ଆଜି ଲୋକସଭାରେ ପାରିତ ହେବ ଓବିସି ବିଲ୍

ନୂଆଦିଲ୍ଲୀ: ଲୋକସଭାରେ ସରକାର ଅନ୍ୟାନ୍ୟ ପଛୁଆ ବର୍ଗ (ଓବିସି) ସହ ଜଡିତ ‘ସମ୍ବିଧାନ (୧୨୭ ତମ ସଂଶୋଧନ) ବିଲ୍, ୨୦୨୧’ ଉପସ୍ଥାପନ କରିଛନ୍ତି। ସମସ୍ତ ବିରୋଧୀ ଦଳ ଏକ ସ୍ୱରରେ ଏହାକୁ ସମର୍ଥନ ଜଣାଇଛନ୍ତି। ଏହା ଆଜି ଲୋକସଭାରେ ପାରିତ ହେବା ସମ୍ଭାବନା ରହିଛି । ସୋମବାର ଏହି ବିଲ୍ ଆଗତ କରିବା ପରେ ସାମାଜିକ ନ୍ୟାୟ ଏବଂ ସଶକ୍ତିକରଣ ମନ୍ତ୍ରୀ ଡକ୍ଟର ବିରେନ୍ଦ୍ର କୁମାର ଏହାକୁ ଏହି ଅଧିବେଶନରେ ପାରିତ କରିବାକୁ ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ଅନୁରୋଧ କରିଥିଲେ। ଏହି ଅଧିବେଶନ ଆରମ୍ଭରୁ ସଂସଦରେ ହଟ୍ଟଗୋଳ ସୃଷ୍ଟି କରିଥିବା ସମସ୍ତ ରାଜନୈତିକ ଦଳକୁ ମଧ୍ୟ ଓବିସି ବିଲ୍ କୁ ସମର୍ଥନ ପୂର୍ବକ ଏହାକୁ ସର୍ବସମ୍ମତି କ୍ରମେ ପାରିତ କରିବାକୁ ମନ୍ତ୍ରୀ ବିରେନ୍ଦ୍ର କୁମାର ଅନୁରୋଧ କରିଥିଲେ।

ଏହି ବିଲ୍ ଆଇନରେ ପରିଣତ ହେଲେ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳଗୁଡିକ ଓବିସି ତାଲିକା ପ୍ରସ୍ତୁତ କରିବାକୁ କ୍ଷମତା ମିଳିବ। ଚଳିତ ବର୍ଷ ମେ ୫ରେ ସୁପ୍ରିମକୋର୍ଟ ସଂରକ୍ଷଣ ସୀମା ଉପରେ ପୁନର୍ବିଚାର ଆବେଦନକୁ ଖାରଜ କରିଥିଲେ। ସୁପ୍ରିମକୋର୍ଟ କହିଥିଲେ ଯେ ୧୦୨ତମ ସାମ୍ବିଧାନିକ ସଂଶୋଧନ ପରେ କେବଳ କେନ୍ଦ୍ରର ଓବିସି ତାଲିକା ଜାରି କରିବାର ଅଧିକାର ରହିଛି। ଏବେ କେନ୍ଦ୍ର ସରକାର ସମ୍ବିଧାନ ସଂଶୋଧନ ବିଲ୍ ଆଣି ରାଜ୍ୟମାନଙ୍କୁ ପଛୁଆ ବର୍ଗ ଚିହ୍ନଟ କରି ତା’ର ତାଲିକା ପ୍ରସ୍ତୁତ କରିବାକୁ କ୍ଷମତା ଦେବାକୁ ଚାହୁଁଛନ୍ତି।

Comments are closed.