ବ୍ଲୁଟୁଥ୍ ହେଡଫୋନ୍ ଫାଟି ଯୁବକଙ୍କ ମୃତ୍ୟୁ

ଜୟପୁର: ରାଜସ୍ଥାନର ଜୟପୁର ଜିଲ୍ଲାରେ ଚାର୍ଜ କରୁଥିବାବେଳେ ହଠାତ୍ ବ୍ଲୁଟୁଥ୍ ହେଡଫୋନ ଫାଟି ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି। ଜୟପୁର ପୋଲିସ କହିଛି ଯେ ଦୁର୍ଘଟଣାର ଶିକାର ହୋଇଥିବା ୨୮ ବର୍ଷ ବୟସ୍କ ଯୁବକ କମ୍ପେଟେଟିଭ୍ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିଲେ। ଏହି ଘଟଣା ଚାଉମୁ ଉପକଣ୍ଠ ଉଦୟପୁରିଆ ଗ୍ରାମରେ ଘଟିଛି।

ରାକେଶ କୁମାର ନାଗର ଘରେ ବ୍ଲୁଟୁଥ୍ ହେଡଫୋନ୍ ଲଗାଇ ପାଠ ପଢ଼ୁଥିବା ସମୟରେ ଏହାକୁ ଚାର୍ଜିଂ ମଧ୍ୟ କରୁଥିଲେ। ଗୋବିନ୍ଦଗଡ ପୋଲିସର ସୂଚନାନୁସାରେ ହଠାତ୍ ହେଡଫୋନ୍ ଫାଟି ଯାଇଥିଲା । ଯୁବକ ଜଣକ ଚେତାଶୂନ୍ୟ ହୋଇପଡିଥିଲେ। ତାଙ୍କୁ ଏକ ଘରୋଇ ହସ୍ପିଟାଲକୁ ନିଆଯାଇଥିଲା ଯେଉଁଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା।

ସିଦ୍ଧବିନାୟକ ହସ୍ପିଟାଲର ଡାକ୍ତର ଏଲ.ଏନ ରୁଣ୍ଡଲା କହିଛନ୍ତି ଯେ ଯୁବକଙ୍କୁ ଚେତାଶୂନ୍ୟ ଅବସ୍ଥାରେ ହସ୍ପିଟାଲ ଅଣାଯାଇଥିଲା। ହସ୍ପିଟାଲରେ ଚିକିତ୍ସା ସମୟରେ ତାଙ୍କର ମୃତ୍ୟୁ ଘଟିଛି। ଡାକ୍ତରଙ୍କ କହିବାନୁସାରେ, ବୋଧହୁଏ ହୃଦଘାତ ଯୋଗୁଁ ଯୁବକଙ୍କ ମୃତ୍ୟୁ ହୋଇଥିବ । ପୋଲିସର ସୂଚନାନୁସାରେ, ରାକେଶ ଚଳିତ ବର୍ଷ ଫେବୃଆରୀରେ ବିବାହ କରିଥିଲେ।

Comments are closed.