ମାଟିରେ ମିଶିଲା ନୋଏଡା ସୁପରଟେକ୍ ଟ୍ବିନ୍ ଟାଓ୍ବାର

ନୋଏଡା: ନୋଏଡା ଠାରେ ଦୁର୍ନୀତିର କୋଠା ଶେଷରେ ମାଟିରେ ମିଶିଛି । ନିର୍ଦ୍ଧାରିତ ସମୟରେ ରବିବାର ସାଇରନ୍ ଶବ୍ଦ ସହ ବିସ୍ଫୋରଣ କରାଯାଇ ନୋଏଡା ​​ସୁପରଟେକ୍ ଟ୍ୱିନ୍ ଟାୱାରକୁ ଭଙ୍ଗାଯାଇଛି । ମାତ୍ର କିଛି ସେକେଣ୍ଡ ମଧ୍ୟରେ ଏହି ୪୦ ମହଲା ବିଶିଷ୍ଟ ଦ୍ବୈତ ଅଟ୍ଟାଳିକା ତାସ୍ ର ଘର ପରି ଧ୍ବଂସ ହୋଇଛି । ଟ୍ବିନ ଟାଓ୍ବାର୍ ଧରାଶାୟୀ ହେବା କ୍ଷଣି ସ୍ଥାନୀୟ ଅଞ୍ଚଳ ଧୂଆଁ ଓ ଧୂଳିମୟ ହୋଇଯାଇଛି ।

ନିର୍ଦ୍ଧାରିତ ସମୟ ଅପରାହ୍ନ ୨ଟା ୩୦ ମିନିଟରେ ନୋଏଡା ସେକ୍ଟର ୯୩-ଏ ସ୍ଥିତ ସୁପରଟେକ୍ ଟ୍ୱିନ୍ ଟାୱାରରେ ବିସ୍ଫୋରଣ କରାଯାଇ ଧ୍ବସ୍ତ କରାଯାଇଥିଲା ​​| ଏହି ସମୟକୁ ସମସ୍ତ ଉତ୍କଣ୍ଠାର ସହ ଅପେକ୍ଷା କରିଥିଲା ​​| ସାଇରନ୍ ଶବ୍ଦ ମଧ୍ୟରେ ପ୍ରତ୍ୟେକ ମହଲାରେ ହଠାତ୍ ବିସ୍ଫୋରଣ ଘଟିଥିଲା ଏବଂ ଉପରୁ ତଳ ପର୍ଯ୍ୟନ୍ତ ଉଭୟ କୋଠା ନିମିଷେକ ମଧ୍ୟରେ ଭୁଶୁଡ଼ି ପଡ଼ିଥିଲା | ଚାରିଆଡ଼େ ଧୂଳି ଓ ଧୂଆଁର ବିରାଟ ବଳୟ ସୃଷ୍ଟି ହୋଇଥିଲା |

ସୁପରଟେକ୍ ର ଟ୍ୱିନ୍ ଟାୱାରର ଧ୍ବଂସ ପରେ ବହଳ ଧୂଳିର ଆସ୍ତରଣ ଆଗାମୀ ତିନିରୁ ଚାରି ଦିନ ପର୍ଯ୍ୟନ୍ତ ଲୋକଙ୍କୁ ଅସୁବିଧାରେ ପକାଇପାରେ | ଏହାକୁ ଏଡାଇବା ପାଇଁ ପିଲା ଏବଂ ବୃଦ୍ଧଙ୍କୁ ମାସ୍କ ପିନ୍ଧିବାକୁ ପଡ଼ିପାରେ | ଦିଲ୍ଲୀ ବିଶ୍ୱବିଦ୍ୟାଳୟର ପ୍ରଫେସର ବିପୁଲ ସିଂହ କହିଛନ୍ତି ଯେ କୋଠା ଭୁଶୁଡ଼ିବା ପରେ ବାୟୁରେ ଦୁଇ ପ୍ରକାର ଧୂଳି ଉଡ଼ିବ। ଧୂଳିର କଠିନ କଣିକା ତୁରନ୍ତ ଭୂମିରେ ପଡ଼ିବ । କିନ୍ତୁ ଛୋଟ କଣିକାଗୁଡ଼ିକ ଦୀର୍ଘ ସମୟ ପର୍ଯ୍ୟନ୍ତ ପବନରେ ରହିବ । କାରଣ ପବନ ମଧ୍ୟ ବହୁଛି |

ଟ୍ୱିନ୍ ଟାୱାର୍ ‘ଆପେକ୍ସ’ ଏବଂ ‘ସିୟାନ୍’କୁ ଧ୍ବସ୍ତ
କରିଥିବା ଏଡିଫାଇସ୍ କମ୍ପାନୀ ଏଥିପାଇଁ ପ୍ରାୟ ୩୭୦୦ କିଲୋଗ୍ରାମ ବିସ୍ଫୋରକ ବ୍ୟବହାର କରିଥିଲା । କଣ୍ଟ୍ରୋଲ୍ ବିସ୍ଫୋରଣ ମାଧ୍ୟମରେ ଟାୱାରକୁ ଧ୍ବସ୍ତ କରାଯାଇଥିଲା | ଏଥିପାଇଁ ‘ୱାଟର ଫଲ୍ ଇମ୍ପ୍ଲୋଜନ୍ କଲାପ୍ସ ମେକାନିଜିମ୍’ରେ ବ୍ଲାଷ୍ଟ୍ ଡିଜାଇନ୍ ପ୍ରସ୍ତୁତ କରାଯାଇଥିଲା ଯାହା ଦ୍ଵାରା ଭଗ୍ନାବଶେଷ ପାର୍ଶ୍ଵବର୍ତ୍ତୀ କୋଠା ଗୁଡ଼ିକରେ ନ ପଡ଼ି ଜଳପ୍ରପାତ ପରି ସାମ୍ନାପଟେ ପଡ଼ିବ ।

୩୧ ଅଗଷ୍ଟ ୨୦୨୧ରେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ଏହି ସୁଉଚ୍ଚ ଦ୍ବୈତ ଅଟ୍ଟାଳିକାକୁ ଭଙ୍ଗା ଯାଇପାରେ ବୋଲି ଚର୍ଚ୍ଚା ଆରମ୍ଭ ହୋଇଥିଲା। ବିଲ୍ଡରଙ୍କ ଦ୍ୱାରା ଦାଖଲ ରିଭ୍ୟୁ ପିଟିସନ ଖାରଜ ହେବା ପରେ ଏଥିପାଇଁ ପଥ ପରିଷ୍କାର ହୋଇଯାଇଥିଲା ।

ଆଜି ଟାୱାର ଭାଙ୍ଗିବା ପୂର୍ବରୁ ସକାଳ ୭ଟାରେ ଏମେରାଲ୍ଡ କୋର୍ଟ ଏବଂ ଏଟିଏସ୍ ଗ୍ରାମ ସୋସାଇଟିକୁ ଖାଲି କରାଯାଇଥିଲା । ଏହାଛଡ଼ା ସେକ୍ଟର -୯୩ ଏ’ ଆଡକୁ ଯାଇଥିବା ସହରର ସବୁ ରାସ୍ତା ଟ୍ରାଫିକ ପୋଲିସ ଦ୍ୱାରା ବନ୍ଦ ରହିଥିଲା। ଟାୱାର ଭୁଶୁଡ଼ିବାର ୧୫ ମିନିଟ ପୂର୍ବରୁ ନୋଏଡା-ଗ୍ରେନୋ ଏକ୍ସପ୍ରେସୱେରେ ଟ୍ରାଫିକ ମଧ୍ୟ ପ୍ରାୟ ୨.୧୫ରେ ବନ୍ଦ କରାଯାଇଥିଲା ।

Comments are closed.