ଆତଙ୍କବାଦୀ, ଗ୍ୟାଙ୍ଗଷ୍ଟରଙ୍କ ୫୦ ଆଡ୍ଡା ଉପରେ ଏନ୍ଆଇଏର ଚଢ଼ାଉ

ନୂଆଦିଲ୍ଲୀ: ଆତଙ୍କବାଦୀ, ଅପରାଧୀ ଏବଂ ଡ୍ରଗ୍ସ ମାଫିଆଙ୍କ ମଧ୍ୟରେ ଲିଙ୍କର ଖୋଳତାଡ଼ ପାଇଁ ଜାତୀୟ ତଦନ୍ତ ସଂସ୍ଥା (ଏନଆଇଏ) ସୋମବାର ଜାତୀୟ ରାଜଧାନୀ ସମେତ ତିନୋଟି ରାଜ୍ୟର ୫୦ଟି ସ୍ଥାନରେ ଚଢ଼ାଉ କରିଛି ।

ପଞ୍ଜାବୀ ଗାୟକ ସିଦ୍ଧୁ ମୋସେୱାଲାଙ୍କ ହତ୍ୟାରେ ସମ୍ପୃକ୍ତ ଗ୍ୟାଙ୍ଗଷ୍ଟରରଙ୍କ ଠିକଣା ଉପରେ ମଧ୍ୟ ଚଢାଉ ହୋଇଛି ।

ଆତଙ୍କବାଦୀ ତଥା ଅପରାଧିକ କାର୍ଯ୍ୟକଳାପ କରୁଥିବା “ଭାରତ ତଥା ବିଦେଶରେ ଅବସ୍ଥିତ କେତେକ ଗ୍ୟାଙ୍ଗର କିଙ୍ଗପିନ୍ ଏବଂ ସେମାନଙ୍କ ସହଯୋଗୀ” ଚିହ୍ନଟ ହେବା ପରେ ଏନଆଇଏ ଅଗଷ୍ଟ ୨୬ରେ ଏକ ମାମଲା ରୁଜୁ କରିଥିଲା।

ଏନ୍ଆଇଏ ଆଜି ସକାଳେ କାନାଡାରେ ରହୁଥିବା ଗ୍ୟାଙ୍ଗଷ୍ଟର ଗୋଲ୍ଡି ବ୍ରାର ଲରେନ୍ସ ବିଷ୍ଣୋଇ, ଜଗଗୁ ଭଗବାନପୁରିଆ, ବରିନ୍ଦର ପ୍ରତାପ ଓରଫ୍ କାଲା ରାଣା, କାଲା ଜାଥେଡି, ବିକ୍ରମ ବ୍ରାର୍, ଗୌରବ ପାଟିଆଲ ଓରଫ୍ ଲକି ପାଟିଆଲଙ୍କ ଘରେ ଛାନଭିନ୍ କରିଛି ।

ଏହା ବ୍ୟତୀତ ଗ୍ୟାଙ୍ଗଷ୍ଟର ନୀରଜ ବାୱାନା, କୌଶଲ ଚୌଧୁରୀ, ଟିଲୁ ତାଜପୁରିଆ, ଅମିତ ଡଗର, ଦୀପକ କୁମାର ଓରଫ୍ ଟିନୁ, ସନ୍ଦୀପ ଓରଫ୍ ବନ୍ଦର, ଉମେଶ ଓରଫ୍ କାଲା, ଇର୍ଫାନ ଓରଫ୍ କାଲୁ ପେହଲୱାନ, ଆଶିମ ଓରଫ୍ ହାସିମ ବାବା ଏବଂ ସଚିନ ଭାଓଞ୍ଜା ଓ ସେମାନଙ୍କ ସହଯୋଗୀଙ୍କ ଉପରେ ମଧ୍ୟ ରେଡ୍ ହୋଇଛି ।

ଉଭୟ ଗୋଲ୍ଡି ବ୍ରାର୍ ଏବଂ ଜଗଗୁ ଭଗବାନପୁରିଆ ମୋସେୱାଲା ହତ୍ୟା ମାମଲାର ଅଭିଯୁକ୍ତ । ମେ ୨୯ରେ ପଞ୍ଜାବରେ ମୁସେୱାଲାଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା।

ଏନ୍ଆଇଏ ଚଢାଉ ସମୟରେ ୬ଟି ପିସ୍ତଲ, ରିଭଲଭର ଏବଂ ବନ୍ଧୁକ ବ୍ୟତୀତ ନଗଦ ଟଙ୍କା, ଅପରାଧୀ ଦଲିଲ, ଡିଜିଟାଲ ଉପକରଣ, ବେନାମୀ ସମ୍ପତ୍ତି ବିବରଣୀ, ଧମକପୂର୍ଣ୍ଣ ଚିଠି, ନିଶା ଦ୍ରବ୍ୟ ଓ ଗୁଳିଗୋଳା ଜବତ କରାଯାଇଛି ବୋଲି ଏଜେନ୍ସିର ଜଣେ ମୁଖପାତ୍ର କହିଛନ୍ତି।

Comments are closed.