ୱେଲିଂଟନ ଟେଷ୍ଟରେ ନ୍ୟୁଜିଲାଣ୍ଡର ରୋମାଞ୍ଚକ ବିଜୟ, ଫଲୋଅନ୍ ପରେ ଇଂଲଣ୍ଡକୁ ୧ ରନରେ ହରାଇଲା

ୱେଲିଂଟନ: ନ୍ୟୁଜିଲାଣ୍ଡ ଓ ଇଂଲଣ୍ଡ ମଧ୍ୟରେ ଦ୍ୱିତୀୟ ତଥା ଅନ୍ତିମ ଟେଷ୍ଟର ରୋମାଞ୍ଚକର ପରିସମାପ୍ତି ଘଟିଛି । ଫଲୋଅନ୍ ହେବା ସତ୍ତ୍ୱେ ଜବରଦସ୍ତ ପ୍ରତ୍ୟାବର୍ତ୍ତନ କରି ନ୍ୟୁଜିଲାଣ୍ଡ ୧ ରନରେ ଇଂଲଣ୍ଡକୁ ହରାଇ ଦେଇଛି । ନ୍ୟୁଜିଲାଣ୍ଡ ପ୍ରଦତ୍ତ ୨୫୮ ରନ୍ ବିଜୟଲକ୍ଷ୍ୟ ଜବାବରେ ଇଂଲଣ୍ଡ ପଞ୍ଚମ ଦିନରେ ୨୫୬ ରନ୍ କରି ଅଲ୍ଆଉଟ୍ ହୋଇଯାଇଥିଲା । ଇଂଲଣ୍ଡ ଓ ଭାରତ ପରେ ନ୍ୟୁଜିଲାଣ୍ଡ ବିଶ୍ଵର ତୃତୀୟ ଦଳ ଭାବେ ଫଲୋଅନ୍ ହେବା ପରେ ଜିତିଛି । ଟେଷ୍ଟ ଇତିହାସରେ କେବଳ ଚତୁର୍ଥ ଥର ଏପରି ହୋଇଛି । ଏହାଛଡ଼ା ଟେଷ୍ଟ କ୍ରିକେଟରେ ଦ୍ବିତୀୟ ଥର ପାଇଁ ଗୋଟିଏ ଦଳ ୧ ରନରେ ବିଜୟ ହାସଲ କରିଛି । ଏହି ରୋମାଞ୍ଚକ ବିଜୟ ସହ ନ୍ୟୁଜିଲାଣ୍ଡ ଦୁଇ ମ୍ୟାଚ୍ ବିଶିଷ୍ଟ ସିରିଜକୁ ୧-୧ରେ ଡ୍ର କରିଛି।

ଶେଷ ଦିନରେ ଇଂଲଣ୍ଡକୁ ଆହୁରି ୨୧୦ ରନ୍ ଆବଶ୍ୟକ ହେଉଥିବା ବେଳେ ନ୍ୟୁଜିଲାଣ୍ଡକୁ ଦରକାର ଥିଲା ୯ ଓ୍ବିକେଟ୍ । ହେଲେ ପ୍ରଥମ ଏକ ଘଣ୍ଟା ଖେଳରେ ମାତ୍ର ୩୨ ରନରେ ଇଂଲଣ୍ଡ ୪ ଓ୍ବିକେଟ୍ ହରାଇ ସଙ୍କଟରେ ପଡ଼ିଥିଲା ।

ଏହା ପରେ ଜୋ ରୁଟ୍ ଏବଂ ବେନ୍ ଷ୍ଟୋକ୍ସ ୧୨୧ ରନ୍ ଭାଗିଦାରୀ କରି ଦଳର ବିଜୟ ଆଶା ସଞ୍ଚାର କରିଥିଲେ । ମଧ୍ୟାହ୍ନ ଭୋଜନ ସୁଦ୍ଧା ଇଂଲଣ୍ଡ ୫ ୱିକେଟ୍ ପାଇଁ ୧୬୮ ରନ୍ ସଂଗ୍ରହ କରିଥିଲା। ଇଂଲଣ୍ଡର ସ୍କୋର ୨୦୧ ରନ୍ ହୋଇଥିବା ବେଳେ ଷ୍ଟୋକ୍ସଙ୍କୁ ଆଉଟ୍ କରି ନ୍ୟୁଜିଲାଣ୍ଡ ପେସର୍ ନିଲ୍ ଓ୍ବାଗନର ଏହି ଯୋଡ଼ି ଭାଙ୍ଗିଥିଲେ । ସେ ୧୧୬ ବଲରୁ ୩୩ ରନ୍ କରିଥିଲେ। ଏହାପରେ ଜୋ ରୁଟ୍ (୯୫) ମଧ୍ୟ ପାଭିଲିୟନକୁ ଫେରିଥିଲେ ଓ ଇଂଲଣ୍ଡ ସେତେବେଳେ ୨୦୨ ରନରେ ୭ ଓ୍ବିକେଟ୍ ହରାଇ ଦେଇଥିଲା ।

ଷ୍ଟୋକ୍ସ ଓ ରୁଟ୍ ଆଉଟ୍ ହୋଇଯିବା ପରେ ଓ୍ବିକେଟକିପର ବ୍ୟାଟର ବେନ୍ ଫୋକ୍ସ ପାଳି ସମ୍ଭାଳିବାକୁ ଚେଷ୍ଟା କରିଥିଲେ, ଓ ଦଳକୁ ବିଜୟଲକ୍ଷ୍ୟର ନିକଟରେ ପହଞ୍ଚାଇଥିଲେ । ନ୍ୟୁଜିଲାଣ୍ଡ ହାତରୁ ମ୍ୟାଚ୍ ଖସୁଥିବା ବେଳେ ମ୍ୟାଚରେ ପୁଣି ନାଟକୀୟ ମୋଡ଼ ଆସିଥିଲା । ଫୋକ୍ସଙ୍କୁ ଆଉଟ୍ କରି ସାଉଦି ମ୍ୟାଚରେ ରୋମାଞ୍ଚ ଭରି ଦେଇଥିଲେ । ଫୋକ୍ସ ୫୭ ବଲରୁ ୩୫ ରନ ସଂଗ୍ରହ କରିଥିଲେ। ହାତରେ ଗୋଟିଏ ଓ୍ବିକେଟ୍ ବାକି ଥାଇ ଇଂଲଣ୍ଡକୁ ଆଉ ୨ ରନ୍ ଆବଶ୍ୟକ ହେଉଥିବା ବେଳେ ଜେମ୍ସ ଆଣ୍ଡରସନଙ୍କୁ ଓ୍ବିକେଟ୍ କିପରଙ୍କ ହାତରେ କ୍ୟାଚ୍ ଆଉଟ୍ କରାଇ ଓ୍ବାଗନର ନ୍ୟୁଜିଲାଣ୍ଡର ୧ ରନ୍ ବିଜୟ ନିଶ୍ଚିତ କରିଥିଲେ ‌। ନ୍ୟୁଜିଲ୍ୟାଣ୍ଡ ପକ୍ଷରୁ ନିଲ୍ ୱାଗନର୍ ୪ଟି ଓ ଅଧିନାୟକ ଟିମ୍ ସାଉଦି ୩ ୱିକେଟ୍ ନେଇଥିଲେ।

ଏହାପୂର୍ବରୁ ନ୍ୟୁଜିଲାଣ୍ଡ ଫଲୋଅନ୍ ହେବା ପରେ ଦ୍ୱିତୀୟ ଇନିଂସରେ ୪୮୩ ରନ୍ କରିଥିଲା। ଫଳରେ ଇଂଲଣ୍ଡ ଆଗରେ ୨୫୮ ରନ୍ ଟାର୍ଗେଟ ଧାର୍ଯ୍ୟ ହୋଇଥିଲା। ଚତୁର୍ଥ ଦିନର ଖେଳ ଶେଷ ସୁଦ୍ଧା ଇଂଲଣ୍ଡ ଗୋଟିଏ ୱିକେଟ୍ ହରାଇ ୪୮ ରନ୍ କରିଥିଲା।

ଇଂଲଣ୍ଡ ପ୍ରଥମ ଇନିଂସରେ ୮ ୱିକେଟ୍ ହରାଇ ୪୩୫ ରନ୍ ସ୍କୋର କରି ଇନିଂସ ଘୋଷଣା କରିଥିଲା। ଏହାର ଜବାବରେ ନ୍ୟୁଜିଲାଣ୍ଡ ସମସ୍ତ ଓ୍ବିକେଟ୍ ହରାଇ ୨୦୯ ରନ୍ କରିଥିଲା ଓ ଫଲୋଅନ୍ ହୋଇଥିଲା ।

Comments are closed.