ଏଣିକି ଜିଏସଟି ସମ୍ବନ୍ଧୀୟ ମାମଲାର ତଦନ୍ତ କରିବ ଇଡି, ନିଷ୍ପତ୍ତିରେ ବ୍ୟବସାୟୀ ସଂଗଠନ ଚିନ୍ତିତ

ନୂଆଦିଲ୍ଲୀ: ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଏବେ ଜିଏସଟି ମାମଲାରେ ହସ୍ତକ୍ଷେପ କରିପାରିବ ‌। କେନ୍ଦ୍ର ଅର୍ଥ ମନ୍ତ୍ରଣାଳୟ ଜୁଲାଇ ୭ରେ ଏନେଇ ଏକ ବିଜ୍ଞପ୍ତି ଜାରି କରିଛି । ଜିଏସଟି ମାମଲାରେ ଯଦି କୌଣସି ବିଶୃଙ୍ଖଳା ବା ଜାଲିଆତି ହୁଏ, ତେବେ ଇଡି ପିଏମ୍ଏଲ୍ଏ (ପ୍ରିଭେନସନ୍ ଅଫ୍ ମନି ଲଣ୍ଡରିଂ ଆକ୍ଟ) ଅନୁଯାୟୀ ବ୍ୟବସାୟୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇପାରିବ । ତେବେ ଦେଶ ତଥା ଦିଲ୍ଲୀର ବ୍ୟବସାୟୀମାନଙ୍କର ସର୍ବୋଚ୍ଚ ସଂଗଠନ ‘ଚାମ୍ବର ଅଫ୍ ଟ୍ରେଡ୍ ଆଣ୍ଡ ଇଣ୍ଡଷ୍ଟ୍ରି (ସିଟିଆଇ)’ ଏହାକୁ ନେଇ ଚିନ୍ତା ବ୍ୟକ୍ତ କରିଛି।

ସିଟିଆଇ ଅଧ୍ୟକ୍ଷ ବ୍ରିଜେଶ ଗୋୟଲ କହିଛନ୍ତିି, ଦେଶର ଇତିହାସରେ ପ୍ରଥମ ଥର ପାଇଁ ଇଡି ଟ୍ୟାକ୍ସ ସମ୍ବନ୍ଧୀୟ ମାମଲାରେ ସିଧାସଳଖ ହସ୍ତକ୍ଷେପ କରିବ। ଏ ବାବଦରେ ବ୍ୟବସାୟୀଙ୍କ ମଧ୍ୟରେ ଚିନ୍ତା ବଢ଼ିଛି, କାରଣ ଇଡିର ଅପବ୍ୟବହାର ହେବାର ସମ୍ଭାବନାକୁ ଅଣଦେଖା କରାଯାଇପାରିବ ନାହିଁ । ଇଡି କ୍ଷେତ୍ରରେ ଜାମିନ ବର୍ଷ ବର୍ଷ ଲାଗିପାରେ |

ସିଟିଆଇ କହିଛି, ବ୍ୟବସାୟୀମାନେ କିପରି ଗ୍ୟାରେଣ୍ଟି ଦେବେ ଯେ ଯେଉଁ ବ୍ୟକ୍ତିଙ୍କଠାରୁ ସେମାନେ ସାମଗ୍ରୀ କିଣିଛନ୍ତି କିମ୍ବା ବିକ୍ରୟ କରିଛନ୍ତି ସେ କୌଣସି ଭୁଲ କରିନାହାଁନ୍ତି। ଏହାଛଡ଼ା, ଆଜି ବି ଜିଏସଟି ବ୍ୟବସ୍ଥା ଏତେ ଜଟିଳ ଯେ ସବୁବେଳେ କିଛି ନା କିଛି ଭୁଲ କିମ୍ବା ଅନ୍ୟାନ୍ୟ ତ୍ରୁଟିର ସମ୍ଭାବନା ଥାଏ | ସିଟିଆଇ ଅଧ୍ୟକ୍ଷ ବ୍ରିଜେଶ ଗୋୟଲ କହିଛନ୍ତି, ଅର୍ଥ ମନ୍ତ୍ରଣାଳୟ ଏନେଇ ଅଧିକ ସ୍ପଷ୍ଟୀକରଣ ଦେବା ଉଚିତ ଯେ କେଉଁ ପରିସ୍ଥିତିରେ ଜିଏସଟି ଏବଂ କେଉଁ ପରିମାଣରେ ଇଡି ସିଧାସଳଖ ହସ୍ତକ୍ଷେପ କରିପାରିବ, ନଚେତ୍ ଏହାର ଅପବ୍ୟବହାର ହେବାର ସମ୍ଭାବନା ରହିବ।

Comments are closed.