ଜରୁରୀ ବ୍ୟବହାର ପାଇଁ ଜାଇଡସ୍ କାଡିଲାର କୋଭିଡ୍ ଟିକାକୁ ମଞ୍ଜୁରି

ନୂଆଦିଲ୍ଲୀ: ଭାରତୀୟ ଔଷଧ କମ୍ପାନୀ ଜାଇଡସ୍ କାଡିଲାର କୋଭିଡ୍ ଟିକାକୁ ଭାରତରେ ଜରୁରୀ ବ୍ୟବହାର ପାଇଁ ମଞ୍ଜୁରି ମିଳିଛି । ଶୁକ୍ରବାର ଭାରତୀୟ ଡ୍ରଗ୍‌ସ ନିୟନ୍ତ୍ରକ ଡିସିଜିଆଇ ଜାଇଡସ୍ କାଡିଲାର ଜାଏକୋଭ୍‌-ଡି’କୁ ସବୁଜ ସଙ୍କେତ ଦେଇଛନ୍ତି । ଏହି ଟିକା ବିଶ୍ୱର ପ୍ରଥମ ଡିଏନ୍‌ଏ ଆଧାରିତ କୋଭିଡ୍ ଭାକ୍ସିନ୍ । ଭାରତରେ ଜାଏକୋଭ୍‌-ଡି ହେଉଛି ପ୍ରଥମ କୋଭିଡ୍ ଟିକା ଯାହା ପିଲାମାନଙ୍କୁ ଲଗାଯିବ । ଜାଇଡସ୍ କାଡିଲାର ଟିକାକୁ ୧୨ ବର୍ଷରୁ ଊର୍ଦ୍ଧ୍ୱ ବୟସ୍କ କିଶୋରଙ୍କ ସହ ପ୍ରାପ୍ତବୟସ୍କଙ୍କୁ ବି ଦିଆଯାଇ ପାରିବ ।

ଭାରତରେ ଜରୁରୀ ବ୍ୟବହାର ପାଇଁ ଅନୁମତି ପାଇବାରେ ଜାଏକୋଭ୍‌-ଡି ହେଉଛି ଷଷ୍ଠ କୋଭିଡ୍ ଟିକା । ଏହା ପୂର୍ବରୁ ସେରମ୍ ଇନ୍‌ଷ୍ଟିଚ୍ୟୁଟ୍‌ର କୋଭିଶିଲ୍ଡ, ଭାରତ ବାୟୋଟେକ୍‌ର କୋଭାକ୍ସିନ୍‌, ରୁଷିଆର ସ୍ପୁଟନିକ୍‌-ଭି, ଏବଂ ଆମେରିକାର ମଡେର୍ଣ୍ଣା ଏବଂ ଜନ୍‌ସନ୍ ଆଣ୍ଡ୍ ଜନସନ୍‌ର ଟିକାକୁ ଜରୁରୀ ବ୍ୟବହାର ପାଇଁ ମଞ୍ଜୁରି ମିଳିସାରିଛି । ତେବେ ମଡେର୍ଣ୍ଣା ଓ ଜନସନ୍ ଆଣ୍ଡ୍ ଜନସନ୍ ଟିକା ବର୍ତ୍ତମାନ ସୁଦ୍ଧା ଟିକାକରଣରେ ବ୍ୟବହାର କରାଯାଇ ନାହିଁ ।

ଜାଇଡସ୍ କାଡ଼ିଲାର ‘ଜାଏକୋଭ୍‌-ଡି’ ଟିକା ତିନୋଟି ଡୋଜ୍‌ରେ ଦିଆଯିବ । ଜଏକୋଭ୍‌-ଡି’ର ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟ ଟ୍ରାଏଲ ଫଳାଫଳରୁ ଜଣାପଡ଼ିଥିଲା ଯେ ଏହି ଟିକାର ତିନୋଟି ଡୋଜ୍ କରୋନା ସଂକ୍ରମଣ ବିରୋଧରେ ପ୍ରତିରୋଧକ ଶକ୍ତିକୁ ଆହୁରି ମଜବୁତ୍ କରିଥାଏ । ତେବେ ଜାଇଡିସ୍ କାଡିଲା ନିଜ ଟିକାର ଦୁଇ ଡୋଜ୍ ଟ୍ରାଏଲ୍ ବି ଜାରି ରଖିଛି । ଖୁବ୍ ଶୀଘ୍ର ଟ୍ରାଏଲର ଫଳାଫଳ ପ୍ରକାଶ କରାଯିବା ସମ୍ଭାବନା ରହିଛି ।

Comments are closed.