କ୍ରିସ୍ କେର୍ନସଙ୍କ ଅବସ୍ଥା ଗୁରୁତର, ଲାଇଫ୍ ସପୋର୍ଟ ସିଷ୍ଟମରେ ରଖାଗଲା

କାନବେରା: ନ୍ୟୁଜିଲାଣ୍ଡର ପୂର୍ବତନ ଅଲରାଉଣ୍ଡର କ୍ରିସ୍ କେର୍ନସଙ୍କ ଅବସ୍ଥା ସଙ୍କଟାପନ୍ନ ହୋଇପଡିଛି । ଅଷ୍ଟ୍ରେଲିଆର ଏକ ହସ୍ପିଟାଲରେ କେର୍ନସ ଏବେ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି। ସ୍ବାସ୍ଥ୍ୟାବସ୍ଥା ଗୁରୁତର ହେବା ପରେ କ୍ରିସ୍ କେର୍ନସଙ୍କୁ ଲାଇଫ୍ ସପୋର୍ଟ ସିଷ୍ଟମରେ ରଖାଯାଇଛି। କିଛି ସମୟ ଧରି କେର୍ନସ ତାଙ୍କ ପରିବାର ସହିତ ଅଷ୍ଟ୍ରେଲିଆର କାନବେରାରେ ରହି ସ୍ମାର୍ଟସପୋର୍ଟ ନାମକ ଏକ କମ୍ପାନୀରେ କାର୍ଯ୍ୟ କରୁଥିଲେ। ୫୧ ବର୍ଷୀୟ କ୍ରିସ୍ କେର୍ନସ ନ୍ୟୁଜିଲାଣ୍ଡ ପାଇଁ ୬୨ଟି ଟେଷ୍ଟ ଏବଂ ୨୧୫ ଦିନିକିଆ ଅନ୍ତର୍ଜାତୀୟ ଖେଳିଛନ୍ତି । ତାଙ୍କ ସମୟର ସେ ବିଶ୍ବର ଶ୍ରେଷ୍ଠ ଅଲରାଉଣ୍ଡରମାନଙ୍କ ମଧ୍ୟରେ ଗଣା ଯାଉଥିଲେ |

ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ହୃଦ୍ ସମସ୍ୟା ଯୋଗୁଁ କେର୍ନସଙ୍କ ଏକାଧିକ ଅସ୍ତ୍ରୋପଚାର ହୋଇଥିଲା, କିନ୍ତୁ ତାଙ୍କ ଅବସ୍ଥାରେ କୌଣସି ସୁଧାର ଆସିନଥିଲା। କେର୍ନସ୍ ଏଆର୍ଟିକ୍ ଡିସେକସନ ରୋଗ ସହ ଲଢୁଛନ୍ତି | ଏହା ଏକ ହୃଦ୍ ରୋଗ ଯେଉଁଥିରେ ଶରୀରର ମୁଖ୍ୟ ଧମନୀ (ଆର୍ଟରି) ଫାଟିଯାଏ |

କେର୍ନସଙ୍କ ବିରୋଧରେ ମ୍ୟାଚ୍ ଫିକ୍ସିଂ ଅଭିଯୋଗ ମଧ୍ୟ ଆସିଥିଲା । ତେବେ ପରେ ସେ ଏହି ଅଭିଯୋଗରୁ ନିର୍ଦ୍ଦୋଷରେ ଖଲାସ ହୋଇଥିଲେ। ଏକ ସମୟ ଥିଲା ଯେତେବେଳେ କେର୍ନସଙ୍କୁ ଟ୍ରକ୍ ଚଳାଇ ଗୁଜୁରାଣ ମେଣ୍ଟାଇବାକୁ ପଡୁଥିଲା | ନ୍ୟୁଜିଲାଣ୍ଡ ପାଇଁ କେର୍ନ୍ସ ଟେଷ୍ଟରେ ୩୩୨୦ ଏବଂ ୱାନ ଡେ ଇଣ୍ଟରନ୍ୟାସନାଲରେ ୪୯୫୦ ରନ୍ ସ୍କୋର କରିଛନ୍ତି | ଏହା ବ୍ୟତୀତ ୨୧୮ ଟେଷ୍ଟ ଏବଂ ୨୦୧ ୱାନ ଡେ ଇଣ୍ଟରନ୍ୟାସନାଲ ୱିକେଟ୍ ମଧ୍ୟ ତାଙ୍କ ଆକାଉଣ୍ଟରେ ରେକର୍ଡ କରାଯାଇଛି | ସେ ଜଣେ ଡାହାଣହାତୀ ବ୍ୟାଟ୍ସମ୍ୟାନ୍ ଏବଂ ମିଡିୟମ ପେସ୍ ବୋଲର ଥିଲେ।

Comments are closed.