ଆଜିଠୁ ଭାରତ-ଇଲଣ୍ଡ ଦ୍ୱିତୀୟ ଟେଷ୍ଟ, ଆହତ ଶାର୍ଦୁଲଙ୍କ ସ୍ଥାନରେ ଅଶ୍ଵିନୀଙ୍କୁ ମିଳିପାରେ ସୁଯୋଗ

ଲଣ୍ଡନ: ଭାରତ ଓ ଇଂଲଣ୍ଡ ମଧ୍ୟରେ ଦ୍ୱିତୀୟ ଟେଷ୍ଟ ଗୁରୁବାର ଠାରୁ ଐତିହାସିକ ଲର୍ଡ୍ସ ଗ୍ରାଉଣ୍ଡରେ ଆରମ୍ଭ ହେଉଛି । ପ୍ରଥମ ଟେଷ୍ଟରେ ବର୍ଷା ଯୋଗୁଁ ସମ୍ଭାବ୍ୟ ବିଜୟରୁ ବଞ୍ଚିତ ହୋଇଥିବା ଭାରତ ଦ୍ୱିତୀୟ ଟେଷ୍ଟରେ ଉନ୍ନତ ବ୍ୟାଟିଂ ପ୍ରଦର୍ଶନ ଲକ୍ଷ୍ୟରେ ରହିବ । ଦ୍ରୁତ ବୋଲର ଶାର୍ଦ୍ଦୁଲ ଠାକୁର ଆହତ ହୋଇଥିବା ବେଳେ ତାଙ୍କ ସ୍ଥାନରେ ଦଳର ଶ୍ରେଷ୍ଠ ସ୍ପିନର ରବିଚନ୍ଦ୍ରନ ଅଶ୍ୱିନଙ୍କୁ ଖେଳାଇବା ପାଇଁ ବିଚାର କରିପାରନ୍ତି ଅଧିନାୟକ ବିରାଟ କୋହଲି ।

ନଟିଂହାମରେ ଅନୁଷ୍ଠିତ ପ୍ରଥମ ଟେଷ୍ଟ ବର୍ଷା ଯୋଗୁଁ ଅମୀମାଂସିତ ଭାବେ ଶେଷ ହୋଇଥିଲା । ଭାରତ ଉକ୍ତ ଟେଷ୍ଟ ଜିତିବା ପାଇଁ ଭଲ ସ୍ଥିତିରେ ଥିଲା । ଇଂଲଣ୍ଡ ପ୍ରଦତ୍ତ ୨୦୯ ରନର ବିଜୟଲକ୍ଷ୍ୟ ଜବାବରେ ଭାରତକୁ ଶେଷ ଦିନରେ ଆଉ ମାତ୍ର ୧୫୭ ରନ୍ ଆବଶ୍ୟକ ହେଉଥିଲା । ହେଲେ ଲଗାଣ ବର୍ଷା ଯୋଗୁଁ ଶେଷ ଦିନର ଖେଳ ଗୋଟିଏ ବି ବଲ୍ ପଡ଼ିବା ବିନା ଧୋଇ ହୋଇଯାଇଥିଲା । ପ୍ରଥମ ଟେଷ୍ଟରେ ଭାରତର ତାରକା ଖଚିତ ବ୍ୟାଟିଂ କିନ୍ତୁ ଆଶାନୁରୂପ ପ୍ରଦର୍ଶନ କରିବାରେ ବିଫଳ ହୋଇଥିଲା । ପ୍ରଥମ ଇନିଂସରେ ଭାରତ ମାତ୍ର ୨୭୮ ରନ୍ କରିବାକୁ ସମର୍ଥ ହୋଇଥିଲା । ବିରାଟ କୋହଲି ଖାତା ଖୋଲି ପାରିନଥିଲେ । ଚେତେଶ୍ୱର ପୂଜାରା ଓ ଅଜିଙ୍କ୍ୟ ରାହାଣେ ମଧ୍ୟ ଫେଲ୍ ମାରିଥିଲେ ।

ଭାରତର ଏହି ଟପ୍ ତିନି ବ୍ୟାଟ୍ସମ୍ୟାନ୍ ଗତ ଦୁଇ ବର୍ଷ ଧରି ବଡ଼ ସ୍କୋର କରିବାରେ ସଂଘର୍ଷ କରୁଛନ୍ତି । ଯଦିଓ ଗତବର୍ଷ ମେଲବୋର୍ଣ୍ଣ ଟେଷ୍ଟରେ ରାହାଣେ ଏକ ମ୍ୟାଚ୍ ବିଜୟୀ ଶତକ ହାସଲ କରିଥିଲେ, ତା’ ପରଠୁ ତାଙ୍କ ବ୍ୟାଟ୍ ରୁ ରନ୍ ଶୁଖିଯାଇଛି । କୋହଲି ଓ ପୂଜାରା ଭଲ ଷ୍ଟାର୍ଟକୁ ତିନି ଅଙ୍କ ସ୍କୋରରେ ପରିଣତ କରିପାରି ନାହାନ୍ତି ।

ଠାକୁରଙ୍କ ଆଘାତ ସମସ୍ୟା ଯୋଗୁଁ ଭାରତୀୟ ଏକାଦଶରେ ପରିବର୍ତ୍ତନ ହେବା ନିଶ୍ଚିତ । ଠାକୁରଙ୍କ ହାମଷ୍ଟ୍ରିଙ୍ଗ୍ ସମସ୍ୟା ଯୋଗୁଁ ନିମ୍ନଭାଗ ବ୍ୟାଟିଂ ସନ୍ତୁଳନ ବିଗିଡ଼ି ଯାଇପାରେ । ଠାକୁରଙ୍କ ସ୍ଥାନରେ ଅଶ୍ୱିନ ଚୂଡାନ୍ତ ଏକାଦଶକୁ ଫେରିବା ସମ୍ଭାବନା ରହିଛି । ରବୀନ୍ଦ୍ର ଜାଡେଜାଙ୍କ ବ୍ୟାଟିଂ ଦକ୍ଷତା ଦୃଷ୍ଟିରୁ ପ୍ରଥମ ଟେଷ୍ଟରେ ଅଶ୍ୱିନ ଚୂଡାନ୍ତ ଏକାଦଶରେ ସ୍ଥାନ ପାଇନଥିଲେ । ସୋମବାର ଲର୍ଡ୍ସରେ ଅଭ୍ୟାସ ବେଳେ ଠାକୁର ଆଘାତପ୍ରାପ୍ତ ହୋଇଥିଲେ । ତେବେ ତାଙ୍କର ଏହି ହାମଷ୍ଟ୍ରିଙ୍ଗ୍ ସମସ୍ୟା ପ୍ରଥମ ଟେଷ୍ଟ ବେଳେ ଆରମ୍ଭ ହୋଇଥିଲା ନା ନାହିଁ ସ୍ପଷ୍ଟ ହୋଇନାହିଁ । ଦ୍ୱିତୀୟ ଟେଷ୍ଟରୁ ଠାକୁର ବଞ୍ଚିତ ହେବା ନିଶ୍ଚିତ ଥିବା ବେଳେ କୋହଲି ୪-୧ ବୋଲିଂ କମ୍ବିନେସନ ସହ ପଡିଆକୁ ଓହ୍ଲାଇ ପାରନ୍ତି ।

ଲର୍ଡସରେ ଇଂଲଣ୍ଡ ସବୁଜ ପିଚ୍ ପ୍ରସ୍ତୁତ କରିବା ସମ୍ଭାବନାକୁ ଏଡାଇ ଦେଇ ହେବ ନାହିଁ । ୨୦୧୮ରେ ଯେବେ ଏଠାରେ ଦୁଇ ଦଳ ମୁହାଁମୁହିଁ ହୋଇଥିଲେ, ଦୁଇ ଦିନ ମଧ୍ୟରେ ଭାରତୀୟ ବ୍ୟାଟିଂ ଦୁଇଥର ଧରାଶାୟୀ ହୋଇଥିଲା । ଉକ୍ତ ଟେଷ୍ଟରେ ଇଂଲଣ୍ଡ ପାଇଁ ଅଲରାଉଣ୍ଡର କ୍ରିସ୍ ୱକ୍ସ ହିରୋ ସାଜିଥିଲେ । ଯଦି ପିଚ୍ ଶୁଖିଲା ରୁହେ, ତେବେ ଭାରତ ଉଭୟ ଜାଡେଜା ଓ ଅଶ୍ୱିନଙ୍କୁ ଖେଳାଇବାକୁ ପଛଘୁଞ୍ଚା ଦେବ ନାହିଁ । ଉଭୟ ସ୍ପିନର ଇଂଲଣ୍ଡର ସଂଘର୍ଷରତ ବ୍ୟାଟିଂ ଲାଇନ ଅପକୁ ଅସୁବିଧାରେ ପକାଇ ପାରନ୍ତି ।

ଇଂଲଣ୍ଡର ବ୍ୟାଟିଂ ମଧ୍ୟ ଗତ କିଛି ସିରିଜ ଧରି ସଂଘର୍ଷ କରିଆସିଛି । ପ୍ରଥମ ଟେଷ୍ଟରେ ମଧ୍ୟ ତାର ଉଦାହରଣ ଦେଖିବାକୁ ମିଳିଥିଲା । ଇଂଲଣ୍ଡ ନଟିଂହାମ ଟେଷ୍ଟର ପ୍ରଥମ ଟେଷ୍ଟରେ ମାତ୍ର ୧୮୩ ରନ୍ କରି ଅଲଆଉଟ୍ ହେବା ପରେ ଦ୍ୱିତୀୟ ଇନିଂସରେ ବି ପ୍ରାରମ୍ଭିକ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା । ଅଧିନାୟକ ଜୋ ରୁଟଙ୍କ ୨୧ତମ ଶତକ ସହ ଦଳକୁ ବିପର୍ଯ୍ୟୟରୁ ମୁକୁଳାଇଥିଲେ । ଇଂଲଣ୍ଡ ଦଳରେ ମଧ୍ୟ ପରିବର୍ତ୍ତନ ସମ୍ଭାବନା ରହିଛି । ଓପନର ରରି ବର୍ନସଙ୍କ ସ୍ଥାନରେ ହାସିବ ହମିଦଙ୍କୁ ସୁଯୋଗ ମିଳିପାରେ । ଭାରତ ବିପକ୍ଷ ଅଭ୍ୟାସ ମ୍ୟାଚରେ ହମିଦ୍ ଇନିଂସ୍ ଓପନ୍ କରି ଶତକ ହାସଲ କରିଥିଲେ । ସେହିପରି ସିନିୟର ପେସର ଷ୍ଟୁଆର୍ଟ ବ୍ରଡ୍ ଆହତ ଥିବାରୁ ତାଙ୍କ ସ୍ଥାନରେ ମୋଇନ ଅଲ୍ଲୀଙ୍କୁ ଚୂଡାନ୍ତ ଏକାଦଶରେ ସାମିଲ କରିବ ଇଂଲଣ୍ଡ ।

ଯଦି ଭାରତ ୪ ପେସର ରଣନୀତି ବଜାୟ ରଖେ, ତେବେ ଶାର୍ଦ୍ଦୁଲଙ୍କ ସ୍ଥାନରେ ଈଶାନ୍ତ ଶର୍ମା କିମ୍ବା ଉମେଶ ଯାଦବଙ୍କୁ ସୁଯୋଗ ମିିଳିପାରେ । ପ୍ରଥମ ଟେଷ୍ଟ ପରେ କୋହଲି କହିଥିଲେ ଯେ, ସ୍ଥିତିକୁ ଦେଖି ଚୂଡାନ୍ତ ଏକାଦଶ ଚୟନ କରାଯିବ । ଯଦି ଲର୍ଡ୍ସରେ ସ୍ପିନରଙ୍କୁ ସୁହାଇବା ଭଳି ପିଚ୍ ହୁଏ, ତେବେ ଠାକୁରଙ୍କ ସ୍ଥାନରେ ଅଶ୍ୱିନଙ୍କୁ ମଧ୍ୟ ସୁଯୋଗ ମିଳିପାରେ ।
ବ୍ୟାଟିଂ ଲାଇନ୍ ଅପ୍ ଅପରିବର୍ତ୍ତିତ ରହିବା ନିଶ୍ଚିତ । ଅଭ୍ୟାସ ବେଳେ ମୁଣ୍ଡରେ ବଲ ବାଜିବାରୁ ସତର୍କତା ଦୃଷ୍ଟିରୁ ତାଙ୍କୁ ପ୍ରଥମ ଟେଷ୍ଟ ପାଇଁ ବିଚାର କରାଯାଇନଥିଲା । ତାଙ୍କ ସ୍ଥାନରେ କେଏଲ ରାହୁଲ ଖେଳିଥିଲେ ଏବଂ ରୋହିତଙ୍କ ସହ ଇନିଂସ୍ ଓପନ୍ କରିଥିଲେ । ରାହୁଲ ପ୍ରଥମ ଟେଷ୍ଟରେ ଭଲ ପ୍ରଦର୍ଶନ କରିଥିଲେ । ମୟଙ୍କ ଫିଟ୍ ଘୋଷିତ ହୋଇଥିଲେ ମଧ୍ୟ କେଏଲ ରାହୁଲ ଓପନର ଭାବେ ସ୍ଥାନ ବଜାୟ ରଖିବେ ।

ଭାରତ: ବିରାଟ କୋହଲି (ଅଧିନାୟକ), ରୋହିତ ଶର୍ମା, ଚେତେଶ୍ୱର ପୂଜାରା, ମୟଙ୍କ ଅଗ୍ରୱାଲ, ଅଜିଙ୍କ୍ୟ ରାହାଣେ, ହନୁମା ବିହାରୀ, ରିଷଭ ପନ୍ତ, ଆର.ଅଶ୍ୱିନ, ରବୀନ୍ଦ୍ର ଜାଡେଜା, ଅକ୍ଷର ପଟେଲ, ଯଶପ୍ରୀତ ବୁମରା, ଈଶାନ୍ତ ଶର୍ମା, ମହମ୍ମଦ ସାମି, ମହମ୍ମଦ ସିରାଜ, ଉମେଶ ଯାଦବ, କେଏଲ ରାହୁଲ, ରିଦ୍ଧିମାନ ଶାହା, ଅଭିମନ୍ୟୁ ଈଶ୍ୱରନ, ପୃଥ୍ୱୀ ଶ’, ସୂର୍ଯ୍ୟକୁମାର ଯାଦବ ।

ଇଂଲଣ୍ଡ: ଜୋ ରୁଟ୍ (ଅଧିନାୟକ), ଜେମ୍ସ ଆଣ୍ଡରସନ, ଜନି ବେୟାରଷ୍ଟୋ, ମୋଇନ ଅଲ୍ଲୀ, ଜୋସ୍ ବଟଲର, ଜାକ୍ କ୍ରଲି, ସାମ୍ କରନ୍‌, ହସିବ ହମିଦ, ଡାନ୍ ଲରେନ୍ସ, ଜ୍ୟାକ୍ ଲିଚ୍‌, ଓଲି ପୋପ, ଓଲି ରବିନସନ, ଡମ୍ ସିବଲେ, ମାର୍କ ଉଡ୍‌, ସାକିବ୍ ମହମ୍ମୁଦ ।

Comments are closed.