ଜାତୀୟ ଟିବି ନିରାକରଣ କାର୍ଯ୍ୟକ୍ରମରେ ଓଡିଶାକୁ ସଫଳତା, ସାରା ଦେଶରେ ଦ୍ବିତୀୟ

ଭୁବନେଶ୍ବର: ଜାତୀୟ ଟିବି ନିରାକରଣ କାର୍ଯ୍ୟକ୍ରମ ସମ୍ପର୍କିତ ଏକ ବୈଠକ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଭର୍ଚୁଆଲ ମୋଡ଼ରେ ଅନୁଷ୍ଠିତ ହୋଇଯାଇଅଛି । ଏହି ଅବସରରେ ଉପସ୍ଥିତ ରହି କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଶ୍ରୀ ମନଶୁଖ ମାଣ୍ଡବ୍ୟ କହିଲେ ଯେ , ବିଗତ ୫ ବର୍ଷ ମଧ୍ୟରେ ଜାତୀୟ ଟିବି ନିରାକରଣ ଯୋଜନା ଜାତୀୟ ଲକ୍ଷ ହାସଲ ଦିଗରେ ଭଲ କାର୍ଯ୍ୟ କରିଛି । ଆକ୍ରାନ୍ତ ସଂଖ୍ୟା ନିରୂପଣ ନିମନ୍ତେ ପ୍ରଚଳିତ ଯୋଜନାରେ ଘରକୁ ଘର ବୁଲି ଟିବି ରୋଗୀଙ୍କୁ ଚିହ୍ନଟ କରାଯାଉଛି । ଏଠାରେ ସୂଚନା ଯୋଗ୍ୟ ଯେ , ସେପ୍ଟେମ୍ବର ୨ ତାରିଖରୁ ଜାତୀୟ ଟିବି ନିରାକରଣ କାର୍ଯ୍ୟକ୍ରମ ଆରମ୍ଭ ହେଉଛି ।

କାର୍ଯ୍ୟକ୍ରମରେ ଉପସ୍ଥିତ ରହି ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବ କିଶୋର ଦାସ କହିଲେ ଯେ , ଟିବି ରୋଗୀ ଚିହ୍ନଟ କ୍ଷେତ୍ରରେ ରାଜ୍ୟ ଉଲ୍ଲେଖନୀୟ ଲକ୍ଷ ହାସଲ କରି ପାରିଛି । ଯାହାକି ପ୍ରାୟ ୭୦ % । ନିକ୍ଷୟ ପୋଷଣ ଯୋଜନାରେ ୮୫ % ହିତାଧିକାରୀଙ୍କୁ ପୋଷଣିୟ ଖାଦ୍ୟ ପାଇଁ ଅର୍ଥ ଯୋଗାଇ ଦିଆଯାଇଛି । ଏହା ସହିତ ଚିକିତ୍ସାର ସୁଫଳ ପ୍ରାୟ ୮୮ % ଅଟେ ।

ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କର ବଳିଷ୍ଠ ମାର୍ଗ ଦର୍ଶନ ଓ ସମୟ ଉପଯୋଗି ଚିକିତ୍ସାର ପ୍ରଚେଷ୍ଟା ଯୋଗୁଁ ରାଜ୍ୟରେ ଟିବିର ନିରାକରଣ ସମ୍ଭବ ହୋଇପାରିଛି । ଟିବି ହାରେଗା- ଦେଶ ଜିତେଗା ’ ବ୍ୟାନରରେ ଆକ୍ରାନ୍ତ ସଂଖ୍ୟା ନିରୂପଣ ନିମନ୍ତେ ପ୍ରଚଳିତ ଯୋଜନାରେ ଘରକୁ ଘର ବୁଲି ଟିବି ରୋଗୀମାନଙ୍କୁ ଚିହ୍ନଟ କରିବା ସହ ସେମାନଙ୍କୁ ଚିକିତ୍ସା ସୁବିଧା ଯୋଗାଇ ଦିଆଯାଇଛି । ରାଜ୍ୟ ସରକାରଙ୍କ ସ୍ବାସ୍ଥ୍ୟ ବିଭାଗ ଏ କ୍ଷେତ୍ରରେ ନିୟମିତ ଭାବେ କାର୍ଯ୍ୟ କରୁଅଛି । ଏହାର ଫଳ ସ୍ୱରୂପ ଟିବି ନିରାକରଣ କ୍ଷେତ୍ରରେ ଓଡ଼ିଶା ଦ୍ବିତୀୟ ସ୍ଥାନରେ ରହିବା ସହ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀଙ୍କ ଠାରୁ ପୁରସ୍କୃତ ହୋଇଅଛି ।

୨୦୨୫ ସୁଦ୍ଧା ଟିବି ନିରାକରଣ ଲକ୍ଷ ପୂରଣ କରିବା ପାଇଁ ପ୍ରତି ବ୍ଲକ୍ ସ୍ତରରେ ରୋଗ ନିରୂପଣ ସହ ଏକ୍ସରେ ବ୍ୟବସ୍ଥା କରାଯିବାର ଆବଶ୍ୟକତା ରହିଛି । ଅତି କମ୍‌ରେ ୩ଟି ମୋବାଇଲ୍ ଭ୍ୟାନ୍ ପ୍ରଚଳନ ଓ ରୋଗ ନିରୂପଣ ସୁବିଧା ସହ ଅପହଂଚ ଇଲାକାରେ ଟିବି ରୋଗୀ ଚିହ୍ନଟ ସହିତ ଚିକିତ୍ସା ସୁବିଧା ସମ୍ଭବ ହୋଇ ପାରିବ ବୋଲି ମନ୍ତ୍ରୀ ଶ୍ରୀ ଦାସ ପ୍ରକାଶ କରିଥିଲେ । ଏହି ଅବସରରେ ବିଭାଗୀୟ ଉଚ୍ଚ ପଦାଧିକାରୀମାନେ ଉପସ୍ଥିତ ଥିଲେ ।

Comments are closed.