ଶାଢ଼ୀ ପିନ୍ଧି ଆସିଥିବାରୁ ମହିଳାଙ୍କୁ ରେଷ୍ଟୁରାଣ୍ଟରେ ମିଳିଲାନି ଏଣ୍ଟ୍ରି, ଜାତୀୟ ମହିଳା କମିଶନଙ୍କ ଜବାବ ତଲବ

ନୂଆଦିଲ୍ଲୀ: ଶାଢ଼ୀ ପିନ୍ଧିଥିବାରୁ ଦିଲ୍ଲୀର ଏକ ରେଷ୍ଟୁରାଣ୍ଟ୍ ଜଣେ ମହିଳାଙ୍କୁ ଭିତରକୁ ଛାଡ଼ିନଥିବା ନେଇ ବିବାଦ ସୃଷ୍ଟି ହୋଇଛି । ଏହି ଘଟଣାର ଭିଡ଼ିଓ ସୋସିଆଲ ମିଡ଼ିଆରେ ଭାଇରାଲ୍ ହେବା ପରେ ଜାତୀୟ ମହିଳା କମିଶନ (ଏନସିଡବ୍ଲୁ) ନିଜଆଡୁ ସଜ୍ଞାନ ନେଇ ଉକ୍ତ ରେଷ୍ଟୁରାଣ୍ଟକୁ ଜବାବ ତଲବ କରିଛନ୍ତି । ଅଭିଯୋଗ ସତ ହୋଇଥିଲେ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦିଲ୍ଲୀ ପୋଲିସ କମିଶନରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଏନସିଡବ୍ଲୁ।

ଦିଲ୍ଲୀର ଏକ ଭିଆଇପି ଅଞ୍ଚଳ ଡିଫେନ୍ସ କଲୋନୀ ପୋଲିସ ଷ୍ଟେସନ ସ୍ଥିତ ଅନ୍ସାଲ ପ୍ଲାଜାରେ ଥିବା ଏକ ରେଷ୍ଟୁରାଣ୍ଟକୁ ଜଣେ ମହିଳା ଓ ତାଙ୍କ ଛୋଟ ଝିଅ ଯାଇଥିଲେ । ହେଲେ ମହିଳା ଜଣକ ଶାଢ଼ୀ ପିନ୍ଧିଥିବାରୁ ତାଙ୍କୁ ରେଷ୍ଟୁରାଣ୍ଟ ମ୍ୟାନେଜର ବସିବାକୁ ସିଟ୍ ଦେଇନଥିଲେ ।‌ ମ୍ୟାନେଜର ଜଣକ ଉକ୍ତ ମହିଳାଙ୍କୁ କୁଆଡେ଼ କହିଥିଲେ ଯେ ଶାଢ଼ୀ ଏକ
ସ୍ମାର୍ଟ୍ କାଜୁଆଲ୍ ନୁହେଁ ।

ଏହି ଘଟଣାର ଭିଡ଼ିଓ ଭାଇରାଲ୍ ହେବା ପରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଏହି ବିବାଦ ନେଇ ଉକ୍ତ ରେଷ୍ଟୁରାଣ୍ଟ ତରଫରୁ ମଧ୍ୟ ଏକ ବିବୃତ୍ତି ଜାରି କରି ଏହି ଅଭିଯୋଗକୁ ଖଣ୍ଡନ କରାଯାଇଛି। ରେଷ୍ଟୁରାଣ୍ଟର ଅଫିସିଆଲ୍ ହ୍ୟାଣ୍ଡଲ୍ ଏ ସମ୍ପର୍କରେ ଅନେକ ଭିଡିଓ ପୋଷ୍ଟ କରି କହିଛି ଯେ ଭାଇରାଲ୍ ହେଉଥିବା ଭିଡିଓ ବିଭ୍ରାନ୍ତିକର, କାରଣ ଏହା ଏକ ଘଣ୍ଟାରେ ଘଟିଥିବା ଘଟଣାର ମାତ୍ର ୧୦ ସେକେଣ୍ଡ ଦର୍ଶାଉଛି। ମହିଳା ଜଣକ ମ୍ୟାନେଜରଙ୍କୁ ଚାପୁଡ଼ା ମାରିଥିଲେ ବୋଲି ରେଷ୍ଟୁରାଣ୍ଟ ତରଫରୁ ଅଭିଯୋଗ ହୋଇଛି। ଏନେଇ ରେଷ୍ଟୁରାଣ୍ଟ ପକ୍ଷରୁ ଭିଡିଓ ଫୁଟେଜ୍ ମଧ୍ୟ ଟ୍ୱିଟ୍ କରାଯାଇଛି।

ଭିଡିଓ ଭାଇରାଲ ହେବା ପରେ ସୋସିଆଲ ମିଡିଆରେ ଶାଢ଼ୀ କାହିଁକି ରେଷ୍ଟୁରାଣ୍ଟ ପାଇଁ ଉପଯୁକ୍ତ ବିବେଚନା କରାଯାଉ ନାହିଁ ସେ ନେଇ ଏକ ବିତର୍କ ଚାଲିଛି। ଏହା ଉପରେ ଅଧିକାରୀମାନେ କହିଛନ୍ତି ଯେ ମହିଳାଙ୍କୁ ଗେଟରେ ଅପେକ୍ଷା କରିବାକୁ କୁହାଯାଇଥିଲା। କାରଣ ତାଙ୍କ ନାମ ସଂରକ୍ଷଣ ତାଲିକାରେ ନଥିଲା। ଏହା ପରେ ମହିଳା ରେଷ୍ଟୁରାଣ୍ଟରେ ପ୍ରବେଶ କରି କର୍ମଚାରୀଙ୍କୁ ଦୁର୍ବ୍ୟବହାର କରିବା ଆରମ୍ଭ କରିଥିଲେ। ଅଧିକାରୀ କହିଛନ୍ତି ଯେ ଏହା ପରେ ଯାହା ଘଟିଲା ତାହା ଆମ କଳ୍ପନା ବାହାରେ। ମହିଳା ଜଣକ ଆମ ମ୍ୟାନେଜରଙ୍କୁ ଚାପୁଡ଼ା ମାରିଥିଲେ।

Comments are closed.