ଜାରି ହେଲା ଏସଓପି : ଅଗଷ୍ଟ ୧୬ରେ ଖୋଲିବ ଶ୍ରୀମନ୍ଦିର, ପ୍ରଥମ ପାଂଚ ଦିନ କେବଳ ପୁରୀ ଲୋକେ କରିବେ ଦିଅଁ ଦର୍ଶନ, ୨୩ରୁ ସର୍ବସାଧାରଣ

ପୁରୀ – ଶ୍ରୀମନ୍ଦିର ପୁଣି ଭକ୍ତଙ୍କ ପାଇଁ ଖୋଲିବା ଲାଗି ଏସଓପି ଜାରି କରାଯାଇଛି । ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏହି ଏସଓପି ଜାରି କରାଯାଇଛି । କୋଭିଡ ଯୋଗୁଁ ବନ୍ଦ ଥିବା ଏହିମାସ ୧୬ ତାରିଖରୁ ଶ୍ରୀମନ୍ଦିର ପୁଣି ଖୋଲିବ । କିନ୍ତୁ ସର୍ବସାଧାରଣଙ୍କ ପାଇଁ ମନ୍ଦିର ଖୋଲିବା ଆଗରୁ ଏହି ମାସ ୧୨ ଓ ୧୩ ତାରିଖରେ ମନ୍ଦିର ସେବାୟତଙ୍କ ପରିବାର ସଦସ୍ୟମାନେ ଦିଅଁ ଦର୍ଶନ କରିବେ । ଶ୍ରୀମନ୍ଦିର ଭକ୍ତଙ୍କ ପାଇଁ ଖୋଲିଲା ପରେ ସକାଳ ୭ଟାରୁ ସଂଧ୍ୟା ୭ଟା ଯାଏଁ ଦର୍ଶନ ଟାଇମିଂ ରହିଛି । ଅଗଷ୍ଟ ୧୬ରୁ ୨୦ ତାରିଖ ଯାଏଁ କେବଳ ପୁରୀ ସହରର ବାସିନ୍ଦାଙ୍କ ପାଇଁ ଦର୍ଶନ ବ୍ୟବସ୍ଥା ରହିବ । ଅଗଷ୍ଟ ୨୩ ତାରିଖରୁ ରାଜ୍ୟର ସବୁ ଅଂଚଳରେ ଲୋକେ ଶ୍ରୀମନ୍ଦିରରେ ଜଗା ଦର୍ଶନ କରିପାରିବେ । ବିଶୋଧନ ପାଇଁ ସବୁ ଶନିବାର ଓ ରବିବାର ମନ୍ଦିର ଦର୍ଶନାର୍ଥୀଙ୍କ ପାଇଁ ବନ୍ଦ ରହିବ । ପ୍ରମୁଖ ପର୍ବପର୍ବାଣୀଗୁଡିକରେ ମଧ୍ୟ ଭକ୍ତଙ୍କ ପାଇଁ ମନ୍ଦିର ବନ୍ଦ ରହିବ । ଭିଡ ଓ କୋରୋନା ନିୟନ୍ତ୍ରଣ ପାଇଁ ଏହି ନିଷ୍ପତ୍ତି ନିଆଯାଇଛି ।

ମନ୍ଦିର ବାହାରେ ଓ ଭିତରେ ସବୁ ଭକ୍ତ ମାସ୍କ ପରିଧାନ କରିବା ବାଧ୍ୟତାମୂଳକ । ମନ୍ଦିର ଭିତରେ ପ୍ରବେଶ ପୂର୍ବରୁ ଭକ୍ତମାନେ ହାତ ଧୋଇବେ । ଭକ୍ତଙ୍କ ମଧ୍ୟରେ ସାମାଜିକ ଦୂରତା ରହିବା ବାଧ୍ୟତାମୂଳକ । ମନ୍ଦିର ଭିତରେ କୌଣସି ବିଗ୍ରହ ଓ ସାମଗ୍ରୀକୁ ଛୁଇଁବା ପାଇଁ ଭକ୍ତମାନଙ୍କୁ ବାରଣ କରାଯାଇଛି । ଫୁଲ, ଭୋଗ ମନ୍ଦିର ଭିତରକୁ ନେଇପାରିବେ ନାହିଁ ଭକ୍ତ । ଦୀପ ଜାଳିବାକୁ ବି ମନା ହୋଇଛି ।

Comments are closed.