କ୍ରୁଜ୍ ଡ୍ରଗ୍ସ ପାର୍ଟି ମାମଲା: ଆର୍ୟନଙ୍କ ବିରୋଧରେ କୌଣସି ପ୍ରମାଣ ନାହିଁ କହିଲେ ‌ବମ୍ବେ ହାଇକୋର୍ଟ

ମୁମ୍ବାଇ: ବଲିଉଡ ଅଭିନେତା ଶାହରୁଖ ଖାନଙ୍କ ପୁଅ ଆର୍ୟନ ଖାନ ଏବଂ କ୍ରୁଜ ଡ୍ରଗ୍ସ ପାର୍ଟି ମାମଲାରେ ଅନ୍ୟ ଦୁଇ ଅଭିଯୁକ୍ତଙ୍କୁ ଜାମିନ ପ୍ରଦାନ ନେଇ ବମ୍ବେ ହାଇକୋର୍ଟଙ୍କ ବିସ୍ତୃତ ରାୟ ଶନିବାର ଦିନ ସାର୍ବଜନୀନ କରାଯାଇଛି। ହାଇକୋର୍ଟ ତାଙ୍କ ରାୟରେ କହିଛନ୍ତି ଯେ ଡ୍ରଗ୍ସ ପାର୍ଟିରେ ଆର୍ୟନ ଏବଂ ଅନ୍ୟ ଦୁଇ ଅଭିଯୁକ୍ତଙ୍କ ବିରୋଧରେ ଷଡ଼ଯନ୍ତ୍ରର କୌଣସି ପ୍ରମାଣ ନାହିଁ। ଜଷ୍ଟିସ୍ ଏନଡବ୍ଲୁ ସାମ୍ବ୍ରେଙ୍କ ଖଣ୍ଡପୀଠ ଅକ୍ଟୋବର ୨୮ରେ ଆର୍ୟନ ଖାନ୍, ତାଙ୍କ ବନ୍ଧୁ ଅରବାଜ୍ ମର୍ଚାଣ୍ଟ ଏବଂ ଫ୍ୟାଶନ୍ ମଡେଲ୍ ମୁନମୁନ୍ ଧମେଚାଙ୍କୁ ବ୍ୟକ୍ତିଗତ ଏକ ଲକ୍ଷ ଟଙ୍କା ମୁଚାଲିକାରେ ଜାମିନ ପ୍ରଦାନ କରିଥିଲେ। କୋର୍ଟ ତାଙ୍କ ଆଦେଶରେ କହିଛନ୍ତି ଯେ ଆର୍ୟନ ଖାନଙ୍କ ଫୋନ୍ ଚାଟିଂରେ କୌଣସି ଆପତ୍ତିଜନକ ବାର୍ତ୍ତା ନାହିଁ। ଏହାକୁ ପଢିବା ପରେ ଜଣାପଡ଼ୁ ନାହିଁ ଯେ ଆର୍ୟନ, ମର୍ଚାଣ୍ଟ ଏବଂ ଧମେଚା ଅପରାଧ କରିବା ପାଇଁ କୌଣସି ଷଡଯନ୍ତ୍ର କରିଥିବେ |

ଅଦାଲତ ଏହା ମଧ୍ୟ କହିଛନ୍ତି ଯେ ଏନଡିପିଏସ ଆକ୍ଟର ଧାରା ୬୭ ଅନୁଯାୟୀ ଏନସିବି ଦ୍ୱାରା ରେକର୍ଡ କରାଯାଇଥିବା ଆର୍ୟନ ଖାନଙ୍କ ବୟାନ କେବଳ ତଦନ୍ତ ଉଦ୍ଦେଶ୍ୟରେ ଦେଖାଯାଇ ପାରିବ। ଏଥିରୁ ଏହା ଅନୁମାନ କରାଯାଇପାରିବ ନାହିଁ ଯେ ଏନଡିପିଏସ ଆଇନ ଅନୁଯାୟୀ ଅଭିଯୁକ୍ତ କୌଣସି ଅପରାଧ କରିଛନ୍ତି। ଏନସିବିର ଯୁକ୍ତିକୁ ଖାରଜ କରି ହାଇକୋର୍ଟ କହିଛନ୍ତି ଯେ ରେକର୍ଡରେ କୌଣସି ପ୍ରମାଣ ଉପଲବ୍ଧ ନାହିଁ ଯାହା ଦ୍ଵାରା ସମସ୍ତ ଅଭିଯୁକ୍ତ ବେଆଇନ କାର୍ଯ୍ୟକଳାପ କରିବାକୁ ରାଜି ହୋଇଛନ୍ତି ବୋଲି କୁହାଯାଇପାରିବ ।

ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନସିବି) ର ଯୁକ୍ତିକୁ କୋର୍ଟ ଖାରଜ କରି କହିଛନ୍ତି ଯେ ଏପର୍ଯ୍ୟନ୍ତ କରାଯାଇଥିବା ଅନୁସନ୍ଧାନରୁ ଜଣାପଡିଛି ଯେ ଆର୍ୟନ ଖାନ ଏବଂ ଅରବାଜ୍ ମର୍ଚାଣ୍ଟ, ମୁନମୁନ୍ ଧମେଚାଙ୍କ ଠାରୁ ଅଲଗା ଭାବରେ ଯାତ୍ରା କରୁଥିଲେ ଏବଂ ଏହି ତିନି ଜଣଙ୍କ ମଧ୍ୟରେ ଏହି କଥିତ ଅପରାଧ ପାଇଁ କୌଣସି ସାକ୍ଷାତ ହୋଇନାହିଁ। ଜଷ୍ଟିସ୍ ସାମ୍ବ୍ରେ କହିଛନ୍ତି ଯେ ଯଦି ସରକାରୀ ପକ୍ଷର ମାମଲାକୁ ବିଚାର କରାଯାଏ, ତେବେ ଏହି ଅପରାଧ ପାଇଁ ସର୍ବାଧିକ ଦଣ୍ଡ ଏକ ବର୍ଷରୁ ଅଧିକ ହେବ ନାହିଁ। କ୍ରୁଜ୍ ଡ୍ରଗ୍ସ ପାର୍ଟି ମାମଲାରେ ଗିରଫ ହେବାର ପ୍ରାୟ ମାସେ ପରେ ଅକ୍ଟୋବର ୩୦ରେ ଆର୍ୟନ ଆର୍ଥର୍ ରୋଡ୍ ଜେଲରୁ ବାହାରିଥିଲେ |

Comments are closed.