ଶ୍ରୀକ୍ଷେତ୍ର ଐତିହ୍ୟ: ବୈଚିତ୍ରମୟ ଠାକୁରଙ୍କ ବୈଚିତ୍ରମୟ ନୀତି

ଜନ୍ମାଷ୍ଟମୀ ପୂର୍ବଦିନ ଅର୍ଥାତ୍ ଭାଦ୍ରବ କୃଷ୍ଣ ପକ୍ଷ ସପ୍ତମୀ ଦିନ ସନ୍ଧ୍ୟା ଆଳତି ବେଶରେ ତିନି ଦିଅଁ ଛଅ ମୂର୍ତ୍ତି ସୁନା ଅଳଙ୍କାର ଲାଗି ହୁଅନ୍ତି। ଏହାପରେ ପାଣି ପଡ଼ି ଟେରା ବନ୍ଧାଯାଇ ସନ୍ଧ୍ୟା ଧୂପ ଛେକ ଛାମୁକୁ ଆସେ। ସନ୍ଧ୍ୟା ଧୂପ ପୂଜା ପରେ ଭିତରେ ପାଣିପଡ଼ି ଧୋପଖାଳ ପରେ ଜୟ ବିଜୟ ଦ୍ଵାର ବନ୍ଦ ହୁଏ। ଟେରା ବନ୍ଧା ହୋଇ ଅଣସର ପିଣ୍ଡିଠାରେ ଜେଉଡ଼(ଜେଉଟ)ଭୋଗ (ଶାଗ, ତରକାରୀ, ପିଠା, ଝିଲି, ଓରିଆ, ଖିରି ଇତ୍ୟାଦି) ରୋଷରୁ ଆସି ରଖା ହୁଏ। ମୁଦିରସ୍ତ ଶ୍ରୀଅଙ୍ଗରେ ପ୍ରସାଦଲାଗି କରନ୍ତି। ତିନିଜଣ ପୂଜାପଣ୍ଡା ପଞ୍ଚ ଉପଚାରରେ ପୂଜା କରନ୍ତି। ପାଣି ପଡ଼ି ଧୋପଖାଳ ହେଲା ପରେ ପଣ୍ଡା, ପତି ଓ ମୁଦିରସ୍ତ ତିନିବାଡ଼ରେ ବନ୍ଦାପନା କରନ୍ତି। ଗୋଟିଏ ଅଧିକ ବନ୍ଦାପନା ଶ୍ରୀଜଗନ୍ନାଥଙ୍କ ବାଡ଼ରେ ହୁଏ ଏହାକୁ “ଗର୍ଭଉଦକ ବନ୍ଦାପନା” କୁହାଯାଏ। ତା ପରେ ଅନ୍ୟାନ୍ୟ ଦୈନନ୍ଦିନ ନୀତି ହୁଏ।

ସର୍ବଂ ରହସ୍ୟଂ ପୁରୁଷୋତ୍ତମସ୍ୟ
ଦେବୋ ନ ଜାନାତି କୁତୋ ମନୁଷ୍ୟଃ?

ବାମନ ଜନ୍ମ, ରାମଜନ୍ମ ଓ କୃଷ୍ଣ ଜନ୍ମର ପୂର୍ବରାତ୍ରିରେ ଶ୍ରୀମନ୍ଦିରରେ ସନ୍ଧ୍ୟାଧୂପ ପରେ ଜେଉଟ ଭୋଗ ଅର୍ପଣ କରାଯାଏ। ଏହି ଭୋଗ ଓଉ କିମ୍ବା ଆମ୍ବ, ସାରୁ, ମଞ୍ଜା ଆଦିରୁ ପ୍ରସ୍ତୁତ ହୁଏ। ଏହି ଭୋଗ ଦେବାର ଉଦ୍ଦେଶ୍ୟ ଗର୍ଭକଷ୍ଟ ନିବାରଣ। ଭୋଗ ସମର୍ପଣ ପରେ ଠାକୁର ମାନଙ୍କର ବନ୍ଦାପନା କରାଯାଏ। ଏଠାରେ ଭାବିବା କଥା ଜଗନ୍ନାଥ ତ ନିଜେ ରାମ କୃଷ୍ଣ ହୋଇ ଜନ୍ମ ହୋଇଥାନ୍ତି।ତେବେ କେଉଁ କାରଣରୁ ତାଙ୍କୁ ଗର୍ଭକଷ୍ଟ ନିବାରଣ ଭୋଗ ସମର୍ପଣ କରାଯାଏ ଓ ପରଦିନ ସେହିଁ ରାମ କୃଷ୍ଣ ହୋଇ ଜନ୍ମ ନିଅନ୍ତି ଏବଂ ଶ୍ରୀମନ୍ଦିରରେ ତାଙ୍କ ଜନ୍ମନୀତି ପାଳନ କରାଯାଏ। ଅର୍ଥାତ ପ୍ରଭୁ ରାତିରେ ନିଜେ ମାଆ ହୁଅନ୍ତି ଓ ସକାଳକୁ ପୁଅ ହୋଇ ଜନ୍ମ ହୋଇ ସାରିଥାନ୍ତି। ତେବେ ଏ ଭୋଗର ରହସ୍ୟ କଣ? ଗୀତାରେ ଏହାର ଉତ୍ତର ଅଛି।

“ପିତାମହସ୍ୟ ଜଗତୋ ମାତାଧାତା ପିତାମହଃ”

ଏହାର ଅର୍ଥ ପରମାତ୍ମା ଏ ଜଗତର ପିତା, ମାତା, ଧାତା (ସୃଷ୍ଟିକର୍ତ୍ତା) ଓ ପିତାଙ୍କ ପିତା ପିତାମହ। ଏହିପରି ଶ୍ରୀମନ୍ଦିରରେ ପରମ୍ପରାକ୍ରମେ ପାଳିତ ହେଉଥିବା ରୀତିନୀତି ଗୁଡିକର ସ୍ବତନ୍ତ୍ର ତାତ୍ପର୍ଯ୍ୟ ରହିଛି।

( ସଂଗୃହିତ )

Comments are closed.