ଅନ୍ତର୍ଜାତୀୟ ପର୍ଯ୍ୟଟନ ଚଳଚ୍ଚିତ୍ର ମହୋତ୍ସବରେ ପ୍ରାଚୀନ କଣ୍ଢେଇ ଯାତ୍ରା

ବ୍ରହ୍ମପୁର: ରେଶମ ସହରର ଐତିହ୍ୟର ଅନ୍ୟତମ ପରିଚୟ ପ୍ରାୟ ତିନି ଶହ ବର୍ଷରୁ ଅଧିକ ପ୍ରାଚୀନ କଣ୍ଢେଇ ଯାତ୍ରା। ସଂସ୍କୃତି ବିଭବ ସମ୍ପନ୍ନ ସମୃଦ୍ଧ ପରମ୍ପରାକୁ ନେଇ ଏହି ଦିନିକିଆ ଯାତ୍ରା ଏବେ ଅନ୍ତର୍ଜାତୀୟସ୍ତରରେ ପରିଚିତ ହେବ। କାରଣ କଣ୍ଢେଇ ଯାତ୍ରା ଉପରେ ନିର୍ମିତ ଏକ ଡକୁମେଣ୍ଟାରୀ ଫିଲ୍ମ ଅନ୍ତର୍ଜାତୀୟ ପର୍ଯ୍ୟଟନ ସିନେ ମହୋତ୍ସବ ପ୍ରତିଯୋଗିତା ସକାଶେ ମନୋନିତ ହୋଇପାରିଛି। ସଂସ୍କୃତି ପ୍ରେମୀଙ୍କ ପାଇଁ ଏହା ଏକ ଖୁସି ଖବର।

କଣ୍ଢେଇ ଯାତ୍ରା ପ୍ରତିବର୍ଷ ବାହୁଡ଼ା ଯାତ୍ରା ପରେ ପରେ ପଡୁଥିବା ଆଷାଢ଼ ମାସର ପୂର୍ଣ୍ଣମୀ ତିଥିରେ ଆୟୋଜିତ ହୋଇଥାଏ। ବ୍ରହ୍ମପୁର ବଡବଜାର ଖାସପା ସାହିରେ କେଉଁ ପ୍ରାୟ ତିନି ଶହ ବର୍ଷରୁ ଅଧିକ ସମୟ ଧରି ସମ୍ପନ୍ନ ହୋଇ ଆସୁଛି। ଏହାର ନା କେହି ଉଦ୍ୟୋକ୍ତା ଅଛନ୍ତି ନା ଆୟୋଜକ। ସ୍ବତଃପ୍ରବୃତ୍ତ ଭାବେ ସହରର ବିଭିନ୍ନ ସ୍ଥାନ ସମେତ ଉପକଣ୍ଠ ଗ୍ରାମାଞ୍ଚଳର କଣ୍ଢେଇ ଖେଳନା ପ୍ରସ୍ତୁତକର୍ତ୍ତା ଓ ବିକ୍ରେତାମାନଙ୍କ ସମାଗମ ଦିନଟିଏ ପାଇଁ ହୋଇଥାଏ। ପୂର୍ବରୁ ମାଟି, ଗୋବର, କାଠ ଏବଂ କାଗଜରେ ତିଆରି ତଥା ଆପୁଚି (ତେନ୍ତୁଳି ମଞ୍ଜି) ଅଠାରେ ତିଆରି ବିଭିନ୍ନ ରଙ୍ଗବେରଙ୍ଗର କଣ୍ଢେଇ ବିକ୍ରି ହେଉଥିଲା। ପାରମ୍ପରିକ କଳାକାର ନିଜର କଳାକୁ ବ୍ୟବସାୟ ରୂପ ଦେବାର ଏ ଥିଲା ଅନନ୍ୟ ନଜିର।ସମୟ ବଦଳିବା ସହ କାଳକ୍ରମେ ପାରମ୍ପରିକ କଣ୍ଢେଇ ସାଙ୍ଗକୁ ଆଧୁନିକ ଖେଳନା ମଧ୍ୟ ସାମିଲ ହୋଇଛି। ବାହୁଡ଼ା ପରଵର୍ତ୍ତି ସମୟରେ ରଥ ଉପରେ ତିନି ଠାକୁରଙ୍କ ଦର୍ଶନ ସାଙ୍ଗକୁ ଭକ୍ତମାନେ ନିଜ ଘର ପରିବାର ସକାଶେ ଯାତ୍ରାରୁ କଣ୍ଢେଇ କିଣି ନେଉଥିଲେ। ଏପରିକି ବିବାହିତା କନ୍ୟା ଶାଶୂ ଘରକୁ ଉପହାର ସ୍ବରୂପ ଛୋଟ ପିଲାଙ୍କ ନିମନ୍ତେ ଯାତ୍ରା କଣ୍ଢେଇ କିଣି ନେଉଥିଲେ ବୋଲି ଲୋକମୁଖରେ କଥା ପ୍ରଚଳିତ।

ଆଧୁନିକତାର ଚାକଚକ୍ୟ ଭିତରେ ଆଜି କଣ୍ଢେଇ ଯାତ୍ରା ନିଜର ପରିଚୟ, ଅସ୍ତିତ୍ବ ହରେଇବାକୁ ଲାଗିଛି। ଆଧୁନିକତା ଭିତରେ ପାରମ୍ପରିକ ବାଣିଜ୍ୟ ଏବଂ ବ୍ୟବସାୟ ସହ ସାଂସ୍କୃତିକ ମହୋତ୍ସବର ପ୍ରତୀକ ଏଇ କଣ୍ଢେଇ ଯାତ୍ରା କାଳକ୍ରମେ ଲୋକଲୋଚନରୁ ଦୂରେଇବାକୁ ବସିଛି। ମାଟି ଓ ଗୋବର କଣ୍ଢେଇ ବଦଳରେ ପ୍ଲାଷ୍ଟିକ ଓ ଫାଇବର୍ ଖେଳନା ଅଧିକ ଦୃଶ୍ୟମାନ ହେଉଛି। ବିଶେଷ କରି ଗତ ଦୁଇ ବର୍ଷ ହେବ କରୋନା ମହାମାରୀ ହେତୁ ଘୋଷଯାତ୍ରା ବନ୍ଦ ରହିବା ଫଳରେ ରେଶମ ସହରର ଏଇ ପାରମ୍ପରିକ ଯାତ୍ରା ଆୟୋଜନ ସମ୍ଭବପର ହୋଇପାରି ନଥିଲା।

ତେବେ ବର୍ତ୍ତମାନ ଏହି ପରମ୍ପରାକୁ ଉଦଜୀବିତ କରିବାକୁ ଅଣ୍ଟା ଭିଡିଛନ୍ତି କଳାପ୍ରେମୀ ଯୁବ ନିର୍ଦ୍ଦେଶକ ସନ୍ନ୍ୟାସୀ ମହାରଣା। କଣ୍ଢେଇ ଯାତ୍ରା ନାମରେ ପରିକଳ୍ପିତ ଏକ କ୍ଷୁଦ୍ର ଡକ୍ୟୁମେଣ୍ଟାରୀ ଫିଲ୍ମ ପ୍ରସ୍ତୁତ କରିଥିଲେ ଏହି ଯୁବ ସିନେ ନିର୍ମାତା। ତାଙ୍କର ଏକାଧିକ ଚଳଚ୍ଚିତ୍ର ଆଜି ଅନ୍ତର୍ଜାତୀୟସ୍ତରରେ ଅନେକ ଥର ପ୍ରଶଂସା ସାଉଁଟିଥିବା ବେଳେ ସେଥିରେ ଆଉ ଏକ ଫର୍ଦ୍ଦ ଯୋଡ଼ି ହୋଇଛି। ଈଶା ଭିଜନ୍ ବ୍ୟାନରରେ ପ୍ରସ୍ତୁତ ଏହି କଣ୍ଢେଇ ଯାତ୍ରା ପୁଣି ଥରେ ବ୍ରହ୍ମପୁର ସହର ଏବଂ ଗଞ୍ଜାମ ପାଇଁ ଏକ କୀର୍ତ୍ତିମାନ ସ୍ଥାପନ କରିଛି।

ଚଳଚ୍ଚିତ୍ର ମହୋତ୍ସବର ପ୍ରମୁଖ ସତ୍ୟବ୍ରତ ଜେନା, ଜଗନ୍ନାଥ ପାଣି, ଭିବାସ ଗଙ୍ଗୋପାଧ୍ୟାୟ ଏବଂ ଭି.ଭି. ମହେଶ୍ବର ରାଓ ପ୍ରମୁଖ କଣ୍ଢେଇ ଯାତ୍ରାର ସଫଳତା ସହ ଏହି ଡକ୍ୟୁମେଣ୍ଟାରୀ ଫିଲ୍ମର ସଫଳତା କାମନା କରିଛନ୍ତି। ହଜି ଯାଉଥିବା ପରମ୍ପରାକୁ ନେଇ ଏହି କ୍ଷୁଦ୍ର ଚଳଚ୍ଚିତ୍ର ନିର୍ମାଣ ପଛରେ ସନ୍ୟାସୀ ମହାରଣାଙ୍କୁ ସ୍ଥାନୀୟ ସଂସ୍କୃତି ଗବେଷକ ତ୍ରିପତି ନାୟକ, ଗବେଷକ ତଥା ଐତିହାସିକ ଡ. ଅନନ୍ତରାମ କର କୌଣ୍ଡିନ୍ୟ, ସଂସ୍କୃତିପ୍ରେମୀ ଗବେଷକ ବ୍ରହ୍ମପୁର ଆକାଶବାଣୀ କେନ୍ଦ୍ରର ପୂର୍ବତନ ମୁଖ୍ୟ ତଥା ଉଦଘୋଷକ ହୃଷିକେଶ ପାଣିଗ୍ରାହୀ, ବରିଷ୍ଠ ସାମ୍ବାଦିକ ଶିଶିର ପାଣିଗ୍ରାହୀ ଏବଂ ପ୍ରଖ୍ୟାତ ମୁଖା ଶିଳ୍ପୀ ତ୍ରିନାଥ ରେଡ୍ଡୀ ପ୍ରମୁଖ ସହଯୋଗ କରିଥିଲେ। କଣ୍ଢେଇ ଯାତ୍ରାରେ ବ୍ରହ୍ମପୁର ସହରର ଏଭଳି ଏକ ଲୁପ୍ତପ୍ରାୟ ପରମ୍ପରା ଉପରେ ଆଧାରିତ ଏଭଳି ଏକ ଡକ୍ୟୁମେଣ୍ଟାରୀ ଫିଲ୍ମ ପ୍ରସ୍ତୁତ କରି ବ୍ରହ୍ମପୁର ସହରର କଳା ସଂସ୍କୃତିକୁ ବିଶ୍ଵ ଦରବାରରେ ପ୍ରଦର୍ଶିତ କରିବା ତାଙ୍କର ମୂଳ ଲକ୍ଷ୍ୟ ବୋଲି ସନ୍ନ୍ୟାସୀ ମହାରଣା ମତ ଦେଇଛନ୍ତି। ଭାରତ, ଫ୍ରାନ୍ସ ଏବଂ ସିଙ୍ଗାପୁରର ମିଳିତ ଆନୁକୂଲ୍ୟରେ ଏହି ଇଣ୍ଟରନ୍ୟାସନାଲ୍ ଟୁରିଜିମ୍ ଫିଲ୍ମ ଫେଷ୍ଟିଭଲ୍ ଆୟୋଜିତ ହେବା ସହ ସେପ୍ଟେମ୍ବର ମାସରେ ଏହାର ଫଳାଫଳ ଘୋଷଣା କରାଯିବ। ଏହି ଚଳଚ୍ଚିତ୍ର ପୁଣି ଥରେ ଗଞ୍ଜାମ ପାଇଁ ଗୌରବ ଆଣିବ ବୋଲି ଆଶା ପ୍ରକଟ କରିଛନ୍ତି ସିନେ ନିର୍ମାତା।

Comments are closed.