ରେକର୍ଡ ନବମ ଥର ବିହାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ନୀତିଶ

ପାଟନା: ସକାଳେ‌ ଆରଜେଡି ସହ ମେଣ୍ଟ ଭାଙ୍ଗିବା ପରେ ସନ୍ଧ୍ୟାରେ ବିଜେପି ସହ ପୁଣି ମୁଖ୍ୟମନ୍ତ୍ରୀ ଭାବେ ଫେରିଛନ୍ତି ଜେଡିୟୁ ସଭାପତି ନୀତିଶ କୁମାର । ରେକର୍ଡ ନବମ ଥର ପାଇଁ ନୀତିଶ ବିହାରର ମୁଖ୍ୟମନ୍ତ୍ରୀ ଭାବେ ରବିବାର ଶପଥ ନେଇଛନ୍ତି। ନୀତିଶଙ୍କ ସହ ଆଉ ୮ ଜଣ ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ସେମାନଙ୍କ ମଧ୍ୟରେ ଜେଡିୟୁ ଓ ବିଜେପିର ତିନି ଜଣ ଲେଖାଏଁ ମନ୍ତ୍ରୀ ଥିବାବେଳେ ଜିତନ ରାମ ମାଂଝୀଙ୍କ ହିନ୍ଦୁସ୍ତାନୀ ଆୱାମ ମୋର୍ଚ୍ଚାର ଜଣେ ଓ ଜଣେ ସ୍ୱାଧୀନ ବିଧାୟକ ମଧ୍ୟ ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି।

ନୀତିଶ କୁମାର ଆଜି ସକାଳେ ଆରଜେଡି ସହ ମେଣ୍ଟ ଭାଙ୍ଗି ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ । ଏହାପରେ ଏନଡିଏ ସମର୍ଥନରେ ସରକାର ଗଠନ ପାଇଁ ଦାବି କରିଥିଲେ।

ସମ୍ପ୍ରତି ବିହାର ବିଧାନସଭାରେ ଜେଡିୟୁରେ ୪୫ ଜଣ ବିଧାୟକ ଥିବାବେଳେ ବିଜେପିରେ ୭୬ ଜଣ ବିଧାୟକ ଅଛନ୍ତି। ଜିତନ ରାମ ମଞ୍ଜୀଙ୍କ ହିନ୍ଦୁସ୍ତାନ ଆୱାମ ମୋର୍ଚ୍ଚା (ଏଚ୍ଏଏମ୍)ର ୪ ଜଣ ବିଧାୟକ ରହିଛନ୍ତି। ଏହି ତିନି ଦଳଙ୍କ ପାଖରେ ମୋଟ ୧୨୫ ବିଧାୟକ ଅଛନ୍ତି । ସରକାର ଗଠନ ପାଇଁ ୧୨୨ ବିଧାୟକଙ୍କ ସମର୍ଥନ ଆବଶ୍ୟକ। ତେବେ ନୀତିଶ କୁମାରଙ୍କ ନେତୃତ୍ୱାଧୀନ ନୂଆ ଏନଡିଏ ସରକାର ପାଖରେ ମ୍ୟାଜିକ୍ ନମ୍ବର ଠାରୁ ତିନି ବିଧାୟକ ଅଧିକ ଅଛନ୍ତି ।

ଅନ୍ୟପକ୍ଷରେ ଲାଲୁ ପ୍ରସାଦ ଯାଦବଙ୍କ ଆରଜେଡିର ୭୯ ଜଣ ବିଧାୟକ ଥିବାବେଳେ କଂଗ୍ରେସର ୧୯ ଏବଂ ବାମଦଳଙ୍କ ୧୬ ବିଧାୟକ ଅଛନ୍ତି। ଏପରି ପରିସ୍ଥିତିରେ ବିରୋଧୀ ଦଳର‌ ପରବର୍ତ୍ତୀ ପଦକ୍ଷେପ କ’ଣ ହେବ ତାହା ଦେଖିବାକୁ ରହିଲା।

Comments are closed.