ପାଣି ଦେଖିଲେ ରକ୍ତ ପରି ଲାଗୁଛି, ଭୋକ ମରିଯାଇଛି; ଉଦ୍ଧାର କର୍ମୀଙ୍କ ଉପରେ ଗଭୀର ମାନସିକ ପ୍ରଭାବ ପକାଇଛି ଓଡ଼ିଶା ଟ୍ରେନ୍ ଟ୍ରାଜେଡି

ନୂଆଦିଲ୍ଲୀ: ଓଡ଼ିଶାର ବାଲେଶ୍ବରରେ ଘଟିଥିବା ଟ୍ରେନ୍ ଟ୍ରାଜେଡି କେବଳ ପୀଡ଼ିତଙ୍କୁ ନୁହେଁ ଉଦ୍ଧାର କର୍ମୀଙ୍କୁ ମଧ୍ୟ ମାନସିକ ଭାବେ ଦୋହଲାଇ ଦେଇଛି । ଉଦ୍ଧାର କାର୍ଯ୍ୟରେ ସାମିଲ ଥିବା ଏନଡିଆରଏଫର ଜଣେ ଉଦ୍ଧାର କର୍ମୀଙ୍କୁ ଏବେ ପାଣି ଦେଖିଲେ ରକ୍ତ ଭଳି ଦିଶୁଛି । ସେହିପରି ଆଉ ଜଣେ ଉଦ୍ଧାର କର୍ମଚାରୀଙ୍କ ଭୋକ ମରିଯାଇଛି | ଏନଡିଆରଏଫ ମହାନିର୍ଦ୍ଦେଶକ ଅତୁଲ କରୱାଲ ମଙ୍ଗଳବାର ଏହି ସୂଚନା ଦେଇ କହିଛନ୍ତି ଏପରି କର୍ମଚାରୀଙ୍କ ମନସ୍ତାତ୍ତ୍ୱିକ କାଉନସେଲିଂ କରାଯାଉଛି।

ବାଲେଶ୍ବର ବାହାନଗା ବଜାର ଷ୍ଟେସନ୍ ନିକଟରେ ଟ୍ରିପଲ ଟ୍ରେନ୍ ଦୁର୍ଘଟଣା ପରେ ଉଦ୍ଧାର କାର୍ଯ୍ୟ ପାଇଁ ଏନଡିଆରଏଫର ୯ଟି ଟିମ୍ ନିୟୋଜିତ ହୋଇଥିଲେ। ଏହି ଦୁର୍ଘଟଣାରେ ଅତି କମରେ ୨୭୫ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧୦୦୦ ରୁ ଅଧିକ ଲୋକ ଆହତ ହୋଇଥିଲେ । ଗତ ତିନି ଦଶନ୍ଧିରେ ଏହା ଦେଶର ସବୁଠାରୁ ବଡ଼ ଟ୍ରେନ୍ ଦୁର୍ଘଟଣା ।

ସରକାରୀ ତଥ୍ୟ ଅନୁଯାୟୀ, ଏନଡିଆରଏଫ୍ ୪୪ ଯାତ୍ରୀଙ୍କୁ ଜୀବିତ ଉଦ୍ଧାର କରିଥିବା ବେଳେ ଘଟଣାସ୍ଥଳରୁ ୧୨୧ଟି ମୃତଦେହ ଉଦ୍ଧାର କରିଥିଲେ ।

୨୦୨୩ ବିପର୍ଯ୍ୟୟ ମୁକାବିଲା ପାଇଁ ଦକ୍ଷତା ବୃଦ୍ଧି ସମ୍ପର୍କିତ ବାର୍ଷିକ ସମ୍ମିଳନୀକୁ ସମ୍ବୋଧିତ କରି କରୱାଲ କହିଛନ୍ତି, “ବାଲେଶ୍ବର ଟ୍ରେନ୍ ଦୁର୍ଘଟଣା ପରେ ମୁଁ ଉଦ୍ଧାର କାର୍ଯ୍ୟରେ ସାମିଲ ଆମର କର୍ମଚାରୀ ମାନଙ୍କୁ ଭେଟିଥିଲି । ଜଣେ କର୍ମଚାରୀ ମୋତେ କହିଥିଲେ ଯେ ଯେତେବେଳେ ପାଣି ଦେଖନ୍ତି, ତାହା ତାଙ୍କୁ ରକ୍ତ ଭଳି ଲାଗୁଛି। ଅନ୍ୟ ଜଣେ କର୍ମଚାରୀ କହିଛନ୍ତି ଯେ ଉଦ୍ଧାର କାର୍ଯ୍ୟ ପରେ ତାଙ୍କ ଭୋକ ମରିଯାଇଛି ।

ନିକଟରେ ଦୁର୍ଘଟଣା ସ୍ଥଳ ପରିଦର୍ଶନ କରିଥିବା ଏନଡିଆରଏଫ ମହାନିର୍ଦ୍ଦେଶକ କହିଛନ୍ତି ଯେ ଉଦ୍ଧାର ଓ ରିଲିଫ ଅପରେସନରୁ ଫେରିବା ପରେ ଏହି କର୍ମଚାରୀଙ୍କ ପାଇଁ ମନସ୍ତାତ୍ତ୍ୱିକ କାଉନସେଲିଂ ଏବଂ ମାନସିକ ସ୍ଥିରତା ପାଠ୍ୟକ୍ରମ ଆରମ୍ଭ କରାଯାଇଛି ।

ସେ କହିଛନ୍ତି, “ବିପର୍ଯ୍ୟୟ ପ୍ରଭାବିତ ଅଞ୍ଚଳରେ ଉଦ୍ଧାର ଓ ରିଲିଫ କାର୍ଯ୍ୟରେ ନିୟୋଜିତ ଥିବା ଆମର କର୍ମଚାରୀଙ୍କ ମାନସିକ ସ୍ଵାସ୍ଥ୍ୟ ପାଇଁ ଏଭଳି କାଉନସେଲିଂ ହେଉଛି।

Comments are closed.