ବିଧାନସଭାରେ ହଟ୍ଟଗୋଳ ପାଇଁ ବିରୋଧୀଙ୍କ ଉପରେ ବର୍ଷିଲା ବିଜେଡି

ଭୁବନେଶ୍ୱର – ବିଧାନସଭାରେ ହଟ୍ଟଗୋଳ ପାଇଁ ବିରୋଧୀଙ୍କ ଉପରେ ବର୍ଷିଛି ବିଜେଡି । ବିରୋଧୀଙ୍କ କଡା ସମାଲୋଚନା କରିଛନ୍ତି ବିଜେଡି ମୁଖପାତ୍ର ପ୍ରତାପ ଦେବ । ବିରୋଧୀଙ୍କ ରଣନୀତିକୁ ସିଫ୍ଟିଂ ଅଫ ଗୋଲପୋଷ୍ଟ ସହ ତୁଳନା କରିଛନ୍ତି ପ୍ରତାପ ଦେବ । ମରୁଡି ପରିସ୍ଥିତି, ସାର ଅଭାବ ଓ ଫସଲ ବୀମା ମିଳୁ ନ ଥିବା ଭଳି ପ୍ରସଙ୍ଗରେ ଆଲୋଚନା ପାଇଁ ବିଧାନସଭା ଆରମ୍ଭ ପୂର୍ବରୁ ସମସ୍ତେ କହୁଥିଲେ । ସରକାର ମଧ୍ୟ ସବୁ ପ୍ରସଙ୍ଗରେ ଆଲୋଚନା ପାଇଁ ପ୍ରସ୍ତୁତି ଥିବା କହିଥିଲେ । ବିରୋଧୀ ଦଳର ଦାବି ଅନୁସାରେ ମୋସନ ଅଣାଯାଇ ଗୃହରେ ମରୁଡି ପ୍ରସଙ୍ଗରେ ଆଲୋଚନା କରାଯାଇଥିଲା । କିନ୍ତୁ ଏହା ପରେ ବିରୋଧୀ ପ୍ରସଙ୍ଗରୁ ହଟିଯାଇଛନ୍ତି ବୋଲି ପ୍ରତାପ ଦେବ କହିଛନ୍ତି ।

ସାର ଅଭାବ, ଫସଲ ବୀମା ନ ମିଳିବା କଥା କଣ ଚାଷୀଙ୍କ ପ୍ରସଙ୍ଗ ନୁହେଁ ବୋଲି ସେ ପ୍ରଶ୍ନ କରିଛନ୍ତି । ବିରୋଧୀ ଦଳ ଚାଷୀଙ୍କ ନାଁ ନେଇ କେବଳ ରାଜନୀତି କରୁଛନ୍ତି । କେନ୍ଦ୍ର ସରକାରଙ୍କ କଥା ଜଣାପଡିଯିବ ବୋଲି ବିରୋଧୀ ବିଜେପି ଭୟଭୀତ ବୋଲି ପ୍ରତାପ ଦେବ ଅଭିଯୋଗ କରିଛନ୍ତି । ଜ୍ୱଳନ୍ତ ପ୍ରସଙ୍ଗ ଛାଡି ବିରୋଧୀ ପଳାୟନପନ୍ଥୀ ଭୂମିକା ଗ୍ରହଣ କରୁଛନ୍ତି ବୋଲି ସେ କହିଛନ୍ତି । ଅପ୍ରସଙ୍ଗକୁ ପ୍ରସଙ୍ଗ କରାଯାଉଛି । ବାଚସ୍ପତିଙ୍କୁ ଘେରାଉ କରିବା ଏକ ରାଜନୈତିକ ନାଟକ, ଯାହା କି କେବଳ ମିଡିଆ ହେଡଲାଇନ୍ସ ପାଇଁ ଉଦ୍ଦିଷ୍ଟ ବୋଲି ପ୍ରତାପ ଦେବ କହିଛନ୍ତି ।

Comments are closed.