ଟାଙ୍ଗରା ଭୂଇଁ ଏବେ ସବୁଜ ବନାନୀ

ବ୍ରହ୍ମପୁର: ସରକାରୀ ଯୋଜନାର ସୁବିନିଯୋଗ କରି କିଭଳି ନିଜ ଅବସର ପରବର୍ତ୍ତୀ ଜୀବନକୁ ସ୍ବାଚ୍ଛନ୍ଦମୟ କରିହେବ, ଖାଦ୍ୟଶସ୍ୟ ଅମଳ କରି ପେଟ ପାଇଁ କେବଳ ଯେ ପୁଷ୍ଟିକର ଦାନା ଯୋଗାଡ଼ କରିପାରିବା, ବରଂ ତା ସହ ବଜାରରେ ବିକ୍ରି କରି ଦୁଇ ପଇସା ରୋଜଗାର ମଧ୍ୟ କରିହେବ। ଏହାର ଏକ ଉଦାହରଣ ସାଜିଛନ୍ତି ଜଣେ ବୟସ୍କ ଚାଷୀ। ତାଙ୍କ ବିଷୟରେ ଉଲ୍ଲେଖଯୋଗ୍ୟ କଥା ହେଉଛି ସେ ଜଣେ ଅବସରପ୍ରାପ୍ତ ଶିକ୍ଷକ। ଚାକିରୀରୁ ଅବସର ପରେ ରାଜ୍ୟ ସରକାରଙ୍କ କୃଷି ଆଧାରିତ ବିଭିନ୍ନ ଯୋଜନା ଜରିଆରେ ସେ ନିଜ ଅଞ୍ଚଳର ପ୍ରାୟ ୧୫ ଭରଣ ଟାଙ୍ଗରା ଭୂମିରେ ସବୁଜିମା ଭରି ଦେଇଛନ୍ତି ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ବ୍ଲକ୍ ପୁସ୍ତପୁର ଗ୍ରାମର ପ୍ରସନ୍ନ କୁମାର ଦାସ। ସେ ଚାଷ ଜମିରେ ଫଳାଇଛନ୍ତି ବାଇଗଣ, ଭେଣ୍ଡି, ତୋରଡା, ଗୁଆଁର, ଝଟା, ପୋଟଳ, ଝୁଡ଼ଙ୍ଗ, ଅମୃତଭଣ୍ଡା, ସଜନା, ମକା, ବୋଇତାଳୁ, କଦଳୀ, ପିଜୁଳି, ଲେମ୍ବୁ, ଆମ୍ବ, ପଣସ, ସାପେଟା, କାକୁଡି ଆଦି ଫଳ ଓ ପନିପରିବା। ଆହୁରି ମଧ୍ୟ ସେ କୁକୁଡ଼ା ପାଳନ ମଧ୍ୟ କରୁଛନ୍ତି।

ସଫଳ ଚାଷୀ ଭାବେ ଅଞ୍ଚଳରେ ଏବେ ସୁପରିଚିତ ପ୍ରସନ୍ନ ଦାସ ଏକ ଉଦାହରଣ ସୃଷ୍ଟି କରିଛନ୍ତି ଯେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ବରେ ରାଜ୍ୟରେ କୃଷିର ବିକାଶର ଯେଉଁ ଧାରା ପ୍ରବାହମାନ ହେଉଛି ସେଥିରୁ କିଭଳି ଚାଷୀ ସଶକ୍ତିକରଣର ସୁଫଳ ମିଳିପାରୁଛି। ସରକାରୀ ଯୋଜନାରେ ଗଭୀର କୂପ ଖୋଳି ପାହାଡ଼ ପାଦଦେଶରେ ସେ ସୃଷ୍ଟି କରିଛନ୍ତି ସବୁଜ ପନିପରିବା ଓ ଫଳମୂଳରେ ଭରପୁର ସୁନ୍ଦର ଓ ବିସ୍ତାରିତ କୃଷି କ୍ଷେତ୍ରଟିଏ। ସରକାରଙ୍କ ପଶୁପାଳନ ଯୋଜନାରେ ତାଙ୍କ କୁକୁଡ଼ା ଫାର୍ମ ବେଶ ଭଲଭାବେ ଚାଲିଛି। କାମରେ ସହଯୋଗ ପାଇଁ ସେ ୬ ଜଣ ଲୋକଙ୍କୁ ନିୟୋଜିତ କରି ସେମାନଙ୍କ ପାଇଁ ମଧ୍ୟ ଆୟ ଉପାର୍ଜନ ପନ୍ଥା ବାହାର କରି ପାରିଛନ୍ତି। ଏଇ ପନିପରିବା ଓ କୁକୁଡ଼ା ଚାଷରୁ ପ୍ରସନ୍ନଙ୍କ ସମେତ ୬ଟି ପରିବାର ଏବେ ଭଲ ଭାବେ ଚଳି ପାରୁଛନ୍ତି।

ଏଇ ଅବସରପ୍ରାପ୍ତ ହିନ୍ଦୀ ଶିକ୍ଷକଙ୍କ ଆଗରୁ ଚାଷବାସରେ ରୁଚି ଥିଲା। କିନ୍ତୁ ସମୟ ଓ ସୁଯୋଗ ବିଶେଷ ମିଳିପାରୁ ନଥିଲା। ରିଟାୟର୍ ହେବା ପରେ ସମୟ ମିଳିଲା ଆଉ ସରକାରୀ ଯୋଜନାର ସୁବିଧା ନେଇ ସେ ପନିପରିବା, ଫଳ ଚାଷ ଓ କୁକୁଡ଼ା ଫାର୍ମ କରି ନିଜ ଅଞ୍ଚଳରେ ଏକ ପରିବର୍ତ୍ତନ ଆଣିବାରେ ସକ୍ଷମ ହୋଇପାରିଛନ୍ତି। ଟାଙ୍ଗରା ଭୂଇଁକୁ ସବୁଜ ବନାନୀରେ ପରିଣତ କରାଇ ପାରିଛନ୍ତି। ଜମିରେ ସେ ଜୈବିକ ଖତକୁ ସାର ରୂପେ ବ୍ୟବହାର କରୁଛନ୍ତି। ଆଖପାଖ ଖଲ୍ଲିକୋଟ, ପୁସ୍ତପୁର, ବେଗୁନିଆପଡ଼ା, କୋଦଳାରେ ସେ ନିଜ କ୍ଷେତ ଓ ଫାର୍ମରୁ ଉତ୍ପାଦିତ ସାମଗ୍ରୀ ବିକି ବେଶ୍ ଦୁଇ ପଇସା ଲାଭ ପାଇ ପାରୁଛନ୍ତି। ସମୟର ସଦୁପଯୋଗ ସହ ସରକାରୀ ସ୍କିମ୍ ସମ୍ମିଶ୍ରଣରେ କିଭଳି ଏକ ଆଖିଦୃଶିଆ କାର୍ଯ୍ୟ କରିହେବ ତାହା ଅନ୍ୟମାନଙ୍କ ଆଗରେ ପ୍ରସ୍ତୁତ କରି ଦେଖାଇଛନ୍ତି ପ୍ରସନ୍ନ ଦାସ। ରାଜ୍ୟ ସରକାର କୃଷକଙ୍କ ହିତ ପାଇଁ ଯେଉଁ ଯୋଜନା କରୁଛନ୍ତି ବା ପ୍ରୋତ୍ସାହନ ଦେଉଛନ୍ତି ସେଥିରୁ ଚାଷୀଙ୍କ ହିତସାଧନ ନିଶ୍ଚିତ ବୋଲି କହନ୍ତି ଏହି ପୂର୍ବତନ ଶିକ୍ଷକ- ବର୍ତ୍ତମାନର ଚାଷୀ ଜଣକ। ଚାଷ ଅନୁପଯୋଗୀ ଜମିରେ ସବୁଜିମା ଭରିଦେବା ହିଁ ଏହାର ପଥପ୍ରଦର୍ଶକ ବୋଲି କହୁଛନ୍ତି ଅଞ୍ଚଲବାସୀ।

Comments are closed.