ପୁଣି ଇତିହାସ ରଚିଲେ ନୀରଜ, ପ୍ରଥମ ଭାରତୀୟ ଭାବେ ଜିତିଲେ ଡାଏମଣ୍ଡ ଲିଗ୍ ଫାଇନାଲ୍ସ ଟାଇଟଲ୍

ନୂଆଦିଲ୍ଲୀ: ଅଲିମ୍ପିକ୍ ଚାମ୍ପୟନ ଜାଭେଲିନ ଥ୍ରୋୟର ନୀରଜ ଚୋପ୍ରା ପୁଣି ଥରେ ଐତିହାସିକ ସଫଳତା ହାସଲ କରିଛନ୍ତି । ସେ ପ୍ରଥମ ଭାରତୀୟ ଭାବେ ସମ୍ମାନଜନକ ଡାଏମଣ୍ଡ ଲିଗ୍ ଫାଇନାଲ୍ସ ଟାଇଟଲ୍ ଜିତିଛନ୍ତି। ଜୁରିକରେ ଅନୁଷ୍ଠିତ ଡାଏମଣ୍ଡ ଲିଗ୍ ଫାଇନାଲରେ ନୀରଜ ୮୮.୪୪ର ଶ୍ରେଷ୍ଠ ଥ୍ରୋ ସହିତ ପ୍ରଥମ ସ୍ଥାନ ଅଧିକାର କରିଥିଲେ | ଏହାପୂର୍ବରୁ ନୀରଜ ୨୦୧୭ ଏବଂ ୨୦୧୮ରେ ମଧ୍ୟ ଫାଇନାଲ ପାଇଁ ଯୋଗ୍ୟତା ଅର୍ଜନ କରିଥିଲେ | ସେ ୨୦୧୭ରେ ସପ୍ତମ ଓ ୨୦୧୮ରେ ଚତୁର୍ଥ ସ୍ଥାନରେ ରହିଥିଲେ।

ନୀରଜଙ୍କର ପ୍ରଥମ ଥ୍ରୋ ଖରାପ ଥିଲା | ଏହା ପରେ ସେ ଦ୍ୱିତୀୟ ପ୍ରୟାସରେ ୮୮.୪୪ ମିଟର ଫିଙ୍ଗି ଅନ୍ୟ ଥ୍ରୋୟରଙ୍କ ଉପରେ ଅଗ୍ରଣୀ ହାସଲ କରିଥିଲେ । ଏହାପରେ ତୃତୀୟ ପ୍ରୟାସରେ ୮୮.୦୦ ମିଟର, ଚତୁର୍ଥରେ ୮୬.୧୧ ମିଟର, ପଞ୍ଚମରେ ୮୭.୦୦ ମିଟର ଏବଂ ଷଷ୍ଠ ପ୍ରୟାସରେ ୮୩.୬୦ ମିଟର ଦୂର ଥ୍ରୋ କରିଥିଲେ |

ଡାଏମଣ୍ଡ ଲିଗ୍ ଫାଇନାଲରେ ଚେକ୍ ରିପବ୍ଲିକର ଜାକବ୍ ୱାଡଲେଚ୍ ୮୬.୯୪ ମିଟର ଶ୍ରେଷ୍ଠ ଥ୍ରୋ ସହ ଦ୍ୱିତୀୟ ଏବଂ ଜର୍ମାନୀର ଜୁଲିଆନ୍ ୱେବର (୮୩.୭୩) ତୃତୀୟ ସ୍ଥାନରେ ରହିଥିଲେ |

ନୀରଜ ଚଳିତ ବର୍ଷ ବିଶ୍ୱ ଆଥଲେଟିକ୍ସ ଚାମ୍ପିଅନସିପରେ ରୌପ୍ୟ ପଦକ ଜିତିଥିଲେ | ବିଶ୍ୱ ଆଥଲେଟିକ୍ସ ଚାମ୍ପିୟନଶିପ୍‌ରେ ନୀରଜ ଆହତ ହୋଇଥିଲେ। ଯାହା ଫଳରେ ସେ ଜୁଲାଇ-ଅଗଷ୍ଟରେ ଅନୁଷ୍ଠିତ ରାଜ୍ୟଗୋଷ୍ଠୀ କ୍ରୀଡାରେ ଅଂଶଗ୍ରହଣ କରିପାରିନଥିଲେ | ଏହାପରେ ଆଘାତରୁ ମୁକୁଳି ନୀରଜ ଚମତ୍କାର ପ୍ରତ୍ୟାବର୍ତ୍ତନ କରି ଲୌସାନ୍ ଡାଏମଣ୍ଡ ଲିଗ୍ ସିରିଜରେ ଟାଇଟଲ ଜିତିଥିଲେ | ସେ ପ୍ରଥମ ଭାରତୀୟ ଭାବେ ଡାଏମଣ୍ଡ ଲିଗ୍ ସିରିଜରେ ଟାଇଟଲ ଜିତିଥିଲେ।

ନୀରଜ ୨୦୨୧ ଟୋକିଓ ଅଲିମ୍ପିକ୍ସରେ ସ୍ୱର୍ଣ୍ଣ ପଦକ ସହ ୨୦୧୮ରେ ଏସୀୟ କ୍ରୀଡ଼ା ଏବଂ ରାଜ୍ୟଗୋଷ୍ଠୀ କ୍ରୀଡା ସ୍ୱର୍ଣ୍ଣ ପଦକ ଜିତିଥିଲେ।

Comments are closed.