ଓଡ଼ିଶାରେ ବାଉଁଶ ହସ୍ତଶିଳ୍ପର ବିକାଶ ନିମନ୍ତେ ବୁଝାମଣାପତ୍ର

ଭୁବନେଶ୍ୱର: ରାଜ୍ୟରେ ବାଉଁଶ ହସ୍ତଶିଳ୍ପର ସର୍ବାଙ୍ଗୀନ ବିକାଶ ନିମନ୍ତେ ଆଜି ହସ୍ତତନ୍ତ , ବୟନ ଓ ହସ୍ତଶିଳ୍ପ ବିଭାଗ ଅଧୀନସ୍ଥ ହସ୍ତ ଓ କୁଟୀର ଶିଳ୍ପ ନିର୍ଦ୍ଦେଶାଳୟ ଏବଂ ଜଙ୍ଗଲ , ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ଅଧୀନସ୍ଥ ଓଡ଼ିଶା ବାଉଁଶ ଉନ୍ନୟନ ସଂସ୍ଥା ମଧ୍ୟରେ ଏକ ବୁଝାମଣାପତ୍ର ସ୍ବାକ୍ଷରିତ ହୋଇଛି । ଆଜି କଳାଭୂମିଠାରେ ଓଡ଼ିଶାର ହସ୍ତତନ୍ତ , ବୟନ ଓ ହସ୍ତଶିଳ୍ପ ମନ୍ତ୍ରୀ ପଦ୍ମିନୀ ଦିଆନ , ଓଡ଼ିଶା ପିସିସିଏଫ୍ ଓ ବନବାହିନୀ ମୁଖ୍ୟ ( ଏଚ୍ଏଫ୍ଏଫ ) ଶିଶିର କୁମାର ରଥ , ହସ୍ତତନ୍ତ , ବୟନ ଓ ହସ୍ତଶିଳ୍ପ ବିଭାଗର କମିଶନର ତଥା ଶାସନ ସଚିବ ଶୁଭା ଶର୍ମାଙ୍କ ଉପସ୍ଥିତିରେ ଏହି ବୁଝାମଣାପତ୍ର ସ୍ବାକ୍ଷରିତ ହୋଇଯାଇଛି । ହସ୍ତ ଓ କୁଟୀରଶିଳ୍ପ ନିର୍ଦ୍ଦେଶାଳୟର ନିର୍ଦ୍ଦେଶକ ସନାତନ ନାୟକ ଓ ଓଡ଼ିଶା ବାଉଁଶ ଉନ୍ନୟନ ସଂସ୍ଥାର ରାଜ୍ୟ ମିଶନ ନିର୍ଦ୍ଦେଶକ ପ୍ରେମ କୁମାର ଝା ଏହି ବୁଝାମଣାପତ୍ରରେ ସ୍ଵାକ୍ଷର କରିଥିଲେ ।

ଆମ ଓଡ଼ିଶା ଏକ ଉତ୍କୃଷ୍ଟ ହସ୍ତଶିଳ୍ପ କଳାର ରାଜ୍ୟ ଓଡ଼ିଶା ସରକାରଙ୍କ ଦ୍ଵାରା ଅନୁମୋଦିତ ୫୦ଟି ହସ୍ତଶିଳ୍ପକୁ ଆଧାର କରି କାରିଗରମାନେ ବିଭିନ୍ନ ସାମଗ୍ରୀ ଉତ୍ପାଦନ କରୁଛନ୍ତି । “ ବାଉଁଶ ’ ହସ୍ତଶିଳ୍ପଟି ଓଡ଼ିଶା ସରକାରଙ୍କ ଦ୍ଵାରା ଅନୁମୋଦିତ ହସ୍ତଶିଳ୍ପ ଅଟେ । ଏହି ସାମଗ୍ରୀଗୁଡ଼ିକ ପ୍ରାୟ ପ୍ରତି ଜିଲ୍ଲାରେ ଉତ୍ପାଦିତ ହେଉଥିଲେ ମଧ୍ୟ ତନ୍ମଧ୍ୟରୁ କେତେକ ମୁଖ୍ୟ ଜିଲ୍ଲାଗୁଡ଼ିକ ହେଲା ଢେଙ୍କାନାଳ , ମୟୂରଭଞ୍ଜ , ଯାଜପୁର , ସୁବର୍ଣ୍ଣପୁର , ବରଗଡ଼ , ରାୟଗଡ଼ା , ଖୋର୍ଦ୍ଧା , ନୟାଗଡ଼ , ସୁନ୍ଦରଗଡ଼ , କନ୍ଧମାଳ ଓ ମାଲକାନଗିରି । ରାଜ୍ୟରେ ଏହି ହସ୍ତଶିଳ୍ପର କାରିଗରଙ୍କ ସଂଖ୍ୟା ପ୍ରାୟ ୨୨ ହଜାର ।

ଓଡ଼ିଶା ବାଉଁଶ ଉନ୍ନୟନ ସଂସ୍ଥାର ୭୨୧.୩୦ ଲକ୍ଷ ଟଙ୍କାର ଆର୍ଥିକ ସହଯୋଗରେ ଯେଉଁ ବାଉଁଶ ହସ୍ତଶିଳ୍ପ ପୁଞ୍ଜଗୁଡ଼ିକର ବିକାଶ ପାଇଁ ପଦକ୍ଷେପ ଗ୍ରହଣ କରାଯାଉଛି ସେଗୁଡ଼ିକ ହେଉଛି ମୟୂରଭଞ୍ଜ ଜିଲ୍ଲାର ଇଚିଣ୍ଡା ( ରାଇରଙ୍ଗପୁର ) , ଯାଜପୁର ଜିଲ୍ଲାର ଗୋପାଳପୁର ( ରସୁଲପୁର ) , ଢେଙ୍କାନାଳ ଜିଲ୍ଲାର ବଉଳପୁର ( ଓଡ଼ାପଡ଼ା ) , ବରଗଡ଼ ଜିଲ୍ଲାର ବରଗାଁ କଣ୍ଟାପଲ୍ଲୀ , ବରଗଡ଼ ଜିଲ୍ଲାର ବ୍ରାହ୍ମଣଡ଼ିହୀ ( ପଦ୍ମପୁର ) ଓ ସୁବର୍ଣ୍ଣପୁର ଜିଲ୍ଲାର ବିନିକା ।

ଏହି କାର୍ଯ୍ୟକ୍ରମଗୁଡ଼ିକ ହସ୍ତ ଓ କୁଟୀର ଶିଳ୍ପ ନିର୍ଦ୍ଦେଶାଳୟ ଦ୍ବାରା ଏହାର ଜିଲ୍ଲାସ୍ତରୀୟ ସହ ନିର୍ଦ୍ଦେଶକ ( ହସ୍ତଶିଳ୍ପ ) ଙ୍କ କାର୍ଯ୍ୟାଳୟ ମାଧ୍ୟମରେ ସଫଳ ରୂପାୟନ କରାଯିବ । ଏହି ପ୍ରକଳ୍ପ ଅଧୀନସ୍ଥ ପ୍ରମୁଖ କାର୍ଯ୍ୟଗୁଡ଼ିକ ହେଲା ଉପରୋକ୍ତ ବାଉଁଶ ହସ୍ତଶିଳ୍ପ ପୁଞ୍ଜରେ ସାଧାରଣ ସୁବିଧା କେନ୍ଦ୍ର ନିର୍ମାଣ , ଆଧୁନିକ ଯନ୍ତ୍ରପାତି ଦ୍ଵାରା କଞ୍ଚା । ବାଉଁଶର ପ୍ରକ୍ରିୟାକରଣ ଓ କାରିଗରମାନଙ୍କର କାର୍ଯ୍ୟଦକ୍ଷତା ବୃଦ୍ଧି । ଏତଦ୍‌ବ୍ୟତୀତ ବଜାର ସହାୟତା ପାଇଁ ଗ୍ରାମାଞ୍ଚଳରେ ହାଟ ଓ ବାଉଁଶ ବଜାର ପ୍ରତିଷ୍ଠା ତଥା ଇ – ବାଣିଜ୍ୟର ଉପଯୋଗ । ବଜାର ଚାହିଦା ମୁତାବକ ସାମଗ୍ରୀ ପ୍ରସ୍ତୁତି ନିମନ୍ତେ ସିଡାଠାରେ ଏକ ବଜାର ସହାୟତା ତଥା ନମୁନା ବିକାଶ କେନ୍ଦ୍ର ଖୋଲାଯିବାର ବ୍ୟବସ୍ଥା ଅଛି ।

ଆଜିର ଏହି ଉତ୍ସବରେ ହସ୍ତ ଓ କୁଟୀର ଶିଳ୍ପ ନିର୍ଦ୍ଦେଶାଳୟର ନିର୍ଦ୍ଦେଶକ ସନାତନ ନାୟକ ସ୍ୱାଗତ ଭାଷଣ ଦେଇଥିଲେ । ଓଡ଼ିଶା ବାଉଁଶ ଉନ୍ନୟନ ସଂସ୍ଥାର ରାଜ୍ୟ ମିଶନ ନିର୍ଦ୍ଦେଶକ ପ୍ରେମ କୁମାର ଝା ସଂକ୍ଷିପ୍ତ ଅଭିଭାଷଣ ପ୍ରଦାନ କରିଥିଲେ ଏବଂ ହସ୍ତଶିଳ୍ପ ଉପନିର୍ଦ୍ଦେଶକ ଶିଶିର କୁମାର ରଥ ଧନ୍ୟବାଦ ଅର୍ପଣ କରିଥିଲେ ।

Comments are closed.