ସୁଶାନ୍ତ ସିଂହ ମାମଲା: ରିୟା ଚକ୍ରବର୍ତ୍ତୀଙ୍କ ସହ ୩୫ ଜଣଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ

ମୁମ୍ବାଇ: ସୁଶାନ୍ତ ସିଂହ ରାଜପୁତଙ୍କ ସହ ଜଡିତ ଡ୍ରଗ୍ସ ମାମଲାରେ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନସିବି) ବୁଧବାର ବଲିଉଡ ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ କରିଛି । ଏନସିବି ଅଭିଯୋଗ କରିଛି ଯେ ଦିବଂଗତ ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଗର୍ଲଫ୍ରେଣ୍ଡ ରିୟା ଚକ୍ରବର୍ତ୍ତୀ ତାଙ୍କ ଭାଇଙ୍କ ସମେତ ଅନ୍ୟ ଅନେକ ଅଭିଯୁକ୍ତଙ୍କଠାରୁ ଡ୍ରଗ୍ସ କିଣି ସୁଶାନ୍ତଙ୍କୁ ଦେଉଥିଲେ। ୨୦୨୦ରେ ସୁଶାନ୍ତ ସିଂହଙ୍କ ଆତ୍ମହତ୍ୟା ପରେ ଆରମ୍ଭ ହୋଇଥିବା ଏହି ହାଇ ପ୍ରୋଫାଇଲ୍ ମାମଲାରେ ଏନସିବି ଦ୍ୱାରା ଦାଖଲ କରାଯାଇଥିବା ଚାର୍ଜସିଟରେ ରିୟା ଏବଂ ଅନ୍ୟ ୩୪ ଜଣଙ୍କୁ ଅଭିଯୁକ୍ତ ଭାବେ ନାମିତ କରାଯାଇଛି |

ଗତ ମଙ୍ଗଳବାର ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନସିବି) ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ହତ୍ୟା ସହ ଜଡିତ ଡ୍ରଗ୍ସ ମାମଲାରେ ଦାଖଲ କରିଥିବା ଡ୍ରାଫ୍ଟ ଅଭିଯୋଗରେ ଉଲ୍ଲେଖ କରିଥିଲା ଯେ ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀ ତାଙ୍କ ଭାଇ ଶୋଭିକଙ୍କ ସମେତ ଅନ୍ୟ ଅଭିଯୁକ୍ତଙ୍କଠାରୁ ଅନେକ ଥର ଗଞ୍ଜେଇ ଆଣି ସୁଶାନ୍ତଙ୍କୁ ଦେଇଥିଲେ | ଗତ ମାସରେ ସ୍ପେଶାଲ ନାର୍କୋଟିକ୍ ଡ୍ରଗ୍ ଆଣ୍ଡ ସାଇକୋଟ୍ରୋପିକ୍ ସବଷ୍ଟାନ୍ସ ଆକ୍ଟ (ଏନଡିପିଜସ୍) କୋର୍ଟରେ ୩୫ ଅଭିଯୁକ୍ତଙ୍କ ବିରୋଧରେ ଏନସିବି ଡ୍ରାଫ୍ଟ ଚାର୍ଜସିଟ୍ ଦାଖଲ କରିଥିଲା, ଯାହାର ବିବରଣୀ ମଙ୍ଗଳବାର ଦିନ ଉପଲବ୍ଧ କରାଯାଇଥିଲା।

ଏନଡିପିଏସ୍ ଆକ୍ଟ ସହ ଜଡିତ ମାମଲାର ଶୁଣାଣି କରୁଥିବା ସ୍ୱତନ୍ତ୍ର ବିଚାରପତି ଭି.ଜି ରଘୁବଂଶୀ ଏହି ମାମଲାର ଶୁଣାଣି ପାଇଁ ଜୁଲାଇ ୨୭କୁ ଦିନ ଧାର୍ଯ୍ୟ କରିଛନ୍ତି। ସେପ୍ଟେମ୍ବର ୨୦୨୦ରେ ରିୟା ଚକ୍ରବର୍ତ୍ତୀଙ୍କୁ ଗିରଫ କରାଯାଇଥିଲା ଏବଂ ମାସକ ପରେ ବମ୍ବେ ହାଇକୋର୍ଟ ତାଙ୍କୁ ଜାମିନ ପ୍ରଦାନ କରିଥିଲେ। ଜୁନ୍ ୧୪, ୨୦୨୦ରେ ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ପରେ ଫିଲ୍ମ ଏବଂ ଟେଲିଭିଜନ ଇଣ୍ଡଷ୍ଟ୍ରିରେ ଡ୍ରଗ୍ସ ବ୍ୟବହାର ଅଭିଯୋଗରେ ଏନସିବି ତଦନ୍ତ ଆରମ୍ଭ କରିଥିଲା।

Comments are closed.