କାବୁଲ ଦଖଲ ସହ ତାଲିବାନ କବ୍‌ଜାରେ ପୂରା ଆଫଗାନିସ୍ତାନ, ଦେଶ ଛାଡ଼ିଲେ ରାଷ୍ଟ୍ରପତି ଅଶ୍ରଫ ଘନି

କାବୁଲ: ମୌଳବାଦୀ ଗୋଷ୍ଠୀ ତାଲିବାନ ଏବେ ରାଜଧାନୀ କାବୁଲ ସହ ପୂରା ଦେଶକୁ ନିଜ ଅକ୍ତିଆରକୁ ନେଇଛି । ତାଲିବାନ କାବୁଲ ଦଖଲ କରିବାର କିଛି ଘଣ୍ଟା ପୂର୍ବରୁ ରାଷ୍ଟ୍ରପତି ଅଶ୍ରଫ ଘନି ଦେଶ ଛାଡ଼ି ପଳାଇଛନ୍ତି । ଘନି ପଡ଼ୋଶୀ ତାଜିକିସ୍ତାନ ଚାଲି ଯାଇଥିବା ମନେ କରାଯାଉଛି । ଘନିଙ୍କ ସହ ଉପରାଷ୍ଟ୍ରପତି ଏବଂ ଅନ୍ୟ ପ୍ରମୁଖ ନେତା ମଧ୍ୟ ଦେଶ ଛାଡ଼ି ଚାଲି ଯାଇଥିବା କୁହାଯାଇଛି ।

ତାଲିବାନ ଆଗରେ ଆଫଗାନ ସରକାରର ଏତେ ଶୀଘ୍ର ଆତ୍ମସମର୍ପଣ ସମସ୍ତଙ୍କୁ ଚକିତ କରିଥିବା ବେଳେ ସାରା ଦେଶରେ ଏବେ ଭୟ ଓ ଆତଙ୍କର ବାତାବରଣ ସୃଷ୍ଟି ହୋଇଛି । ରବିବାର ବିଳମ୍ବିତ ରାତିରେ ରାଷ୍ଟ୍ରପତି ଭବନକୁ ତାଲିବାନ ଦଖଲ କରିବା ପରେ ଭୟଭୀତ ସାଧାରଣ ଜନତା ମଧ୍ୟ କାବୁଲ ତଥା ତଥା ଦେଶ ଛାଡ଼ି ଚାଲିଯାଉଥିବା ଖବର ମିଳିଛି ।
ତାଲିବାନର ଆକ୍ରମଣ ପରଠୁ ରାଷ୍‌୍ରପତି ଘନି ପ୍ରଥମ ଥର ଶନିବାର ଦେଶକୁ ସମ୍ବୋଧିତ କରି ଦେଶ ଉପରେ ଆଉ ଏକ ଯୁଦ୍ଧ ଲଦିବାକୁ ଦିଆଯିବ ନାହିଁ ବୋଲି କହିଥିଲେ । ତେବେ ଆଫଗାନ ସେନାର ଆତ୍ମସମର୍ପଣ ପରେ ଜୀବନ ପ୍ରତି ବିପଦ ଭୟରେ ଘନି ଦେଶ ଛାଡ଼ିଥିବା ଚର୍ଚ୍ଚା ହେଉଛି ।

ପ୍ରାୟ ଦୁଇ ଦଶନ୍ଧି ପରେ ଆଫଗାନିସ୍ତାନରେ କ୍ଷମତା ଦଖଲ କରିଛି ତାଲିବାନ । ସେପ୍ଟେମ୍ବର ୨୦୦୧ରେ ୱାର୍ଲ୍ଡ ଟ୍ରେଡ୍ ସେଣ୍ଟର (ଡବ୍ଲଟିସି) ଏବଂ ଅନ୍ୟାନ୍ୟ ସ୍ଥାନ ଉପରେ ଆତଙ୍କୀ ଆକ୍ରମଣ ପରେ ଆଫଗାନିସ୍ତାନରେ ଅଲକାଏଦା ଓ ତାଲିବାନ ଶିବିର ଉପରେ ଆମେରିକା ସାମରିକ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଥିଲା । ଆମେରିକା ଓ ଅନ୍ୟ ନାଟୋ ରାଷ୍ଟ୍ରଙ୍କ କାର୍ଯ୍ୟାନୁଷ୍ଠାନ ପରେ ତାଲିବାନ ସରକାରର ପତନ ହୋଇଥିଲା । ୨୦ ବର୍ଷ ପରେ ଆମେରିକା ଓ ଅନ୍ୟ ନାଟୋ ରାଷ୍ଟ୍ର ଆଫଗାନିସ୍ତାନରୁ ନିଜ ସୈନ୍ୟ ପ୍ରତ୍ୟାହାର କରିବାକୁ ନିଷ୍ପତ୍ତି ନେବା ପରେ ତାଲିବାନ ପୁଣି ଏହି ଯୁଦ୍ଧ ବିଧ୍ୱସ୍ତ ଦେଶ ଉପରେ ନିଜର ପ୍ରାଧାନ୍ୟ ଜାହିର କରି ଶାସନଭାର କବ୍‌ଜା କରିଛି ।

Comments are closed.