ଚୌକିରୁ ନ ଉଠିବାରୁ ନର୍ସଙ୍କ ଉପରେ ରାଗିଲେ ମନ୍ତ୍ରୀ, ନିଲମ୍ବିତ କରିବାକୁ ଦେଲେ ନିର୍ଦ୍ଦେଶ

ଲକ୍ଷ୍ନୌ: ମନ୍ତ୍ରୀଙ୍କ ସାମ୍ନାରେ ଚୌକିରେ ବସି ରହିବା ଯୋଗୁଁ ନିଲମ୍ବିତ ହୋଇଛନ୍ତି ନର୍ସ । ଏଭଳି ଘଟଣା ଉତ୍ତର ପ୍ରଦେଶ ବାନ୍ଦାର ମହିଳା ଜିଲ୍ଲା ଡାକ୍ତରଖାନାରେ ଘଟିଛି ।

ରାଜ୍ୟ ଜଳଶକ୍ତି ମନ୍ତ୍ରୀ ରାମକେଶ ନିଶାଦ ଗତ ଗୁରୁବାର ବିଳମ୍ବିତ ରାତିରେ ବାନ୍ଦା ଜିଲ୍ଲା ଡାକ୍ତରଖାନାରେ ତାଙ୍କର ଜଣେ ରୋଗୀଙ୍କୁ ଦେଖା କରିବାକୁ ପହଞ୍ଚିଥିଲେ । ଏହି ସମୟରେ ଡ୍ୟୁଟିରେ ଥିବା ଜଣେ ଷ୍ଟାଫ୍ ନର୍ସ ଚୌକିରୁ ଉଠି ଠିଆ ନ‌ ହେବାରୁ ମନ୍ତ୍ରୀ ରାଗି ଯାଇଥିଲେ । ସେ ସଙ୍ଗେ ସଙ୍ଗେ ସିଏମଓ ଏବଂ ସିଏମ୍ଏସ୍ କୁ ଡାକି କର୍ମଚାରୀଙ୍କ ସାମ୍ନାରେ ନର୍ସଙ୍କ ବିରୋଧରେ ଅଭିଯୋଗ କରିଥିଲେ। ଏହାଛଡ଼ା ନର୍ସଙ୍କୁ ତତ୍କାଳ ନିଲମ୍ବିତ କରିବାକୁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ ।

ନର୍ସ ତାଙ୍କ ଭୁଲ୍ ସ୍ୱୀକାର କରିଥିଲେ ବି ମନ୍ତ୍ରୀ ତାଙ୍କୁ କ୍ଷମା କରିନଥିଲେ । ନର୍ସ କହିଥିଲେ ଯେ ଲୋୟର ଟି-ସାର୍ଟ ଓ ଜିନସ୍ ପିନ୍ଧିଥିବା କାରଣରୁ ସେ ମନ୍ତ୍ରୀଙ୍କୁ ଚିହ୍ନି ପାରିନଥିଲେ। ଏହାଛଡ଼ା ନର୍ସ ନିଜକୁ ଜଣେ ହୃଦ୍ ରୋଗୀ ଦର୍ଶାଇ ତାଙ୍କୁ କ୍ଷମା କରିଦେବାକୁ ନେହୁରା ହୋଇଥିଲେ । କିନ୍ତୁ ମନ୍ତ୍ରୀ ନର୍ସଙ୍କ କଥା ଶୁଣିନଥିଲେ । ନର୍ସଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଜରୁରୀ ବୋଲି କହି ମନ୍ତ୍ରୀ ତାଙ୍କୁ ନିଲମ୍ବନ କରିବାକୁ ନିର୍ଦ୍ଦେଶ ଦେଇଥିଲେ ।

Comments are closed.