ଶ୍ରୀକ୍ଷେତ୍ରର ଐତିହ୍ୟ : ମରିଚେଇ ଠାକୁରାଣୀ

ଶ୍ରୀକ୍ଷେତ୍ରର ମାରିଚିକୋଟ ଛକ ନିକଟରେ ବିରାଜମାନ କରିଛନ୍ତି କୃପମୟୀ ମରିଚେଇ ଠାକୁରାଣୀ । ମାରିଚିକୋଟ ଛକରୁ ଶ୍ରୀମନ୍ଦିର ଗଲାବେଳେ ବଡ଼ଦାଣ୍ଡର ବାମ ପାର୍ଶ୍ଵରେ ରହିଛି ମାରିଚିକୋଟ ଯାଗା। ଏହି ସ୍ଥାନର ଆରାଧ୍ୟ ଦେବୀ ହେଉଛନ୍ତି ମରିଚେଇ ଠାକୁରାଣୀ। ଶ୍ରୀମନ୍ଦିର ପ୍ରତିଷ୍ଠା ପରେ ଏହାର ସୁରକ୍ଷା ପାଇଁ ମନ୍ଦିର ଚାରି ଦିଗରେ କୋଟ ବା ସୈନ୍ୟ ରହିବାର ସ୍ଥଳ ପ୍ରତିଷ୍ଠା କରାଯାଇଥିଲା। ପୂର୍ବ ଦିଗରେ ରହିଥିଲା ମାରିଚିକୋଟ। ଶ୍ରୀକ୍ଷେତ୍ରର ଅଷ୍ଟଚଣ୍ଡିଙ୍କ ଭିତରୁ ମା ମରିଚେଇ ଅନ୍ୟତମ।

ମା’ ଙ୍କ ମଣିବିଗ୍ରହ ଏକ ଖୁଦ୍ର ମନ୍ଦିରରେ ବିରାଜିତ। ବିଗ୍ରହଙ୍କ ସ୍ୱରୂପ ହେଉଛି ଛୋଟ। ସିଏ ଅଷ୍ଟ ଭୁଜା। ଆଠଟି ହସ୍ତରେ ଶଙ୍ଖ, ଖଡ୍ଗ, ଗଦା, ଅଙ୍କୁଶ, ମାଳା, ବଜ୍ର , ଚକ୍ର, ତ୍ରିଶୁଳ ଧାରଣ କରି ଥିବା ବେଳେ ମାଆ ଶବା ରୁଢା ହୋଇ ବସିଛନ୍ତି।ଏହି ମା’ ଙ୍କ ନାମରେ ଶ୍ରୀଜୀଉଙ୍କ ପାଖରେ ମରିଚି ଲଡୁ ଭୋଗ ନାମିତ ହୋଇଥିବା ଅନେକ ଗବେଷକ ମତ ଦିଅନ୍ତି।

ମା’ ଙ୍କ ପାଖରେ ଷୋଡ଼ଶ ଦିନାତ୍ମକ ଦୁର୍ଗା ପୂଜା ଅନୁଷ୍ଠିତ ହୋଇଥାଏ। ଷୋଳ ଦିନ ମା ବିଭିନ୍ନ ବେଶରେ ଭକ୍ତ ମାନଙ୍କୁ ଦର୍ଶନ ଦେଇଥାନ୍ତି। ମା ପରମ ବୈଷ୍ଣବୀ। କିନ୍ତୁ ଦୁର୍ଗା ପୂଜାରେ ସପ୍ତମୀ, ଅଷ୍ଟମୀ ଓ ନବମୀ ରାତ୍ର ରେ ମାଆ ଙ୍କ ପାଖରେ ଆମିଷ ଭୋଗ ନିବେଦନ କରାଯାଇଥାଏ। ଅବଶ୍ୟ ଏହା ମା ଙ୍କ ପାଖରେ ଥିବା ଛାୟା ମାୟା ଙ୍କୁ ସମର୍ପିତ ହୋଇଥାଏ।
ମହାଷ୍ଟମୀ ମଧ୍ୟ ରାତ୍ରରେ ଶ୍ରୀମନ୍ଦିରସ୍ଥ ବିମଳାଙ୍କ ଗୁପ୍ତନୀତି ପରେ ଏହି ମାଆ ଙ୍କ ନିକଟରେ ଶଙ୍ଖୁଡ଼ି ଭୋଗ ଲାଗି ହୋଇଥାଏ।
ଚନ୍ଦନ ଯାତ୍ରା ଆଦି ଅନେକ ନୀତିରେ ଶ୍ରୀମନ୍ଦିରର ଚଳନ୍ତି ବିଗ୍ରହଙ୍କ ବାହାର ବିଜେ ସମୟରେ ଏଠାରେ ପନ୍ତିଭୋଗ ନିବେଦନ କରାଯାଇଥାଏ।

Comments are closed.