ବର୍ଷା ବିଗାଡ଼ିଲା ପଞ୍ଚମ ଦିନର ଖେଳ, ଭାରତ-ଇଂଲଣ୍ଡ ପ୍ରଥମ ଟେଷ୍ଟ ଡ୍ର

ନଟିଂହାମ୍ : ଅବିଶ୍ରାନ୍ତ ବର୍ଷା ପଞ୍ଚମ ଦିନର ଦିନର ଖେଳ ବିଗାଡ଼ିଥିବା ବେଳେ ଭାରତ-ଇଂଲଣ୍ଡ ପ୍ରଥମ ଟେଷ୍ଟ ଡ୍ର’ରେ ଶେଷ ହୋଇଛି । ଲଗାଣ ବର୍ଷା ଯୋଗୁଁ ଆଜି ଗୋଟିଏ ବି ବଲ୍ ପଡ଼ିପାରିନଥିଲା । ବର୍ଷା ଯୋଗୁଁ ସମ୍ଭାବ୍ୟ ବିଜୟରୁ ବଞ୍ଚିତ ହୋଇଥିବା ଭାରତକୁ ଇଂଲଣ୍ଡ ସହ ପଏଣ୍ଟ୍ ଭାଗ କରିବାକୁ ପଡିଛି । ଭାରତ ୨୦୯ ରନର ବିଜୟଲକ୍ଷ୍ୟ ଜବାବରେ ଚତୁର୍ଥ ଦିବସର ଖେଳ ଶେଷ ସୁଦ୍ଧା ଗୋଟିଏ ୱିକେଟ୍ ହରାଇ ୫୭ ରନ୍ କରିଥିଲା । ବିଜୟ ପାଇଁ ଭାରତକୁ ପଞ୍ଚମ ଦିନରେ ଆଉ ୧୫୭ ରନ୍ ଆବଶ୍ୟକ ହେଉଥିଲା । ହେଲେ ଭାରତର ବିଜୟ ପଥରେ ବର୍ଷା ପ୍ରତିବନ୍ଧକ ସାଜିଥିଲା । ପ୍ରଥମ ଟେଷ୍ଟ ଡ୍ର ହୋଇଥିବା ବେଳେ ବିଶ୍ୱ ଟେଷ୍ଟ ଚାମ୍ପିୟନସିପର ଦ୍ୱିତୀୟ ସଂସ୍କରଣ ନିୟମାନୁସାରେ ଉଭୟ ଦଳ ୪ ପଏଣ୍ଟ ଲେଖାଏଁ ପାଇଛନ୍ତି । ଦ୍ୱିତୀୟ ଟେଷ୍ଟ ଅଗଷ୍ଟ ୧୨ରୁ ଲର୍ଡ୍ସରେ ଆରମ୍ଭ ହେବ ।

ଆଜି ଭାରତୀୟ ସମୟାନୁସାରେ ଅପରାହ୍ଣ ସାଢ଼େ ୩ଟା ବେଳେ ମ୍ୟାଚ୍ ଆରମ୍ଭ ହେବାର ଥିଲା। କିନ୍ତୁ ପ୍ରବଳ ବର୍ଷା କାରଣରୁ ମ୍ୟାଚ୍ ଆରମ୍ଭ ହୋଇପାରିଲା ନାହିଁ। ଯେଉଁ କାରଣରୁ ପ୍ରଥମ ସେସନ୍ ଖେଳକୁ ବାତିଲ କରିଦିଆଗଲା। ଏହା ପରେ ଦ୍ୱିତୀୟ ସେସନରେ ମଧ୍ୟ ବର୍ଷା ଥମିବାର ନାଁ ନେଉନଥିଲା। ଲଗାତର ବର୍ଷା କାରଣରୁ ଅମ୍ପାୟାର ଚା’ପାନ ବିରତି ସଅଳ ନେଇଥିଲେ। କିନ୍ତୁ ଏହା ପରେ ମଧ୍ୟ ବର୍ଷା ଜାରି ରହିଥିଲା। ଯାହା ପରେ ଅମ୍ପାୟାର ଆନୁଷ୍ଠାନିକ ଭାବେ ଦିବସର ଖେଳକୁ ବାତିଲ କରିବା ସହ ମ୍ୟାଚ୍ ଡ୍ର’ ଘୋଷଣା କରିଥିଲେ।

ସୂଚନାଯୋଗ୍ୟ, ଉକ୍ତ ମ୍ୟାଚରେ ଇଂଲଣ୍ଡ ପ୍ରଥମ ଇନିଂସରେ ୧୮୩ ରନରେ ଅଲଆଉଟ୍ ହୋଇଥିଲା। ଜବାବରେ ଭାରତ ୨୭୮ ରନ୍ କରି ୯୫ ରନର ମହତ୍ତ୍ୱପୂର୍ଣ୍ଣ ଅଗ୍ରଣୀ ହାସଲ କରିଥିଲେ। କ୍ୟାପଟେନ୍ ଜୋ ରୁଟଙ୍କ ଶତକ ବଳରେ ଇଂଲଣ୍ଡ ଦ୍ୱିତୀୟ ଇନିଂସରେ ୩୦୩ ରନ୍ କରି ଭାରତକୁ ୨୦୯ ରନର ଟାର୍ଗେଟ୍ ଦେଇଥିଲା। ଚତୁର୍ଥ ଦିବସ ଶେଷ ସୁଦ୍ଧା ରୋହିତ୍ ଶର୍ମା ୩୪ ବଲରେ ୧୨ ଓ ଚେତେଶ୍ୱର ପୂଜାରା ୧୩ ବଲରେ ୧୨ ରନ୍ କରି ଅପରାଜିତ ଥିଲେ। ଲୋକେଶ ରାହୁଲ ୨୬ ରନ୍ କରି ଆଉଟ୍ ହୋଇଥିଲେ। ଭାରତ ପକ୍ଷରୁ ଯଶପ୍ରୀତ ବୁମ୍ରା ମ୍ୟାଚରେ ମୋଟ ୯ ୱିକେଟ୍ ନେଇଛନ୍ତି ।

Comments are closed.