ସାଧାରଣ ଲୋକଙ୍କ ଉପରେ ପୁଣି ମହଙ୍ଗା ବୋଝ: ଅଟା, ପନିର୍ ଠାରୁ ସ୍ବାସ୍ଥ୍ୟ ଓ ବ୍ୟାଙ୍କ୍ ସେବା ଉପରେ ବଢ଼ିଲା ଜିଏସଟି

ନୂଆଦିଲ୍ଲୀ: ପେଟ୍ରୋଲ, ଡିଜେଲ, ଗ୍ୟାସ ସହ ଅତ୍ୟାବଶ୍ୟକୀୟ ସାମଗ୍ରୀର ଦର ବୃଦ୍ଧି ଯୋଗୁଁ ଚଳିବା କଷ୍ଟକର ହୋଇପଡ଼ିଥିବା ବେଳେ ସରକାର ପୁଣି ସାଧାରଣ ଲୋକଙ୍କ ଉପରେ ମହଙ୍ଗା ବୋଝ ଲଦିଛନ୍ତି । ଅନେକ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ଓ ସେବା ଉପରେ ସରକାର ଜିଏସଟି ବୃଦ୍ଧି କରିଛନ୍ତି । ନୂଆ ଜିଏସଟି ହାର ସୋମବାର (ଜୁଲାଇ ୧୮) ଠାରୁ ଲାଗୁ ହେବ।

ସୋମବାର ଠାରୁ ଲୋକଙ୍କୁ ଅଟା, ପନିର୍, ଚାଉଳ ଏବଂ କଦଳୀ ଭଳି ପ୍ୟାକେଜ୍ ସାମଗ୍ରୀ ଉପରେ ୫% ଜିଏସଟି ଦେବାକୁ ପଡ଼ିବ |

ଏହାଛଡ଼ା ସ୍ବାସ୍ଥ୍ୟସେବାକୁ ଜିଏସଟିର ନୂଆ ଦରରୁ ବାଦ୍ ଦିଆଯାଇ ନାହିଁ । ଏବେ ୫୦୦୦ ଟଙ୍କା ରୁ ଅଧିକ ଭଡା ଥିବା ହସ୍ପିଟାଲ୍ ରୁମ୍ ପାଇଁ ୫% ଟିକସ ଦେବାକୁ ପଡିବ।

ଏବେ ହୋଟେଲ ରହଣୀ ମଧ୍ୟ ମହଙ୍ଗା ହେବ । ଦୈନିକ ୧୦୦୦ ରୁ ଅଧିକ ଟଙ୍କା ଭଡା ଥିବା ହୋଟେଲ ରୁମ୍ ପାଇଁ ୧୨ ପ୍ରତିଶତ ହାରରେ ଜିଏସଟି ଦେବାକୁ ପଡିବ । ଏହା ବ୍ୟତୀତ ମାନଚିତ୍ର, ଆଟଲେସ୍ ଏବଂ ଚାର୍ଟ ଉପରେ ମଧ୍ୟ ୧୨% ଜିଏସଟି ଲାଗିବ । ଏଣିକି ବ୍ୟାଙ୍କ ଚେକ୍ ଉପରେ ୧୮ ପ୍ରତିଶତ ଜିଏସଟି ଆଦାୟ ହେବ ।

ଗତ ମାସରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଜିଏସଟି ପରିଷଦ ଅନେକ ସାମଗ୍ରୀ ଏବଂ ସେବା ଉପରେ ନୂଆ ଟିକସ ଲାଗୁ କରିବାକୁ ନିଷ୍ପତ୍ତି ନେଇଥିବାବେଳେ ଟିକସମୁକ୍ତ ଦ୍ରବ୍ୟର ତାଲିକା ହ୍ରାସ କରିଥିଲା।

ଜିଏସଟି ପରିଷଦ ବର୍ତ୍ତମାନ ମୁଦ୍ରଣ ଏବଂ ଲେଖାରେ ବ୍ୟବହୃତ କାଳି, ଛୁରୀ ଏବଂ ବ୍ଲେଡ୍, ପେନ୍ସିଲ୍ ସାର୍ପନର, ଏଲଇଡି ଲ୍ୟାମ୍ପ, ଚିତ୍ରାଙ୍କନ ଉପକରଣ ଇତ୍ୟାଦି ଜିନିଷ ଉପରେ ଜିଏସଟି ୧୨ ପ୍ରତିଶତରୁ ୧୮ ପ୍ରତିଶତକୁ ବୃଦ୍ଧି କରିଛି।

Comments are closed.