ଆଇସିସି ଟେଷ୍ଟ ର଼୍ୟାଙ୍କିଙ୍ଗ୍: ରାହୁଲ ୩୭ତମ ସ୍ଥାନକୁ ଉନ୍ନୀତ, କୋହଲି ପଞ୍ଚମ ସ୍ଥାନରେ ସ୍ଥିର

ଦୁବାଇ: ଆଇସିସି ଦ୍ଵାରା ବୁଧବାର ଜାରି ସଦ୍ୟତମ ଟେଷ୍ଟ ମାନ୍ୟତାରେ ଭାରତୀୟ ଓପନର୍ କେ.ଏଲ୍ ରାହୁଲଙ୍କୁ ବଡ଼ ଲମ୍ଫ ଦେଇଛନ୍ତି। ରାହୁଲ ୧୯ଟି ସ୍ଥାନ ଉଠି ୩୭ତମ ସ୍ଥାନକୁ ଉନ୍ନୀତ କରିଛନ୍ତି | ଲର୍ଡସରେ ଇଂଲଣ୍ଡ ବିପକ୍ଷ ଦ୍ୱିତୀୟ ଟେଷ୍ଟରେ ଏକ ଚମତ୍କାର ଶତକ ଯୋଗୁଁ ରାହୁଲଙ୍କ ର଼୍ୟାଙ୍କିଙ୍ଗରେ ଉନ୍ନତି ହୋଇଛି। ରାହୁଲଙ୍କ ବ୍ୟତୀତ ଅଧିନାୟକ ବିରାଟ କୋହଲି ପଞ୍ଚମ ସ୍ଥାନ ବଜାୟ ରଖିଥିବା ବେଳେ ରୋହିତ ଶର୍ମା ଷଷ୍ଠ ସ୍ଥାନରେ ଏବଂ ରିଷଭ ପନ୍ତ ସପ୍ତମ ସ୍ଥାନରେ ରହିଛନ୍ତି।

ଗତ ସପ୍ତାହରେ ୫୬ତମ ସ୍ଥାନ ସହ ଟେଷ୍ଟ ର଼୍ୟାଙ୍କିଙ୍ଗରେ ପୁନଃ ପ୍ରବେଶ କରିଥିବା ରାହୁଲ ଦ୍ୱିତୀୟ ଟେଷ୍ଟର ପ୍ରଥମ ଇନିଂସରେ ୧୨୯ ରନ୍ କରି ଭାରତର ବିଜୟରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ଟେଷ୍ଟ ଅଲରାଉଣ୍ଡର ତାଲିକାରେ ଭାରତର ରବିନ୍ଦ୍ର ଜାଡେଜା ଗୋଟିଏ ସ୍ଥାନ ତଳକୁ ଖସି ତୃତୀୟ ସ୍ଥାନରେ ରହିଛନ୍ତି। ରବିଚନ୍ଦ୍ରନ୍ ଅଶ୍ୱିନ୍ ଏହି ତାଲିକାରେ ଚତୁର୍ଥ ସ୍ଥାନରେ ଅଛନ୍ତି।

ଇଂଲଣ୍ଡ ବିପକ୍ଷ ଦ୍ୱିତୀୟ ଟେଷ୍ଟରେ ଚମତ୍କାର ପ୍ରଦର୍ଶନ କରିଥିବା ମହମ୍ମଦ ସିରାଜ ୧୮ଟି ସ୍ଥାନ ଲମ୍ଫ ଦେଇ ୩୮ତମ ସ୍ଥାନକୁ ଉନ୍ନୀତ ହୋଇଛନ୍ତି। ଲର୍ଡସ ଟେଷ୍ଟର ଉଭୟ ଇନିଂସରେ ସେ ଚାରିଟି ଲେଖାଏଁ ୱିକେଟ୍ ନେଇଥିଲେ। ଅନ୍ୟପକ୍ଷେ ଜସପ୍ରୀତ ବୁମ୍ରା ଗୋଟିଏ ସ୍ଥାନ ହରାଇ ଦଶମ ସ୍ଥାନରେ ଅଛନ୍ତି। ଲର୍ଡସ ଟେଷ୍ଟର ଦ୍ୱିତୀୟ ଇନିଂସରେ ବୁମରା ୩ଟି ୱିକେଟ୍ ନେଇଥିଲେ।

ଆଇସିସି ର଼୍ୟାଙ୍କିଙ୍ଗର ବ୍ୟାଟ୍ସମ୍ୟାନ୍ ତାଲିକାରେ ନ୍ୟୁଜିଲାଣ୍ଡ ଅଧିନାୟକ କେନ୍ ୱିଲିୟମସନ ଶୀର୍ଷରେ ଅଛନ୍ତି। ଇଂଲଣ୍ଡ ଅଧିନାୟକ ଜୋ ରୁଟ୍ ଦୁଇ ନମ୍ବରରେ ପହଞ୍ଚିଛନ୍ତି। ବୋଲରଙ୍କ ତାଲିକାରେ ଇଂଲଣ୍ଡର ଅଭିଜ୍ଞ ଦ୍ରୁତ ବୋଲର ଜେମ୍ସ ଆଣ୍ଡରସନ ଗୋଟିଏ ସ୍ଥାନ ଫାଇଦା ହୋଇଛି । ସେ ଭାରତ ବିପକ୍ଷ ପ୍ରଥମ ଇନିଂସରେ ପାଞ୍ଚ ୱିକେଟ୍ ନେଇଥିଲେ। ଦ୍ରୁତ ବୋଲର ମାର୍କ ଉଡ୍ ୩୭ତମ ସ୍ଥାନରେ ଅଛନ୍ତି | ଆଇସିସି ର଼୍ୟାଙ୍କିଙ୍ଗର ବୋଲର ତାଲିକାରେ ପ୍ୟାଟ୍ କମିନ୍ସ ଶୀର୍ଷ ସ୍ଥାନ ବଜାୟ ରଖିଛନ୍ତି।

କିଙ୍ଗଷ୍ଟନ୍‌ରେ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ଯଥାକ୍ରମେ ୩୦ ଏବଂ ୫୫ ରନ୍ କରିବା ପରେ ପାକିସ୍ତାନ ଅଧିନାୟକ ବାବର ଆଜାମ ଦୁଇଟି ସ୍ଥାନ ଆଗେଇ ଯାଇ ଅଷ୍ଟମ ସ୍ଥାନରେ ପହଞ୍ଚିଛନ୍ତି। ପାକିସ୍ତାନ ବିପକ୍ଷ ପ୍ରଥମ ଟେଷ୍ଟକୁ ୱେଷ୍ଟଇଣ୍ଡିଜ୍ ୧ ୱିକେଟ୍ ରେ ଜିତିଥିଲା। ୱେଷ୍ଟଇଣ୍ଡିଜ୍ ବ୍ୟାଟ୍ସମ୍ୟାନ୍ ଜେରମାଇନ୍ ବ୍ଲାକ୍ଉଡ୍ ୨୨ ଏବଂ ୫୫ ରନର ଇନିଂସ ଖେଳିବା ପରେ ୯ଟି ସ୍ଥାନ ଲମ୍ଫ ଦେଇ ୩୫ତମ ସ୍ଥାନକୁ ଉନ୍ନୀତ ହୋଇଛନ୍ତି | ଅଲରାଉଣ୍ଡର ଜେସନ ହୋଲ୍ଡର ପାଞ୍ଚଟି ସ୍ଥାନ ଉଠି ୪୩ତମ ସ୍ଥାନରେ ଥିବାବେଳେ ଅଧିନାୟକ କ୍ରେଗ ବ୍ରାଥଓ୍ବେଟ୍ ୧୮ଟି ସ୍ଥାନ ଉନ୍ନୀତ ହୋଇ ୪୫ତମ ସ୍ଥାନରେ ପହଞ୍ଚିଛନ୍ତି ।

Comments are closed.