ଟି-୨୦ ବିଶ୍ୱକପ୍: ଡିଫେଣ୍ଡିଂ ଚାମ୍ପିୟନ ଅଷ୍ଟ୍ରେଲିଆକୁ ୮୯ ରନରେ ହରାଇ ଅଭିଯାନ ଆରମ୍ଭ କଲା ନ୍ୟୁଜିଲାଣ୍ଡ

ସିଡନୀ: ଦମଦାର ବିଜୟରୁ ନ୍ୟୁଜିଲ୍ୟାଣ୍ଡ ଟି-୨୦ ବିଶ୍ୱକପ ଅଭିଯାନ ଆରମ୍ଭ କରିଛି । ଚମତ୍କାର ଅଲରାଉଣ୍ଡ ପ୍ରଦର୍ଶନ ସହ ଶନିବାର ସୁପର ୧୨ ପର୍ଯ୍ୟାୟର ଉଦଘାଟନୀ ମ୍ୟାଚରେ ନ୍ୟୁଜିଲ୍ୟାଣ୍ଡ ଡିଫେଣ୍ଡିଂ ଚାମ୍ପିୟନ ଅଷ୍ଟ୍ରେଲିଆକୁ ୮୯ ରନର ବଡ଼ ବ୍ୟବଧାନରେ ଧରାଶାୟୀ କରିଛି । ୨୦୧୧ ପରେ ଅଷ୍ଟ୍ରେଲିଆରେ ଅଷ୍ଟ୍ରେଲିଆ ବିପକ୍ଷରେ କୌଣସି ଫର୍ମାଟରେ ନ୍ୟୁଜିଲାଣ୍ଡର ଏହା ପ୍ରଥମ ବିଜୟ ।

ଡେଭନ କନଓ୍ବେଙ୍କ ବିସ୍ଫୋରକ ଅର୍ଦ୍ଧଶତକ ସହାୟତାରେ ପ୍ରଥମେ ବ୍ୟାଟିଂ କରି ନ୍ୟୁଜିଲ୍ୟାଣ୍ଡ ୩ ୱିକେଟ୍ ହରାଇ ୨୦୦ ରନର ବିଶାଳ ସ୍କୋର କରିଥିଲା। ଏହାର ଜବାବରେ ଅଷ୍ଟ୍ରେଲିଆର ଶକ୍ତିଶାଳୀ ବ୍ୟାଟିଂ ସମ୍ପୂର୍ଣ୍ଣ ଫେଲ୍ ମାରିଥିଲା ଏବଂ ଦଳ ୧୭.୧ ଓଭରରେ ମାତ୍ର ୧୧୧ ରନ୍ କରି ଅଲ୍ଆଉଟ୍ ହୋଇଯାଇଥିଲା । ଏହି ବୃହତ ବିଜୟ ସହ ନ୍ୟୁଜିଲାଣ୍ଡ ଗତବର୍ଷ ଟି-୨୦ ବିଶ୍ୱକପ ଫାଇନାଲରେ ପରାଜୟର ପ୍ରତିଶୋଧ ନେଇଛି ।

୨୦୧ ରନ୍‌ର ଟାର୍ଗେଟ ଜବାବରେ ଅଷ୍ଟ୍ରେଲିଆ ଆରମ୍ଭ ବହୁତ ଖରାପ ହୋଇଥିଲା। ମାତ୍ର ୫ ରନ୍ କରିବା ପରେ ଓପନର୍ ଡେଭିଡ୍ ୱାର୍ଣ୍ଣର ସାଉଦିଙ୍କ ବଲରେ ବୋଲ୍ଡ ହୋଇଯାଇଥିଲେ । ଏହା ପରେ ଦଳ ନିୟମିତ ଓ୍ବିକେଟ୍ ହରାଇ ଚାଲିଥିଲା । ଦଳ ତରଫରୁ ଗ୍ଲେନ୍ ମ୍ୟାକ୍ସୱେଲ ସର୍ବାଧିକ ୨୮ ରନ୍ କରିଥିବା ବେଳେ ଅନ୍ୟମାନେ ଆଶାନୁରୂପ ପ୍ରଦର୍ଶନ କରିବାରେ ବିଫଳ ହୋଇଥିଲେ । ନ୍ୟୁଜିଲାଣ୍ଡ ପକ୍ଷରୁ ମିଚେଲ୍ ସାଣ୍ଟନର୍ ଏବଂ ଟିମ୍ ସାଉଦି ୩ଟି ଲେଖାଏଁ ୱିକେଟ୍ ନେଇଥିଲେ ।

ଏହାପୂର୍ବରୁ ଅଷ୍ଟ୍ରେଲିଆ ଅଧିନାୟକ ଆରୋନ୍ ଫିଞ୍ଚ୍ ଟସ୍ ଜିତି ନ୍ୟୁଜିଲାଣ୍ଡକୁ ପ୍ରଥମେ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲେ । ଓପନର ଫିନ୍ ଆଲେନ୍ ନ୍ୟୁଜିଲାଣ୍ଡ କୁ ଧମାକାଦାର ଷ୍ଟାର୍ଟ ଦେଇଥିଲେ । ଆଲେନ୍ ମାତ୍ର ୧୬ଟି ବଲରେ ୫ଟି ଚୌକା ଓ ୩ଟି ଛକା ସହ ଧୂଆଁଧାର ୪୨ ରନ୍ କରି ଆରମ୍ଭରୁ ଅଷ୍ଟ୍ରେଲୀୟ ବୋଲରଙ୍କୁ ଚାପରେ ରଖିଥିଲେ। ଆଲେନଙ୍କ ଓ୍ବିକେଟ୍ ହରାଇବା ପରେ ଓପନର୍ ଡେଭନ୍ କନୱେ ନ୍ୟୁଜିଲାଣ୍ଡ ସ୍କୋରକୁ ଆଗେଇ ନେଇଥିଲେ । କନୱେ ପୂରା ୨୦ ଓଭର ବ୍ୟାଟିଂ କରି ୫୮ ଟି ବଲରୁ ୭ଟି ଚୌକା ଓ ୨ଟି ଛକା ସହ ଅପରାଜିତ ୯୨ ରନ୍ କରିଥିଲେ । କନଓ୍ବେ ଟି-୨୦ରେ ଏକ ହଜାର ରନ୍ ପୂରଣ କରିଥିଲେ । କିନ୍ତୁ ତାଙ୍କର ପ୍ରଥମ ଟି-୨୦ ଶତକରୁ ଅଳ୍ପକେ ବଞ୍ଚିତ ହୋଇଥିଲେ । କ୍ୟାପଟେନ କେନ୍ ୱିଲିୟମସନ ଗୋଟିଏ ଚୌକା ଏବଂ ଗୋଟିଏ ଛକା ସାହାଯ୍ୟରେ ୨୩ ବଲରେ ୨୩ ରନ୍ ସଂଗ୍ରହ କରିଥିଲେ। ଗ୍ଲେନ୍ ଫିଲିପ୍ସ ୧୨ ରନ୍ କରି ଆଉଟ୍ ହୋଇଥିବାବେଳେ ଜିମି ନିଶାମ ଦୁଇଟି ଛକା ସହାୟତାରେ ୧୩ ବଲରୁ ଅପରାଜିତ ୨୬ ରନ୍ କରିଥିଲେ। ନ୍ୟୁଜିଲାଣ୍ଡ ୨୦ ଓଭରରେ ତିନି ଓ୍ବିକେଟରେ ୨୦୦ ରନର ବୃହତ ସ୍କୋର କରିଥିଲା। ଟି-୨୦ ବିଶ୍ୱକପରେ ନ୍ୟୁଜିଲାଣ୍ଡର ଏହା ସର୍ବାଧିକ ସ୍କୋର ହୋଇଥିବାବେଳେ ଅଷ୍ଟ୍ରେଲିଆ ବିପକ୍ଷରେ ଟି-୨୦ ବିଶ୍ୱକପରେ ଦ୍ୱିତୀୟ ସର୍ବାଧିକ ସ୍କୋର। ଅଷ୍ଟ୍ରେଲିଆ ପକ୍ଷରୁ ଜୋସ୍ ହାଜଲେଉଡ୍ ୪୧ ରନ୍ ଦେଇ ୨ଟି ୱିକେଟ୍ ନେଇଥିଲେ।

Comments are closed.