ନୁହ ହିଂସା ଅଭିଯୁକ୍ତ ବିଟୁ ବଜରଙ୍ଗୀ ଗିରଫ

ଗୁରୁଗ୍ରାମ : ଗିରଫ ହୋଇଛନ୍ତି ନୁହ ହିଂସାର ଅଭିଯୁକ୍ତ ବିଟୁ ବଜରଙ୍ଗୀ । ବଜରଙ୍ଗୀଙ୍କୁ ଫରିଦାବାଦ ସ୍ଥିତ ତାଙ୍କ ଘରୁ ଗିରଫ କରିଛି ହରିୟାଣା ପୋଲିସ । ନୁହ ପୋଲିସର ମୁଖପାତ୍ର କୃଷ୍ଣ କୁମାରଙ୍କ ସୂଚନା ଅନୁଯାୟୀ, ଜୁଲାଇ ୩୧ରେ ହିଂସା ପରେ ବିଟୁ ବଜରଙ୍ଗୀଙ୍କ‌ ବିରୋଧରେ ନୁହ ସଦର ପୋଲିସ ଥାନାରେ ଆଇପିସିର ବିଭିନ୍ନ ଧାରାରେ ମାମଲା ରୁଜୁ ହୋଇଥିଲା।

ନୁହରେ ବିଶ୍ବ ହିନ୍ଦୁ ପରିଷଦର ବ୍ରଜମଣ୍ଡଳ ଜଳାଭିଷେକ ଶୋଭାଯାତ୍ରା ଯାତ୍ରା ପୂର୍ବରୁ ବିଟୁ ବଜରଙ୍ଗୀ ସୋସିଆଲ ମିଡିଆରେ ଅନେକ ଉତ୍ତେଜନାପୂର୍ଣ୍ଣ ଭିଡିଓ ଛାଡ଼ିଥିଲେ। ଏନେଇ ମଧ୍ୟ ବିଟୁଙ୍କ ବିରୋଧରେ ଏକ ମାମଲା ରୁଜୁ ହୋଇଥିଲା। ତେବେ ତାଙ୍କ ଜାମିନ ନାମଞ୍ଜୁର ହେବା ପରେ ବିଟୁଙ୍କୁ ଗିରଫ କରିବା ପାଇଁ ହରିୟାଣା ପୋଲିସ ଉପରେ ଚାପ ବଢ଼ିଥିଲା ।

ଜୁଲାଇ ୩୧ରେ ବିଶ୍ବ ହିନ୍ଦୁ ପରିଷଦର ବ୍ରଜମଣ୍ଡଳ ଜଳାଭିଷେକ ଶୋଭାଯାତ୍ରା ବେଳେ ନୁହରେ ସାମ୍ପ୍ରଦାୟିକ ହିଂସା ଘଟିଥିଲା | ପରେ ପ୍ରଭାବ ଗୁରୁଗ୍ରାମ, ଫରିଦାବାଦ, ପାଲୱାଲ, ରେଓ୍ବାଡି ଏବଂ ପାନିପତକୁ ମଧ୍ୟ ବ୍ୟାପି ଯାଇଥିଲା ହିଂସା ।

ନୁହ ହିଂସା ମାମଲାରେ ପୋଲିସ ବର୍ତ୍ତମାନ ସୁଦ୍ଧା ୫୯ ଏତଲା ରୁଜୁ କରିଥିବାବେଳେ ୨୩୦ ଜଣଙ୍କୁ ଗିରଫ କରାଯାଇଛି। ଏହି ହିଂସାରେ ୬ ଜଣଙ୍କର ମୃତ୍ୟୁ (ନୁହରେ ୪, ଗୁରୁଗ୍ରାମରେ ୨) ହୋଇଥିବା ବେଳେ ୮୮ ଜଣ ଆହତ ହୋଇଥିଲେ।

Comments are closed.