ନେପାଳ ବିମାନ ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା ୪୪କୁ ବୃଦ୍ଧି, ମୃତକଙ୍କ ମଧ୍ୟରେ ୫ ଭାରତୀୟ

କାଠମାଣ୍ଡୁ: ନେପାଳର ପୋଖରାରେ ବିମାନ ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା ୪୪କୁ ବୃଦ୍ଧି ପାଇଛି । ମୃତକଙ୍କ ମଧ୍ୟରେ ଅତି କମରେ ୫ ଜଣ ଭାରତୀୟ ଯାତ୍ରୀ ମଧ୍ୟ ଅଛନ୍ତି। ୬୮ ଜଣ ଯାତ୍ରୀ ଏବଂ ୪ ଜଣ କ୍ରୁ ସଦସ୍ୟଙ୍କ ସମେତ ୭୨ ଜଣଙ୍କୁ ନେଇ ଯାଉଥିବା ୟେତି ଏୟାରଲାଇନ୍ସର ବିମାନ ପୋଖରା ବିମାନବନ୍ଦର ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ରିପୋର୍ଟ ଅନୁଯାୟୀ, ଏପର୍ଯ୍ୟନ୍ତ ୪୪ ମୃତଦେହ ଉଦ୍ଧାର କରାଯାଇଛି ।

ଦୁର୍ଘଟଣା ସ୍ଥାନରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ସ୍ଥାନୀୟ ଗଣମାଧ୍ୟମ ରିପୋର୍ଟରେ କୁହାଯାଇଛି ଯେ ବିମାନଟି ଖସିଯିବା ପରେ ଏହା ହୁତୁହୁତୁ ହୋଇ ଜଳିବାକୁ ଲାଗିଥିଲା।

ନେପାଳର ବେସାମରିକ ବିମାନ ଚଳାଚଳ
ପ୍ରାଧିକରଣ (ସିଏଏଏନ୍) ସୂଚନା ଅନୁଯାୟୀ, ୟେତି ଏୟାରଲାଇନ୍ସର ବିମାନ ୯ଏନ୍-ଏଏନସି-ଏଟିଆର-୭୨ ସକାଳ ୧୦.୩୩ରେ ରାଜଧାନୀ କାଠମାଣ୍ଡୁର ତ୍ରିଭୁବନ ବିମାନବନ୍ଦରରୁ ଉଡ଼ାଣ କରିଥିଲା। ଏହା ପୋଖରା ବିମାନ ବନ୍ଦରରେ ଅବତରଣ କରିବାର ଥିଲା ।

ପାଇଲଟ୍ ଏଟିସିରୁ ଲ୍ୟାଣ୍ଡ୍ କରିବାକୁ ଅନୁମତି ନେଇଥିଲେ। ପୋଖରା ଏଟିସିରୁ ଲ୍ୟାଣ୍ଡିଂ ପାଇଁ ଓକେ ମଧ୍ୟ କୁହାଯାଇଥିଲା। ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଦୁର୍ଘଟଣା ଘଟିଥାଇପାରେ ବୋଲି କର୍ତ୍ତୃପକ୍ଷ ପ୍ରକାଶ କରିଛନ୍ତି।

ବିମାନ ଗତିବିଧି ବିଷୟରେ ସୂଚନା ପ୍ରଦାନ କରୁଥିବା ଏକ ୱେବସାଇଟ୍ ଫ୍ଲାଇଟ୍ ରେଡାର୍ ୨୪ ଅନୁଯାୟୀ ଏହି ବିମାନଟି ୧୫ ବର୍ଷ ପୁରୁଣା ଥିଲା |
‌‌
ରିପୋର୍ଟ ଅନୁଯାୟୀ, ପୁରୁଣା ଏବଂ ନୂଆ ବିମାନବନ୍ଦର ମଧ୍ୟରେ ସେତି ନଦୀର ଉପତ୍ୟକାରେ ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇଛି।

ନେପାଳର ପ୍ରଧାନମନ୍ତ୍ରୀ ପୁଷ୍ପ କମଲ ଦହଲ ‘ପ୍ରଚଣ୍ଡ’ ଦୁର୍ଘଟଣା ପରେ କ୍ୟାବିନେଟର ଜରୁରୀ ବୈଠକ ଡାକିଛନ୍ତି।

ଏହି ଦୁର୍ଘଟଣାରେ ଦୁଃଖ ପ୍ରକାଶ କରି ପ୍ରଧାନମନ୍ତ୍ରୀ ପ୍ରଧାନମନ୍ତ୍ରୀ ଗୃହ ମନ୍ତ୍ରଣାଳୟ, ସୁରକ୍ଷା କର୍ମୀ ଏବଂ ସମସ୍ତ ସରକାରୀ ଏଜେନ୍ସିକୁ ଉଦ୍ଧାର ଓ ରିଲିଫ କାର୍ଯ୍ୟ ତ୍ବରାନ୍ବିତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ନେପାଳ ବିମାନ ଦୁର୍ଘଟଣାରେ ଭାରତର କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ମଧ୍ୟ ଦୁଃଖ ପ୍ରକାଶ କରିଛନ୍ତି । ସେ କହିଛନ୍ତି ଯେ ନେପାଳରେ ଏହି ଦୁଃଖଦ ବିମାନ ଦୁର୍ଘଟଣାରେ ଜୀବନହାନି ହେବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ।

Comments are closed.