ଦିଲ୍ଲୀ ପୋଲିସ ପରେ ‘ନ୍ୟୁଜକ୍ଲିକ୍’ ବିରୋଧରେ ମାମଲା ରୁଜୁ କଲା ସିବିଆଇ, ଦୁଇଟି ସ୍ଥାନରେ ଚଢ଼ାଉ

ନୂଆଦିଲ୍ଲୀ: ଦିଲ୍ଲୀ ପୋଲିସ ପରେ ଏବେ ସିବିଆଇ ୱେବ୍ ପୋର୍ଟାଲ ‘ନ୍ୟୁଜକ୍ଲିକ୍’ ବିରୋଧରେ ଚୀନରୁ ଆର୍ଥିକ ସହାୟତା ନେବା ଅଭିଯୋଗରେ ମାମଲା ରୁଜୁ କରିଛି। ଫଳରେ ନ୍ୟୁଜକ୍ଲିକ୍ ର ଅଡ଼ୁଆ ଆହୁରି ବଢ଼ିଯାଇଛି ।

ଏବେ ସିବିଆଇ ନ୍ୟୁଜକ୍ଲିକ୍ ବିରୋଧରେ ବିଦେଶୀ ପାଣ୍ଠି ନିୟମ ଉଲ୍ଲଂଘନ ଅଭିଯୋଗର ତଦନ୍ତ କରିବ। ଏହି କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ମଧ୍ୟ ବୁଧବାର ଜାତୀୟ ରାଜଧାନୀରେ ଥିବା ୱେବ୍ ପୋର୍ଟାଲର କାର୍ଯ୍ୟାଳୟ ସହ ଦୁଇଟି ସ୍ଥାନରେ ଚଢ଼ାଉ କରିଛି। ଏହାଛଡ଼ା ସିବିଆଇ ନ୍ୟୁଜକ୍ଲିକ୍ ପ୍ରତିଷ୍ଠାତା ତଥା ମୁଖ୍ୟ ସମ୍ପାଦକ ପ୍ରବୀର ପୁରକାୟସ୍ଥଙ୍କ ଘରେ ବି ତଲାସି କରିଛି ।

ଏହା ପୂର୍ବରୁ ଦିଲ୍ଲୀ ପୋଲିସର ସ୍ପେଶାଲ୍ ସେଲ୍ ନ୍ୟୁଜକ୍ଲିକ୍ ବିରୋଧରେ ଅନେକ ଗମ୍ଭୀର ଦଫା ଅଧୀନରେ ମାମଲା ରୁଜୁ କରିଥିଲା। ଏହି ମାମଲାରେ ଦିଲ୍ଲୀ ପୋଲିସର ସ୍ପେଶାଲ୍ ସେଲ୍ ବହୁ ଘଣ୍ଟା ଧରି ରେଡ୍ ପରେ ପଚରାଉଚରା ମୁଖ୍ୟ ସମ୍ପାଦକ ପ୍ରବୀର ପୁରକାୟସ୍ଥଙ୍କ ସହ ଦୁଇ ଜଣଙ୍କୁ ଗିରଫ କରିଥିଲା। ଏହା ପରେ ସେମାନଙ୍କୁ କୋର୍ଟରେ ହାଜର କରାଯାଇ ରିମାଣ୍ଡରେ ନିଆଯାଇଥିଲା।

Comments are closed.