ଖଲିସ୍ତାନୀ ଆତଙ୍କବାଦୀ ପନ୍ନୁନ୍ ବିରୋଧରେ ମାମଲା ରୁଜୁ କଲା ଏନ୍ଆଇଏ

ନୂଆଦିଲ୍ଲୀ: ଏୟାର ଇଣ୍ଡିଆ ବିମାନରେ ଯାତ୍ରା କରୁଥିବା ଲୋକଙ୍କୁ ଧମକାଇବା ମାମଲାରେ ଏନ୍ଆଇଏ ସୋମବାର ଘୋଷିତ ଆତଙ୍କବାଦୀ ଗୁରୁପତଓ୍ବନ୍ତ ସିଂ ପନ୍ନୁନ୍ ବିରୋଧରେ ଏଫ୍ଆଇଆର୍ ରୁଜୁ କରିଛି।

ପନ୍ନୁନ୍ ବିରୋଧରେ ଏହି ମାମଲା ଆତଙ୍କବାଦ ନିରୋଧୀ ଆଇନ (ୟୁଏପିଏ) ଅଧୀନରେ ରୁଜୁ ହୋଇଛି।

ପନ୍ନୁନ୍ ନଭେମ୍ବର ୪ରେ ଏକ ଭିଡିଓ ଜାରି କରି ନଭେମ୍ବର ୧୯ ପରେ ଏୟାର ଇଣ୍ଡିଆ ବିମାନରେ ଯାତ୍ରା ନକରିବାକୁ ଶିଖମାନଙ୍କୁ କହିଥିଲା ।

ନିଷିଦ୍ଧ ସଂଗଠନ ‘ଶିଖ୍ ଫର ଜଷ୍ଟିସ୍’ (ଏସ୍ଏଫଜେ)ର ମୁଖ୍ୟ ପନ୍ନୁନ୍ ବିଭିନ୍ନ ସୋସିଆଲ୍ ମିଡିଆ ପ୍ଲାଟଫର୍ମରେ ଏହି ଭିଡିଓ ବାର୍ତ୍ତା ଜାରି କରିଥିଲା। ଏହା ପରେ ହାଇ ଆଲର୍ଟ ଜାରି କରାଯାଇଥିଲା । କାନାଡା ଓ ଭାରତ ସହ ଏୟାର ଇଣ୍ଡିଆ ବିମାନ ଚଳାଚଳ କରୁଥିବା ଅନ୍ୟ ସବୁ ଦେଶ ଗୁଡ଼ିକରେ ତଦନ୍ତ ଆରମ୍ଭ କରିଥିଲେ ସୁରକ୍ଷା ଏଜେନ୍ସି ।

ପନ୍ନୁନ୍ ୨୦୧୯ ମସିହାରୁ ଏନଆଇଏ ରାଡାରରେ ରହିଛି । ଚଳିତ ବର୍ଷ ସେପ୍ଟେମ୍ବରରେ ଏନ୍ଆଇଏ ପନ୍ନୁନର ଘର ଓ ପଞ୍ଜାବର ଅମୃତସର ଏବଂ ଚଣ୍ଡିଗଡ଼ରେ ଥିବା ଜମି ଜବତ କରିଥିଲା ।

ଏନଆଇଏର ସ୍ୱତନ୍ତ୍ର ଅଦାଲତ ଫେବୃଆରୀ ୩, ୨୦୨୧ରେ ପନ୍ନୁନଙ୍କ ବିରୋଧରେ ଜାମିନ ବିହୀନ ଗିରଫ ପରୱାନା ଜାରି କରିଥିଲା । ତାଙ୍କୁ ଗତ ବର୍ଷ ନଭେମ୍ବର ୨୯ରେ ପଳାତକ ଘୋଷିତ କରାଯାଇଥିଲା।

Comments are closed.