କ୍ଷୁଦ୍ର ଶିଳ୍ପୀ ସତ୍ୟ ଓ ହରଗୋବିନ୍ଦଙ୍କ ନିଆରା ବିନାୟକ ମୂର୍ତ୍ତି

ବ୍ରହ୍ମପୁର: ଗଣେଶ ପୂଜା ଅବସରରେ ବ୍ରହ୍ମପୁରର ଯୁବ ବାଲୁକା ଶିଳ୍ପୀ ସତ୍ୟ ନାରାୟଣ ମହାରଣା ପ୍ରସ୍ତୁତ କରିଛନ୍ତି ନିଆରା କଳାକୃତି। ସେ ତିଆରି କରିଛନ୍ତି ୧୧ ପ୍ରକାର ଖାଦ୍ୟ ଶସ୍ୟରେ ମହାପ୍ରଭୁ ଗଜାନନଙ୍କ ପ୍ରତିମା। କାନ୍ଦୁଲ ଜାଇ, ମୁଗ ଜାଇ, ବିରି ଜାଇ, ମସୁରି ଜାଇ, ସାବି ଚାଉଳ, ସୋରିଷ, ଜିରା, ଡାଲିଆ, କୋଳଥ, ଗହମ ଓ ଲବଙ୍ଗରେ ସେ ନିର୍ମାଣ କରିଛନ୍ତି ଶ୍ରୀଗଣେଶଙ୍କ ମୂର୍ତ୍ତି। ଏହାର ଉଚ୍ଚତା ୧୮ ଇଞ୍ଚ, ଓସାର ୧୪ ଇଞ୍ଚ। ସେହିପରି କାଠରେ ଅଷ୍ଟ ବିନାୟକ ମୂର୍ତ୍ତି ତିଆରି କରିଛନ୍ତି ସତ୍ୟ। କାଠରେ ୪ ଇଞ୍ଚରୁ ୯ ଇଞ୍ଚ ପର୍ଯ୍ୟନ୍ତ ବିଭିନ୍ନ ଆକାର ଓ କିସମର ୮ଟି ଗଣେଶ ମୂର୍ତ୍ତି ତିଆରି କରିଛନ୍ତି।

ସତ୍ୟ ପୂର୍ବରୁ ମଧ୍ୟ ବିଦ୍ୟାଦାତାଙ୍କ ଅନେକ ସ୍ବତନ୍ତ୍ର, ନିଆରା ମୂର୍ତ୍ତି ବା ପ୍ରତିକୃତି କରିଛନ୍ତି। ସେଥିରୁ ଅନେକ ରେକର୍ଡସ୍ ବୁକରେ ମଧ୍ୟ ଉଲ୍ଲିଖିତ ହୋଇଛି। ସତ୍ୟ ପୂର୍ବରୁ ପଥର, ଚକ୍ ଖଣ୍ଡ, ଚାଉଳ, ସାବୁନ, ପତ୍ର, ବରଫ, କାଠ, କାଗଜ ଓ ଲୁଣରେ ଅଗ୍ରପୂଜ୍ୟଙ୍କ ଅଦ୍ବିତୀୟ କଳାକୃତି ସୃଷ୍ଟି କରିଥିଲେ। ସତ୍ୟଙ୍କ କାଠରେ ତିଆରି ୫ ମିଲିମିଟର ଓ ୧ ସେଣ୍ଟିମିଟରର ଦୁଇଟି କଳାକୃତି, ଚକ ଖଣ୍ଡରେ ନିର୍ମିତ ୩ ମିଲିମିଟର ଓ ୧.୫ ସେଣ୍ଟିମିଟରର ଦୁଇଟି ସୃଷ୍ଟି, କାଗଜରେ ପ୍ରସ୍ତୁତ ୩ ଇଞ୍ଚ ଓସାର, ୬ ଇଞ୍ଚ ଉଚ୍ଚତା ବିଶିଷ୍ଟ କଳାକୃତି ୟୁନିଭର୍ସାଲ୍ ବୁକ୍ ଅଫ୍ ରେକର୍ଡସ୍, ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ୍, କାଲାମ ବୁକ୍ ଅଫ୍ ରେକର୍ଡସ୍ ଏବଂ ଓ୍ବର୍ଲଡ ବୁକ୍ ଅଫ୍ ରେକର୍ଡସରେ ସ୍ଥାନ ପାଇସାରିଛି। ବର୍ତ୍ତମାନ ନିଜର ନୂଆ କଳାକୃତି ଜରିଆରେ ସତ୍ୟ ଏକ ବାର୍ତ୍ତା ଦେଇଛନ୍ତି ଯେ- ସମସ୍ତେ ଏଥର ବିନାୟକ ଚତୁର୍ଥୀରେ ଗଣେଶ ଠାକୁରଙ୍କୁ ଘରେ ପୂଜା କରନ୍ତୁ। ଗହଳିକୁ ଜମା ଯାଆନ୍ତୁ ନାହିଁ ଓ କରୋନାରୁ ନିଜକୁ ସୁସ୍ଥ ରଖନ୍ତୁ।

ସେହିପରି ଗଣେଶ ଚତୁର୍ଥୀ ଉପଲକ୍ଷେ ବ୍ରହ୍ମପୁର ରାମନଗରର ହରଗୋବିନ୍ଦ ମହାରଣା ଖାଦ୍ୟ ଶସ୍ୟ ତ୍ରିଫଳାରେ ତିନି ଗୋଟି ଗଣେଶ ମୂର୍ତ୍ତି ତିଆରି କରିଛନ୍ତି। ହରଡ଼ାରେ ତିଆରି ଗଣେଶ ମୂର୍ତ୍ତିର ଉଚ୍ଚତା ୦.୬ ସେ.ମି, ବାହାଡ଼ାରେ ତିଆରି ଗଣେଶ ମୂର୍ତ୍ତିର ଉଚ୍ଚତା ୧.୧ ସେ.ମି, ଅଁଳାରେ ତିଆରି ମୂର୍ତ୍ତିର ଉଚ୍ଚତା ୩.୯ ସେ.ମି ଅଟେ।

Comments are closed.