କୁନି ପ୍ରତିଭା ଡି.ହରେକ୍ରିଷ୍ଣା: ବୈଜ୍ଞାନିକ ନାମ ଉଚ୍ଚାରଣରେ ମାଷ୍ଟର

ମାତ୍ର ୧୩୫ ସେକଣ୍ଡରେ ସେ କହିପାରନ୍ତି ୬୫ଟି ବୈଜ୍ଞାନିକ ନାମ। ସେ ଉଦ୍ଭିଦ ହେଉ ବା ପନିପରିବା ଅଥବା ଫଳ, ପକ୍ଷୀ ହୁଅନ୍ତୁ କିମ୍ବା ପଶୁ କିମ୍ବା ସୂକ୍ଷ୍ମ ଜୀବନ୍ତ ପ୍ରାଣୀ, କମ୍ ସମୟରେ ଅଧିକ ଜୀବଧାରୀଙ୍କ ବୈଜ୍ଞାନିକ ନାମ ସେ ଅତି ସହଜରେ କହିପାରନ୍ତି। ସେଥିପାଇଁ ତ ତାଙ୍କ ନାମ ଏବେ ଏସିଆ ବୁକ୍ ଅଫ୍ ରେକର୍ଡସରେ ସ୍ଥାନୀତ ହୋଇପାରିଛି। ତେବେ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ ଏଭଳି ନିଆରା ପ୍ରତିଭା ସମ୍ପନ୍ନ ରେକର୍ଡଧାରୀଙ୍କ ବୟସ ହେଉଛି ମାତ୍ର ୫ ବର୍ଷ ୧୦ ମାସ। ସେ ହେଉଛନ୍ତି ମୂଳତଃ ବ୍ରହ୍ମପୁର ଗୋଇଲୁଣ୍ଡି ବଡ଼ ସାହି ବାସିନ୍ଦା ଇଁ ଡି.ଲୋକରାଜ ପାତ୍ର ଓ ଶିକ୍ଷୟିତ୍ରୀ ସୋନମ ପାତ୍ରଙ୍କ ପୁଅ ଡି.ହରେକ୍ରିଷ୍ଣା ପାତ୍ର। ଯଦିଓ ସେମାନେ ବାଙ୍ଗାଲୁରୁରେ ବସବାସ କରନ୍ତି ତେବେ କୋଭଡ୍ ସଙ୍କଟ ହେତୁ ନିଜ ବାସଘର ବ୍ରହ୍ମପୁରରେ ଏବେ ଦିନ କଟୁଛି। ଆଉ ଏହି ସମୟରେ ହରେକ୍ରିଷ୍ଣା ଅର୍ଜନ କରିଛନ୍ତି ୪ ଗୋଟି ଉଲ୍ଲେଖନୀୟ ସଫଳତା।

ଏସିଆ ବୁକ୍ ଅଫ ରେକର୍ଡସ୍ ବ୍ୟତୀତ କାଲାମସ୍ ଓ୍ବର୍ଲଡ୍ ରେକର୍ଡସ୍ (୧୩୮ ସେକଣ୍ଡରେ ୬୨ଟି ବୈଜ୍ଞାନିକ ନାମ), ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ୍ (୮୫ ସେକଣ୍ଡରେ ୩୫ଟି ନାମ) ଓ ଇଣ୍ଡିଆସ୍ ଓ୍ବର୍ଲଡ୍ ରେକର୍ଡସ୍ (୯୨ ସେକଣ୍ଡରେ ୩୦ଟି ନାମ)ରେ ମଧ୍ୟ ହରେକ୍ରିଷ୍ଣାଙ୍କ ନାମ ଓ ରେକର୍ଡ ଲିପିବଦ୍ଧ ହୋଇ ସାରିଛି। ତାହା ପୁଣି ଚଳିତ ବର୍ଷ ମାର୍ଚ୍ଚ ୨୫ରୁ ଜୁଲାଇ ୧୬ ତାରିଖ ମଧ୍ୟରେ ଏସବୁ ରେକର୍ଡସ୍ ନିଜ ନାମରେ କରାଇ ପାରିଛନ୍ତି ଡି.ଏଚ୍.ପାତ୍ର। କମ୍ ସମୟରେ ସର୍ବାଧିକ ବୈଜ୍ଞାନିକ ନାମ ଉଚ୍ଚାରଣ କରି ପାରୁଥିବା ସର୍ବକନିଷ୍ଠ ଶିଶୁ ଭାବେ ସେ ଏବେ ସୁପରିଚିତ।

ହରେକ୍ରିଷ୍ନା ଏବେ ୟୁକେଜି ଷ୍ଟାଣ୍ଡାର୍ଡର ଛାତ୍ର। ହେଲେ ତାଙ୍କର ପ୍ରତିଭା ଧୀରେ ଧୀରେ ବେଶ୍ ଚର୍ଚ୍ଚାକୁ ଆସିଲାଣି। କେବଳ ବୁଦ୍ଧିମାନ ନୁହେଁ, ନିଜସ୍ବ ଆଗ୍ରହ ଓ ଜିଜ୍ଞାସା ହେତୁ ଅନ୍ୟ ପିଲାଙ୍କ ପାଇଁ କାଠିକର ମନେ ହେଉଥିବା ଏଭଳି ଅସାଧାରଣ ଜ୍ଞାନରେ ପାରଙ୍ଗମ ହରେକ୍ରିଷ୍ଣା। କେବଳ ଉଚ୍ଚାରଣ ନୁହେଁ, ବରଂ ଇଁରାଜୀ, ଓଡ଼ିଆ, ତେଲୁଗୁ, ହିନ୍ଦୀ ଆଦି ବିଭିନ୍ନ ଭାଷାରେ ବୈଜ୍ଞାନିକ ନାମକୁ କହିପାରନ୍ତି ଏହି କୁନି ପ୍ରତିଭା ଜଣକ। ଅଗଷ୍ଟ ମାସ ୭ ତାରିଖରେ ଏସିଆ ବୁକ୍ ଅଫ୍ ରେକର୍ଡସ୍ ପ୍ରମାଣପତ୍ର ତାଙ୍କ ପିତା ମାତାଙ୍କ ହସ୍ତଗତ ହୋଇଛି।

କୌଣସି ନୂଆ କଥା, ଶବ୍ଦ ଶିଖିବାକୁ ହରେକ୍ରିଷ୍ଣାଙ୍କ ମନରେ ରହିଛି ବେଶ୍ ଆଗ୍ରହ ଓ ଜିଜ୍ଞାସା। କିଛି ମାସ ତଳେ ଏକଦା ମାଆ ସୋନମ୍ ଲକଡାଉନ୍ ହେତୁ ଅନଲାଇନରେ ଛାତ୍ର ଛାତ୍ରୀଙ୍କୁ ବିଜ୍ଞାନ ଶିକ୍ଷା ଦେଉଥିଲେ। ବିଭିନ୍ନ ଜୀବନ୍ତ ପଦାର୍ଥ, ଫଳର ବିଜ୍ଞାନପ୍ରଦତ୍ତ ନାମ ପିଲାଙ୍କୁ ବୁଝାଉଥିଲେ। ଅନ୍ୟ ଏକ କୋଠରୀରେ ରହି ତାହାକୁ ଧ୍ୟାନପୂର୍ବକ ଶୁଣୁଥିଲେ ହରେକ୍ରିଷ୍ଣା। ପରଦିନ ପାଠ ରିଭିଜନ୍ ବା ପୁନରାବୃତ୍ତି ବେଳେ ପିଲାମାନଙ୍କୁ ପ୍ରଶ୍ନ ପଚାରିବା ସମୟରେ ହରେକ୍ରିଷ୍ଣା ସ୍ବତଃପ୍ରବୃତ୍ତ ଭାବେ ନିଜେ ଉତ୍ତର ଦେଇଥିଲେ। ସେହିଦିନ ପୁଅର ଏହି ପ୍ରତିଭା ସମ୍ପର୍କରେ ଜାଣି ପାରିଥିଲେ ସୋନମ। ପରେ ପୁଅକୁ ଏ ସମ୍ପର୍କରେ ଶିକ୍ଷା ଦେଇଥିଲେ। ଉଲ୍ଲେଖନୀୟ ଭାବେ ନିଜେ ହରେକ୍ରିଷ୍ଣା ଆଗ୍ରହ ଦେଖାଇ ଏସବୁ ଶିଖିଥିଲେ। ସୌରମଣ୍ଡଳ ଅଥବା ବିଶ୍ବବ୍ରହ୍ମାଣ୍ଡ ବାବଦରେ ସେ ବହୁତ କିଛି ଜ୍ଞାନ ହାସଲ କରିଲେଣି। ଏ ବାବଦ ଅନେକ ପ୍ରଶ୍ନର ସରଳ ଭାବରେ ଉତ୍ତର ଦେଇ ପାରନ୍ତି ଏହି ୟୁକେଜି ବିଦ୍ୟାର୍ଥୀ ଜଣକ। ଘରେ ବସି ଖେଳିବା ଓ ପଢିବା ମଧ୍ୟରେ ହରେକ୍ରିଷ୍ଣା ଜଟିଳ ପାଠକୁ ସହଜରେ ସ୍ମରଣ କରିବା ଶିଖି ପାରିଛନ୍ତି। ସେଥିପାଇଁ ତ ଗୋଟିଏ ପରେ ଗୋଟିଏ ରେକର୍ଡସ୍ ବୁକରେ ହରେକ୍ରିଷ୍ଣାଙ୍କ ନାମ ସାମିଲ ହେବାରେ ଲାଗିଛି।

Comments are closed.