯିବ ବୋଲି ସେ କେବେ ଆଶା କରିନାହାଁନ୍ତି।

ସେ କହିଛନ୍ତି, ‘ମୋର ଟିମ୍ ଏବଂ ମୁଁ କେବେ କାହାର ଭାବନାକୁ ଆଘାତ ଦେବାକୁ ଚାହିଁନାହିଁ । ଆମେ ଏହି ପ୍ରସଙ୍ଗର ଗମ୍ଭୀରତା ବୁଝୁଛୁ। ଫିଲ୍ମ ଦ୍ବାରା ଯେଉଁମାନଙ୍କ ଭାବନାକୁ ଆଘାତ ଲାଗିଛି ମୁଁ ଗଭୀର କ୍ଷମା ପ୍ରାର୍ଥନା କରୁଛି।

ଅଭିଯୋଗ ପରେ ମହାରାଷ୍ଟ୍ରର ଥାନେ ଜିଲ୍ଲାର ପୋଲିସ ଗତ ସପ୍ତାହରେ ନୟନତାରାଙ୍କ ସମେତ ୮ ଜଣଙ୍କ ବିରୋଧରେ ମାମଲା ରୁଜୁ କରିଥିଲା।

Comments are closed.