୧) ତଡ଼ପ :
ତଡ଼ପ ହେଉଛି ଏକ ପ୍ରକାଉ ସ୍ୱତନ୍ତ୍ର ଶୈଳୀରେ ପ୍ରସ୍ତୁତ ସୂତା ଲୁଗା । ଅବକାଶ ବେଶ ସମୟରେ ଶ୍ରୀ ଜଗନ୍ନାଥ, ବଳଭଦ୍ର ଓ ଦେବୀ ସୁଭଦ୍ରା ଏବଂ ଶ୍ରୀ ସୁଦର୍ଶନଙ୍କୁ ୪ଟି ତଡ଼ପ ଲାଗିହୁଏ । ଏହା ଶ୍ରୀ ଜିଉମାନଙ୍କ ସ୍ନାନବେଶ ଲାଗି ଉଦ୍ଦିଷ୍ଟ ।ଠାକୁରମାନଙ୍କ ମୁଖଠାରୁ ତଳକୁ କେବଳ ଗୋଟିଏ ଲେଖାଏଁ ତଡ଼ପ ପରିଧାନ କରାଯାଇଥାଏ । ଅନ୍ୟ ପକ୍ଷରେ ୨ଟି ଉତ୍ତରୀୟ ମହାପ୍ରଭୁ ବଳଭଦ୍ର ଓ ଜଗନ୍ନାଥଙ୍କୁ ଲାଗି ହୋଇଥାଏ , ଯାହା ଶ୍ରୀ ଜିଉଙ୍କ ଉଦର ପାଖରୁ ଗୋଟିଏ ପଟ ଶ୍ରୀଭୁଜ ଦେଇ ତଳ ପର୍ଯ୍ୟନ୍ତ ଲମ୍ବି ରହିଥାଏ
୨) ମଇଲମ :
ମହାପ୍ରଭୁମାନଙ୍କ ବେଶ ବଦଳାଇବା ପ୍ରଥାକୁ ଶ୍ରୀମନ୍ଦିରର ପାରମ୍ପରିକ ଭାଷାରେ ମଇଲମ ବୋଲି କୁହାଯାଏ । ଠାକୁରମାନଙ୍କ ପୁଷ୍ପ ଅଳଙ୍କାର, ବସ୍ତ୍ର, ମାଳଚୂଳ ପରିବର୍ତ୍ତନ କରାଗଲେ ମଧ୍ୟ ଏହାକୁ ମଇଲମ କୁହାଯାଏ । ପୁଷ୍ପାଳକ ସେବକମାନେ ଏହି କାର୍ଯ୍ୟ ସମ୍ପାଦନ କରିଥାଆନ୍ତି । ପ୍ରତି ଧୂପ, ବେଶ ଓ ମହାସ୍ନାନ ପରେ ଠାକୁରମାନଙ୍କୁ ମଇଲମ କରାଯାଇଥାଏ ।
3) ମଇଲମ ଭୋଗ :
ଠାକୁରମାନେ ଅଣସରରେ ଥିବା ବେଳେ ଏହି ଭୋଗ ଲାଗିହୁଏ । ମୁଗ ଓ ନଡ଼ିଆକୁ କୋରାଇ ଏକତ୍ର ପ୍ରସ୍ତୁତ ମଇଲମ ଭୋଗ ହେଉଛି ଏକ ପ୍ରକାର ଚକଟା; ଯାହା କେବଳ ଅଣସର ସମୟରେ ଲାଗି ହୋଇଥାଏ ।
୪) ଟେରା :
ଧୂପ ବା ଭୋଗ ହେଉଥିବା ସମୟରେ ଏକ ପରଦା ପକାଇ ଦିଆଯାଏ; ଯେପରି ଶ୍ରୀ ଜିଉମାନଙ୍କ ଅଧର ଦେଖାଯିବ ନାହିଁ । ଭୋଗ ସମୟରେ ଆଢ଼ୁଆଳ ପାଇଁ ପକାଯାଉଥିବା କନାର ପରଦା ବା ଯବନିକା ହେଉଛି, ଶ୍ରୀମନ୍ଦିର ଭାଷାରେ ଟେରା । ରଥ ଉପରେ ମଧ୍ୟ ପ୍ରସାଦ ଲାଗି ସମୟରେ ଟେରା ପଡ଼ିବାର ବିଧି ଅଛି ।। ( କ୍ରମଶଃ )
Comments are closed.