ସୁପ୍ରିମକୋର୍ଟଙ୍କୁ କହିଲା କେନ୍ଦ୍ର, ପେଗାସସ ଗୁଇନ୍ଦାଗିରିର ତଦନ୍ତ ପାଇଁ ଗଠନ କରାଯିବ କମିଟି

ନୂଆଦିଲ୍ଲୀ: ପେଗାସସ୍ ଗୁଇନ୍ଦାଗିରି ଅଭିଯୋଗର ତଦନ୍ତ ପାଇଁ ବିଶେଷଜ୍ଞଙ୍କୁ ନେଇ ଏକ କମିଟି ଗଠନ କରାଯିବ । ଆଜି ସୁପ୍ରିମକୋର୍ଟରେ ଏହା କହିଛନ୍ତି କେନ୍ଦ୍ର ସରକାର । ଏହାଛଡ଼ା ସରକାର ପେଗାସସ ଗୁଇନ୍ଦାଗିିରିରେ ନିଜର ସମ୍ପୃକ୍ତି ଅଭିଯୋଗକୁ ଖଣ୍ଡନ କରିଛନ୍ତି । ଏନେଇ ସରକାରଙ୍କ ତରଫରୁ ସର୍ବୋଚ୍ଚ ନ୍ୟାୟାଳୟରେ ଦୃଇ ପୃଷ୍ଠା ସମ୍ବଳିତ ଏକ ସତ୍ୟପାଠ ଦାଖଲ କରାଯାଇଛି । ଏଥିରେ କେନ୍ଦ୍ର କହିଛି ଯେ, ଗୁଜବ, କଳ୍ପନାଜଳ୍ପନା ଏବଂ ଅସମ୍ପୂର୍ଣ୍ଣ ଗଣମାଧ୍ୟମ ରିପୋର୍ଟ ଆଧାରରେ ଆବେଦନକାରୀ ଏଭଳି ଅଭିଯୋଗ ଆଣିଛନ୍ତି ।

ପେଗାସସ ଗୁଇନ୍ଦାଗିରି ମାମଲାର ସ୍ୱତନ୍ତ୍ର ତଦନ୍ତ କରିବାକୁ ନିବେଦନ କରି ଆଗତ ଏକାଧିକ ପିଟିସନର ଶୁଣାରି କରୁଛନ୍ତି ସୁପ୍ରିମକୋର୍ଟ । ଆବେଦନକାରୀଙ୍କ ମଧ୍ୟରେ ବରିଷ୍ଠ ସାମ୍ବାଦିକ ଏନ୍‌.ରାମ ଓ ଶଶି କୁମାରଙ୍କ ସମେତ ଏଡିଟର୍ସ ଗିଲ୍ଡ୍ ଅଫ୍ ଇଣ୍ଡିଆ ରହିଛନ୍ତି ।

ପ୍ରଧାନ ବିଚାରପତି ଜଷ୍ଟିସ୍ ଏନଭି ରମନ୍ନା, ଜଷ୍ଟିସ୍ ସୂର୍ଯ୍ୟକାନ୍ତ ଏବଂ ଜଷ୍ଟିସ୍ ଅନିରୁଦ୍ଧ ବୋସଙ୍କ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରୁଛନ୍ତି । ପେଗାସସ୍ ମାମଲା ନେଇ ସୋସିଆଲ ମିଡ଼ିଆରେ ସମାନ୍ତରାଳ ବିତର୍କ ହେଉଥିବାରୁ ସୁପ୍ରିମକୋର୍ଟ ଅସନ୍ତୋଷ ବ୍ୟକ୍ତ କରିଥିଲେ । ବ୍ୟବସ୍ଥା ଓ ନ୍ୟାୟିକ ପ୍ରକ୍ରିୟା ଉପରେ ଭରସା ରଖିବାକୁ କୋର୍ଟ ଆବେଦନକାରୀଙ୍କୁ ପରାମର୍ଶ ଦେଇଥିଲେ ।

Comments are closed.