ବିଶ୍ବକପରେ ପୁଣି ଏକ ବିପର୍ଯ୍ୟୟ, ଦକ୍ଷିଣ ଆଫ୍ରିକାକୁ ହରାଇଲା ନେଦରଲାଣ୍ଡ୍ସ

ଧର୍ମଶାଳା: ଇଂଲଣ୍ଡ ବିପକ୍ଷରେ ଆଫଗାନିସ୍ତାନର ଚମକପ୍ରଦ ବିଜୟ ପରେ ଚଳିତ ଦିନିକିଆ ବିଶ୍ୱକପରେ ପୁଣି ଏକ ବଡ଼ ବିପର୍ଯ୍ୟୟ ଦେଖିବାକୁ ମିଳିଛି । ମଙ୍ଗଳବାର ଧର୍ମଶାଳାରେ ଖେଳାଯାଇଥିବା ମ୍ୟାଚରେ ଶକ୍ତିଶାଳୀ ଦକ୍ଷିଣ ଆଫ୍ରିକାକୁ ୩୮ ରନରେ ହରାଇ ଦେଇଛି ନେଦରଲାଣ୍ଡ୍ସ ।

ବର୍ଷା ଯୋଗୁଁ ବିଳମ୍ବରେ ଆରମ୍ଭ ହୋଇଥିବା ମ୍ୟାଚ୍ ୪୩ ଓଭରକୁ ହ୍ରାସ କରାଯାଇଥିଲା । କ୍ୟାପଟେନ୍ ସ୍କଟ୍ ଏଡଓ୍ବାର୍ଡ୍ସଙ୍କ ଲଢ଼ୁଆ ଅର୍ଦ୍ଧଶତକ ଓ ନିମ୍ନଭାଗ ବ୍ୟାଟରଙ୍କ ଉପଯୋଗୀ ଅବଦାନ ବଳରେ ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା ନେଦରଲାଣ୍ଡ୍ସ ନିର୍ଦ୍ଧାରିତ ୪୩ ଓଭରରେ ୮ ଓ୍ବିକେଟ୍ ହରାଇ ୨୪୫ ରନ୍ କରିଥିଲା । ଏହାର ଜବାବରେ ଦକ୍ଷିଣ ଆଫ୍ରିକା ୪୨.୫ ଓଭରରେ ୨୦୭ ରନ୍ କରି ଅଲ୍ଆଉଟ୍ ହୋଇଯାଇଥିଲା ।

ଦକ୍ଷିଣ ଆଫ୍ରିକାର ପକ୍ଷରୁ ଡେଭିଡ୍ ମିଲର୍ ସର୍ବାଧିକ ୪୩ ରନ୍ କରିଥିବା ବେଳେ କେଶବ ମହାରାଜ ୪୦ ଓ‌ ହାଇନରିଚ୍ କ୍ଲାସେନ ୨୮ ରନ୍ କରିଥିଲେ । ନେଦରଲାଣ୍ଡ୍ସ ପକ୍ଷରୁ ଲୋଗାନ ଭାନ୍ ବିକ୍ ସର୍ବାଧିକ ୩ଟି ଓ୍ବିକେଟ୍ ନେଇଥିଲେ । ଭାନ୍ ମିକେରେନ୍, ଭାନ୍ ଡର୍ ମରଓ୍ବେ ଓ ବାସ୍ ଡି ଲିଡ୍ ୨ଟି ଲେଖାଏଁ ୱିକେଟ୍ ହାସଲ କରିଥିଲେ ।

ଚଳିତ ଟୁର୍ଣ୍ଣାମେଣ୍ଟରେ ତିନୋଟି ମ୍ୟାଚରୁ ନେଦରଲାଣ୍ଡ୍ସର ଏହା ପ୍ରଥମ ବିଜୟ । ଅନ୍ୟପକ୍ଷରେ ସମାନ ସଂଖ୍ୟକ ମ୍ୟାଚରୁ ଦକ୍ଷିଣ ଆଫ୍ରିକାର ଏହା ପ୍ରଥମ ପରାଜୟ ।

ପୂର୍ବରୁ ଦକ୍ଷିଣ ଆଫ୍ରିକା ଟସ୍ ଜିତି ନେଦରଲାଣ୍ଡ୍ସକୁ ବ୍ୟାଟିଂ ଆମନ୍ତ୍ରଣ ଦେଇଥିଲା । ହେଲେ ଦକ୍ଷିଣ ଆଫ୍ରିକାର ପେସ୍ ଆକ୍ରମଣ ଆଗରେ ନେଦରଲାଣ୍ଡ୍ସର ଟପ୍ ଅର୍ଡର ଧରାଶାୟୀ ହୋଇଥିଲେ । ନେଦରଲାଣ୍ଡ୍ସ ୩୪ତମ ଓଭର ବେଳକୁ ୧୪୦ ରନରେ ୭ ଓ୍ବିକେଟ୍ ହରାଇ ଦେଇଥିଲା । ହେଲେ କ୍ୟାପଟେନ ଏଡଓ୍ବାର୍ଡ୍ସଙ୍କ ଅର୍ଦ୍ଧଶତକ ସହ ନିମ୍ନକ୍ରମ ବ୍ୟାଟ୍ସମ୍ୟାନଙ୍କ ଲଢୁଆ ବ୍ୟାଟିଂ ବଳରେ ନେଦରଲାଣ୍ଡ୍ସ ୨୦୦ ରନ୍ ଟପିଥିଲା। ନେଦରଲାଣ୍ଡ୍ସ ଶେଷ ୫ ଓଭରରେ ୬୮ ରନ୍ ସଂଗ୍ରହ କରିଥିଲା । ଦଳ ପକ୍ଷରୁ ଏଡଓ୍ବାର୍ଡ୍ସ ୬୯ ବଲରେ ୧୦ଟି ଚୌକା ଓ ଗୋଟିଏ ଛକା ସହ ଅପରାଜିତ ୭୮ ରନ୍ କରିଥିଲେ । ନିମ୍ନକ୍ରମ ବ୍ୟାଟ୍ସମ୍ୟାନ ଭାନ୍ ଡର୍ ମରଓ୍ବେ ୧୯ଟି ବଲରେ ୨୯ ରନ୍ ସଂଗ୍ରହ କରିଥିବା ବେଳେ ଆର୍ଯ୍ୟାନ୍ ଦତ୍ତ ୯ଟି ବଲରେ ଅପରାଜିତ ୨୩ ରନ୍ କରିଥିଲେ । ଦକ୍ଷିଣ ଆଫ୍ରିକା ତରଫରୁ ଏନଗିଡି, ରବାଡା ଓ ୟାନସେନ ୨ଟି ଲେଖାଏଁ ୱିକେଟ୍ ନେଇଥିଲେ ।

Comments are closed.