ଆସ୍ଥା ଭୋଟ୍ ଜିତିଲେ ନୀତୀଶ କୁମାର

ପାଟଣା: ନୀତୀଶ କୁମାରଙ୍କ ନେତୃତ୍ଵାଧୀନ ଜେଡିୟୁ-ଆରଜେଡି ମହାମେଣ୍ଟ ସରକାର ବୁଧବାର ବିଧାନସଭାରେ ଆସ୍ଥା ଭୋଟ୍ ଜିତିଛି। ୨୪୩ ସଦସ୍ୟ ବିଶିଷ୍ଟ ବିଧାନସଭାରେ ମହାମେଣ୍ଟ ସରକାର ସପକ୍ଷରେ ୧୬୪ ବିଧାୟକଙ୍କ ସମର୍ଥନ ଥିବା ବେଳେ ଆସ୍ଥା ଭୋଟରେ ନୀତୀଶ କୁମାରଙ୍କ ବିଜୟ କେବଳ ଏକ ଔପଚାରିକତା ଥିଲା । ନିକଟରେ ନୀତୀଶ କୁମାର ବିଜେପି ସହ ସମ୍ପର୍କ ଭାଙ୍ଗି ରାଷ୍ଟ୍ରୀୟ ଜନତା ଦଳ ସହ ସରକାର ଗଠନ କରିଥିଲେ। ସେ ଅଷ୍ଟମ ଥର ପାଇଁ ବିହାରର ମୁଖ୍ୟମନ୍ତ୍ରୀ ହୋଇଥିଲେ। ସେ ୨୦୨୦ର ବିଧାନସଭା ନିର୍ବାଚନର ​​ବିଜେପି ସହିତ ଏକାଠି ଲଢିଥିଲେ। କିନ୍ତୁ ବିଜେପି ସହ ମତଭେଦ ପରେ ସେ ଏନଡିଏଠାରୁ ନିଜକୁ ଦୂରେଇ ରଖିଥିଲେ।

ବିଧାନସଭାରେ ଆସ୍ଥା ଭୋଟ୍ ଉପ ସ୍ଥାପନ କରି ନୀତୀଶ କୁମାର କାହିଁକି ବିଜେପି ସହ ସମ୍ପର୍କ ଭାଙ୍ଗିଛନ୍ତି ସେ ସମ୍ପର୍କରେ ସ୍ପଷ୍ଟୀକରଣ ଦେଇଥିଲେ। ନରେନ୍ଦ୍ର ମୋଦୀଙ୍କ ନାମ ନ ନେଇ ସେ କେନ୍ଦ୍ର ସରକାର ଏବଂ ବିଜେପିର କେନ୍ଦ୍ରୀୟ ନେତୃତ୍ୱକୁ ଟାର୍ଗେଟ କରିଥିଲେ। ଆରସିପି ସିଂଙ୍କ ନାମ ନ ନେଇ ସେ ବିଜେପି ଉପରେ ଅଭିଯୋଗ କରିଥିଲେ ଯେ ତାଙ୍କ ମାଧ୍ୟମରେ ସବୁ ଭୁଲ କାର୍ଯ୍ୟ କରାଯାଉଥିଲା।

ନୀତୀଶ କୁମାରଙ୍କ ଅଭିଭାଷଣ ସମୟରେ ବିଜେପି ବିଧାୟକମାନେ ଅନେକ ଥର ହୋହଲ୍ଲା କରିଥିଲେ ଏବଂ ପରେ ଗୃହରୁ ଓ୍ବାକ୍ଆଉଟ୍ କରିଥିଲେ । ବିଜେପିର ବର୍ତ୍ତମାନର କେନ୍ଦ୍ରୀୟ ନେତୃତ୍ୱକୁ ସମାଲୋଚନା କରି ନୀତୀଶ କୁମାର ଅଟଳ ବିହାରୀ ବାଜପେୟୀ, ଏଲ.କେ ଆଡଭାନୀ ଏବଂ ମୁରଲୀ ମନୋହର ଯୋଶୀଙ୍କ ପ୍ରଶଂସା କରିଥିଲେ।

ଏହାପୂର୍ବରୁ ତେଜସ୍ୱୀ ଯାଦବ ମଧ୍ୟ ତାଙ୍କ ସମ୍ବୋଧନରେ ବିଜେପିକୁ ଟାର୍ଗେଟ କରି କହିଥିଲେ ଯେ ଯେଉଁଠାରେ ବିଜେପି କ୍ଷମତାରେ ନାହିଁ ସେଇଠି ସିବିଆଇ, ଇଡି ଏବଂ ଆଇଟିକୁ ଅସ୍ତ୍ର ଭାବେ ବ୍ୟବହାର କରାଯାଏ।

Comments are closed.