ଚିତ୍ରକଳାର କାରିଗର, ଅନ୍ୟ ପାଇଁ ନଜିର

ବ୍ରହ୍ମପୁର: ରଙ୍ଗ ତୁଳୀରେ ସେ ସତେଯେମିତି ସୃଷ୍ଟି କରୁଛନ୍ତି ଯାଦୁ। କେତେବେଳେ କାଗଜରେ ତ କେବେ କାନ୍ଥରେ ତ ପୁଣି କେବେ ମାଟି ହାଣ୍ଡିରେ। ବଦଳାଇ ଦେଉଛନ୍ତି କାନ୍ଥ ଓ ହାଣ୍ଡିର ରୂପ ଓ ରଙ୍ଗ, ଆକର୍ଷଣୀୟ ଚିତ୍ରରେ ରଙ୍ଗୀନ କରି ସଜାଇ ଦେଉଛନ୍ତି ଯାହା ଦେଖିଲା ଲୋକର ମନ ମୋହୁଛି। ହେଲେ ରଙ୍ଗ ତୁଳୀର ଏଇ ଯାଦୁଗର କିନ୍ତୁ ଭିନ୍ନ ଜଣେ ବ୍ୟକ୍ତି। ଛତ୍ରପୁର କାରାଗାରରେ ବନ୍ଦୀ ଜୀବନ କଟାଉଥିବା ଆର୍.ଚିତ୍ତରଞ୍ଜନ (ଚିଟ୍ଟି)। ହେଲେ ସେ କିନ୍ତୁ ଘୃଣା ନୁହେଁ, ବରଂ ଅନ୍ୟ କଏଦୀ, ଜେଲ୍ କର୍ତ୍ତୃପକ୍ଷ ଏପରିକି ଜିଲ୍ଲା ପ୍ରଶାସନ ଦ୍ବାରା ସମ୍ମାନ ଓ ଆଦର ପାଉଛନ୍ତି। କେବଳ ନିଜ ଭିତରେ ଥିବା କଳା ପ୍ରତିଭା ସକାଶେ ଯାହାର ଉଚିତ ପ୍ରଦର୍ଶନ କରି ସେ ପରିବର୍ତ୍ତନ ଆଣିପାରୁଛନ୍ତି।

ବଳାତ୍କାର ମାମଲାରେ ଛନ୍ଦି ହୋଇ ତାଙ୍କୁ ଜେଲର ଚାରି କାନ୍ଥ ଭିତରେ ବାନ୍ଧି ହୋଇ ରହିବାକୁ ପଡିଲା। ହେଲେ ସେ ଏବେ ସେଇ ଜେଲର କାନ୍ଥରେ ଆଙ୍କୁଛନ୍ତି ଭଳିକି ଭଳି ରାଧାକୃଷ୍ଣ, ବୁଦ୍ଧ, ବିଭିନ୍ନ ମହାପୁରୁଷ, ପ୍ରାକୃତିକ ପରିବେଶ, ଦେଶର ମାନଚିତ୍ର, ଅଶୋକ ସ୍ତମ୍ଭ, ଦେଶାତ୍ମବୋଧକ ତଥା ତରୁଣୀଙ୍କ ରଙ୍ଗୀନ ଓ ସୁନ୍ଦର ଚିତ୍ର। ସେ ଆଙ୍କିଥିବା ଶିବ ମନ୍ଦିର ଓ ଲିଙ୍ଗ ତଥା ପୀଠର ତୋରଣ ସୁଦୃଶ୍ୟ ହୋଇଛି। କେବଳ ସେତିକି ନୁହେଁ, ଜିଲ୍ଲା ପ୍ରଶାସନ ଦ୍ବାରା ଓରମାସ୍ ଜରିଆରେ ମହିଳା ସ୍ଵୟଂ ସହାୟକ ଗୋଷ୍ଠୀ ଦ୍ଵାରା ତିଆରି ଓ ବିକ୍ରି କରାଯାଉଥିବା ଗୁଡ ମାଟି ହାଣ୍ଡିକୁ ଡିଜାଇନରେ ଆକର୍ଷଣୀୟ କରିବା ପାଇଁ ମଧ୍ୟ ଚିଟ୍ଟିଙ୍କୁ ଦିଆଯାଉଛି। ଘଣ୍ଟା ଘଣ୍ଟା ଧରି ରଙ୍ଗ ଓ ତୁଳୀରେ ସେ ମାଟି ହାଣ୍ଡିକୁ ବେଶ୍ ମନଲୋଭା ସୁନ୍ଦର ହାଣ୍ଡିରେ ପରିଣତ କରୁଛନ୍ତି। ଦିନେ ଘୃଣାର ପାତ୍ର ଥିଲେ, ହେଲେ ଆଜି ଅନ୍ୟ ପାଇଁ ଉଦାହରଣ ପାଲଟିଛନ୍ତି। ଏହା ତାଙ୍କର ପରିଶ୍ରମର ଫଳ ଯେ ଜେଲର ଚାରିକାନ୍ଥ ଏବେ ଦେଉଛି ସଚେତନତାର ବାର୍ତ୍ତା।

ପିଲାଦିନୁ ଚିତ୍ରାଙ୍କନ ନେଇ କିଛିଟା ରୁଚି ଥିଲା। ଜେଲକୁ ଆସିବା ପରେ ଥରେ କାଗଜ ଓ ପେନ୍‌ସିଲ୍ ଧରି ଚିତ୍ର ଆଙ୍କୁ ଆଙ୍କୁ ଜେଲ କର୍ତ୍ତୃପକ୍ଷଙ୍କ ନଜରରେ ପଡ଼ିଥିଲା। ଜେଲ କାନ୍ଥରେ ଚିତ୍ର ଆଙ୍କିବାକୁ କହିଥିଲେ ଜେଲର୍। ଯୋଗାଇ ଦେଇଥିଲେ ସବୁ ସରଞ୍ଜାମ ଓ ସୁବିଧା। ଆଉ ସେଠୁ ଏହି ବିଚାରାଧୀନ କଏଦୀଙ୍କ ଆରମ୍ଭ ହୋଇଥିଲା ନୂଆ ଏକ ଯାତ୍ରା। ସାଧାରଣ ବନ୍ଦୀଙ୍କ ଠାରୁ ସେ ପାଲଟି ଯାଇଥିଲେ ଭିନ୍ନ ଜଣେ କଏଦୀ। ଏକଦା ଜିଲ୍ଲାପାଳ କାରାଗାର ପରିଦର୍ଶନରେ ଆସିଥିବା ବେଳେ ତାଙ୍କର ମଧ୍ୟ ଏହା ଦୃଷ୍ଟିଗୋଚର ହେଲା। ଆଉ କେବଳ ଜେଲ ଭିତରେ ନୁହେଁ, ବରଂ ଜେଲ୍ ବାହାର ଦୁନିଆ ପାଇଁ ମଧ୍ୟ ଚିତ୍ର ଆଙ୍କି କିଛି କିଛି ରୋଜଗାର କରିବା ଆରମ୍ଭ କଲେ ସେ। ଜେଲ୍ ଭିତରେ ରହି ମଧ୍ୟ ନିଜ ପରିଶ୍ରମ ଓ ପ୍ରତିଭା ବଳରେ ସେ କିଛି କିଛି ଅର୍ଥ ଉପାର୍ଜନ କରିଲେଣି।

ଏଇ କଳାର ସାଧକ ଜଣକ ଏବେ ଅନ୍ୟ ବନ୍ଦୀଙ୍କ ପାଇଁ ଆଦର୍ଶ ନଜିର ପାଲଟିଛନ୍ତି। କିଭଳି ନିଜ ତ୍ରୁଟିକୁ ସୁଧାରି ଭଲ ମଣିଷ ହୋଇପାରିବେ ସେହି ଶିକ୍ଷା ଦେଉଛନ୍ତି ଶୃଙ୍ଖଳିତ ଓ ସତ୍-ପରିଶ୍ରମ କରି ସମୟ କାଟୁଥିବା ଚିତ୍ତରଞ୍ଜନ। ଖୋଦ୍ ଚିଟ୍ଟି କହନ୍ତି- ଏଭଳି ଚିତ୍ର କରି ବେଶ୍ ଖୁସି ଲାଗୁଛି। ଆଗକୁ ମଧ୍ୟ ଏଭଳି ଚିତ୍ରାଙ୍କନ ଜାରି ରଖିବି। ଭଲ କାମ କରି ଉପାର୍ଜନ କରିବି। ତାଙ୍କୁ ଦେଖି ଅନ୍ୟ କଏଦୀଙ୍କ ଠାରେ ପରିବର୍ତ୍ତନ ଆସିବ ବୋଲି ଆଶା ରଖିଛନ୍ତି ଛତ୍ରପୁର ଉପ-କାରାଗାର କର୍ତ୍ତୃପକ୍ଷ।

Comments are closed.