ଲୋକସଭାରେ ଆଜି ଆଗତ ହେବ ଓବିସି ବିଲ୍‌, ରାଜ୍ୟଙ୍କୁ ମିଳିବ ପଛୁଆ ବର୍ଗ ତାଲିକା ପ୍ରସ୍ତୁତ କରିବାର ଅଧିକାର

ନୂଆଦିଲ୍ଲୀ: କେନ୍ଦ୍ର ସରକାର ଆଜି ଲୋକସଭାରେ ଓବିସି (ସଂଶୋଧନ) ବିଲ୍ ଉପସ୍ଥାପନ କରିବେ । ମୌସୁମୀ ଅଧିବେଶନ ଆରମ୍ଭରୁ ପେଗାସସ୍‌, କୃଷି ଆଇନ ଓ ତୈଳଦର ବୃଦ୍ଧି ନେଇ ସଂସଦର ହଙ୍ଗାମା କରୁଥିବା ବିରୋଧୀ ଦଳମାନେ କିନ୍ତୁ ଓବିସି ବିଲ୍‌କୁ ସମର୍ଥନ ଜଣାଇଛନ୍ତି । ଏହି ବିଲ୍ ରାଜ୍ୟମାନଙ୍କୁ ନିଜର ପଛୁଆ ବର୍ଗ ତାଲିକା ପ୍ରସ୍ତୁତ କରିବାକୁ ଅଧିକାର ପ୍ରଦାନ କରିବ ।

ସମ୍ବିଧାନ ସଂଶୋଧନ ବିଲ୍ ପାରିତ ହେବା ପାଇଁ ସଂସଦର ଦୁଇ ତୃତୀୟାଂଶ ସମର୍ଥନ ଆବଶ୍ୟକ । ତେବେ ସବୁ ବିରୋଧୀ ଦଳଙ୍କ ସମର୍ଥନ ରହିଥିବାରୁ ଓବିସି ବିଲ୍ ସହଜରେ ପାରିତ ହେବ ବୋଲି ମନେ କରାଯାଉଛି ।

ମରାଠା କୋଟା ବିବାଦ ପରେ କେନ୍ଦ୍ର ଓବିସି ବିଲ୍ ଆଣିବାକୁ ନିଷ୍ପତ୍ତି ନେଇଛି । ଚଳିତ ବର୍ଷ ମେ’ରେ ମରାଠା ମାନଙ୍କ ପାଇଁ ସଂରକ୍ଷଣ ବ୍ୟବସ୍ଥା ସମ୍ବନ୍ଧୀୟ ମହାରାଷ୍ଟ୍ର ସରକାରଙ୍କ ପ୍ରଣୀତ ଆଇନକୁ ସୁପ୍ରିମକୋର୍ଟ ଖାରଜ କରିଦେଇଥିଲେ । ସୁପ୍ରିମକୋର୍ଟ କହିଥିଲେ ଯେ, ପଛୁଆ ବର୍ଗ ମାମଲାରେ କେବଳ କେନ୍ଦ୍ର ହିଁ ତାଲିକା ପ୍ରସ୍ତୁତ କରିପାରିବ । ରାଜ୍ୟମାନେ କେବଳ ଏହି ମାମଲାରେ କେନ୍ଦ୍ରକୁ ପ୍ରସ୍ତାବ ଦେଇପାରିବେ ବୋଲି ସର୍ବୋଚ୍ଚ ନ୍ୟାୟାଳୟ କହିଥିଲେ ।

Comments are closed.