ତାଲିବାନର ପ୍ରଥମ ସାମ୍ବାଦିକ ସମ୍ମିଳନୀ, କହିଲା ଶରିଆ ଆଇନ୍ ଅନୁଯାୟୀ ମହିଳାଙ୍କୁ ଦିଆଯିବ ଅଧିକାର

କାବୁଲ: ଆଫଗାନିସ୍ତାନକୁ ପୁଣି ନିଜ ନିୟନ୍ତ୍ରଣକୁ ନେବା ପରେ ତାଲିବାନ ମଙ୍ଗଳବାର କାବୁଲରେ ପ୍ରଥମ ଥର ସାମ୍ବାଦିକ ସମ୍ମିଳନୀ ଆୟୋଜନ କରିଛି।
ପ୍ରଥମ ଥର ପାଇଁ କ୍ୟାମେରା ସାମ୍ନାକୁ ଆସିଥିବା ତାଲିବାନ ମୁଖପାତ୍ର ଜାବିହୁଲ୍ଲା ମୁଜାହିଦ୍ କହିଛନ୍ତି ଯେ ୨୦ ବର୍ଷର ସଂଘର୍ଷ ପରେ ଆମେ ଦେଶକୁ ମୁକ୍ତ କରିଛୁ ଏବଂ ବିଦେଶୀମାନଙ୍କୁ ବିତାଡିତ କରିଛୁ। ସେ ଏହାକୁ ସମଗ୍ର ଦେଶ ପାଇଁ ଗର୍ବର ମୁହୂର୍ତ୍ତ ବୋଲି କହିଛନ୍ତି।

ଜାବିହୁଲ୍ଲା ମୁଜାହିଦ୍ କହିଛନ୍ତି, ଆମେ ଅନ୍ତର୍ଜାତୀୟ ସମୁଦାୟକୁ ଆଶ୍ଵାସନା ଦେବାକୁ ଚାହୁଁଛୁ ଯେ କାହାରି କିଛି କ୍ଷତି ହେବ ନାହିଁ। ଆମେ ଅନ୍ତର୍ଜାତୀୟ ସମୁଦାୟ ସହିତ କୌଣସି ବିବାଦ ଚାହୁଁ ନାହୁଁ। ଆମର ଧାର୍ମିକ ବିଶ୍ୱାସ ଅନୁଯାୟୀ କାର୍ଯ୍ୟ କରିବାର ଅଧିକାର ଆମର ଅଛି। ଅନ୍ୟ ଦେଶର ଭିନ୍ନ ଭିନ୍ନ ମତ, ଆଇନ୍ କାନୁନ୍ ରହିଛି। ଆମ ମୂଲ୍ୟବୋଧ ଅନୁଯାୟୀ ଆଫଗାନ୍ ମାନଙ୍କୁ ନିଜର ଆଇନ୍ କାନୁନ୍ ଏବଂ ନିୟମାବଳୀ ସ୍ଥିର କରିବାକୁ ଅଧିକାର ରହିବା ଉଚିତ।

ମୁଜାହିଦ୍ କହିଛନ୍ତି, “ଆମେ ଇସଲାମିକ ଶରିଆ ଆଇନ ଅନୁଯାୟୀ ମହିଳାଙ୍କ ଅଧିକାରକୁ ସୁରକ୍ଷା ଦେବା ପାଇଁ ସଂକଳ୍ପବଦ୍ଧ। ମହିଳାମାନେ ଆମ ସହିତ ମିଶି କାମ କରିବେ। ଆମେ ଅନ୍ତର୍ଜାତୀୟ ସମୁଦାୟକୁ ସ୍ପଷ୍ଟ କରିବାକୁ ଚାହୁଁଛୁ ଯେ ମହିଳାଙ୍କ ସହ କୌଣସି ଭାବେ ଭେଦଭାବ କରାଯିବ ନାହିଁ।”
ତାଲିବାନ ମୁଖପାତ୍ର କହିଛନ୍ତି, “ଆମେ ନିଶ୍ଚିତ କରିବୁ ଯେ ଆଫଗାନିସ୍ତାନ ଆଉ ଯୁଦ୍ଧକ୍ଷେତ୍ର ହୋଇ ନ ରହୁ। ଯେଉଁମାନେ ଆମ ବିରୁଦ୍ଧରେ ଲଢିଛନ୍ତି ସେମାନଙ୍କୁ ଆମେ କ୍ଷମା ପ୍ରଦାନ କରିଛୁ। ଆମ ଭିତରେ ଶତ୍ରୁତା ବର୍ତ୍ତମାନ ଶେଷ ହୋଇଛି।

ତାଲିବାନ ମୁଖପାତ୍ର ଜାବିହୁଲ୍ଲା ମୁଜାହିଦ୍ ମହିଳାଙ୍କ ଅଧିକାରକୁ ନେଇ ଏକ ପ୍ରଶ୍ନର ଉତ୍ତରରେ କହିଛନ୍ତି, “ଆମେ ମହିଳାମାନଙ୍କୁ ଆମ ବ୍ୟବସ୍ଥାରେ କାର୍ଯ୍ୟ ଏବଂ ପାଠ ପଢ଼ିବାକୁ ଅନୁମତି ଦେବୁ। ମହିଳାମାନେ ବର୍ତ୍ତମାନ ଆମ ସମାଜରେ ତଥା ଆମ ଢାଞ୍ଚାରେ ସକ୍ରିୟ ହେବାକୁ ଯାଉଛନ୍ତି।”

Comments are closed.