ନନ୍ଦନକାନନ ଫାର୍ମ ହାଉସ ପୋଖରୀରୁ ଯୁବତୀଙ୍କ ମୃତଦେହ ଉଦ୍ଧାର

ଭୁବନେଶ୍ୱର- ନନ୍ଦନକାନନର ଏକ ଫାର୍ମ ହାଉସ ପୋଖରୀରୁ ଜଣେ ଯୁବତୀଙ୍କ ମୃତଦେହ ଉଦ୍ଧାର ହେବା ଚାଂଚଲ୍ୟ ସୃଷ୍ଟି କରିଛି । ନନ୍ଦନକାନନ ଥାନା ପୋଲିସ ଯୁବତୀଙ୍କ ମୃତଦେହ ଉଦ୍ଧାର କରିଛି । ନନ୍ଦନକାନନ ନିକଟସ୍ଥ ରଘୁନାଥପୁରରେ ତାଙ୍କ ଘର ବୋଲି ପୋଲିସ ତଦନ୍ତରୁ ଜଣା ପଡିଛି । ତାଙ୍କ ବାପା ଏକ ପ୍ରତିଷ୍ଠିତ ଇଞ୍ଜିନିୟରିଂ କଲେଜରେ ପ୍ରଫେସର ଭାବେ କାର୍ଯ୍ୟରତ । ଯୁବତୀ ଜଣକ ଗତକାଲି ରାତି ପ୍ରାୟ ୧୨ଟାରେ ମାଆଙ୍କ ସହ ଶୋଇଥିଲେ । ରାତି ୩ଟା ବେଳକୁ ତାଙ୍କ ମାଆ ଝିଅକୁ ଘରେ ପାଇ ନ ଥିଲେ । ପରିବାର ଲୋକେ ଖୋଜାଖୋଜି କରିବାରୁ ଘରର କବାଟ ଓ ଗେଟ୍ ଖୋଲାଥିବା ଦେଖିବାକୁ ପାଇଥିଲେ । ଆଜି ସକାଳେ ନନ୍ଦନକାନନ ଆଇଆଇସି କାମିନୀଙ୍କ ବାପାଙ୍କୁ ଫୋନ୍ ଷଡଙ୍ଗୀ ଫାର୍ମ ହାଉସକୁ ଆସିବାକୁ କହିଥିଲେ । ସେଠାରେ କାମିନୀଙ୍କ ମୃତଦେହ ପଡିଥିବା ଦେଖିବାକୁ ପାଇଥିଲେ । ଯୁବତୀଙ୍କ ବାପାଙ୍କ ଅନୁସାରେ, ତାଙ୍କ ଝିଅ ସବୁବେଳେ ୯୦ ପ୍ରତିଶତ ଉପରେ ମାର୍କ ରଖେ । ହେଲେ ଜେଇଇ ପରୀକ୍ଷା ସାମାନ୍ୟ ଖରାପ ହୋଇଥିବାରୁ ସେ ଦୁଃଖିତ ଥିଲା । କିନ୍ତୁ ତା ଉପରେ କୌଣସି ଚାପ ନ ଥିଲା । ତେବେ, ଫାର୍ମ ହାଉସ ଚାରିପଟେ ୧୦ ଫୁଟ ଉଚ୍ଚତାର ପାଚେରୀ ଥିବା ବେଳେ ଭିତରକୁ ପ୍ରବେଶ କରିବା ପାଇଁ ୪ଟି ଗେଟ୍ ରହିଛି । ଗେଟରେ ତାଲା ପଡିଥିଲା । ତେଣୁ ରାତି ଅଧରେ ଏଠାରେ ତାଙ୍କ ଝିଅ କିପରି ପ୍ରବେଶ କଲା ବୋଲି ବାପା ପ୍ରଶ୍ନ କରିଛନ୍ତି । ପୋଲିସ ଓ ଫରେନସିକ ଟିମ୍ ଘଟଣାସ୍ଥଳରେ ପଂହଚି ତନାଘନା କରିଛନ୍ତି ।

Comments are closed.