ଅଗଷ୍ଟ ୯ ତାରିଖର ପାର୍ବଣ ଗାଇଡଲାଇନ ବଳବତ୍ତର , ବଢିବ ନାହିଁ ମୂର୍ତ୍ତିର ଉଚ୍ଚତା

ଭୁବନେଶ୍ୱର- ପାର୍ବଣ ଋତୁରେ ମୂର୍ତ୍ତିର ଉଚ୍ଚତା ବଢିବ ନାହିଁ । ମୂର୍ତ୍ତିର ଉଚ୍ଚତା ୪ ଫୁଟ ମଧ୍ୟରେ ହିଁ ସୀମିତ ରହିବ । ଏ ନେଇ ଆଜି ଏକ ପ୍ରେସ ବାର୍ତ୍ତାରେ ସୂଚନା ଦେଇଛନ୍ତି ଏସଆରସି ପ୍ରଦୀପ ଜେନା । ଏସଆରସି କହିଛନ୍ତି ଯେ, ସବୁଠି ପାର୍ବଣ ଋତୁ ଆରମ୍ଭ ହୋଇଯାଇଛି । ଏବେ କୋରୋନାର ଦ୍ୱିତୀୟ ଲହର ଚାଲିଛି । ଆଗକୁ ତୃତୀୟ ଲହରର ଆଶଙ୍କା ରହିଛି । ତେଣୁ ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ପାର୍ବଣ ଗାଇଡଲାଇନ ଜାରି କରିଥିଲେ । ଅଗଷ୍ଟ ୯ ତାରିଖରେ ସରକାର ଜାରି କରିଥିବା ପାର୍ବଣ ଗାଇଡଲାଇନ ବଳବତ୍ତର ରହିବ ବୋଲି ଏସଆରସି କହିଛନ୍ତି । ଏବେ ଆମେ କଠିନ ସମୟ ଦେଇ ଗତି କରୁଛେ । ଏବେ ଧୈର୍ଯ୍ୟ ଦେଖାଇବା ଜରୁରୀ ବୋଲି ଏସଆରସି କହିଛନ୍ତି । ଆସନ୍ତାକାଲି କୋଭିଡ କଟକଣା ମାନି ନୂଆଁଖାଇ ପାଳନ କରିବାକୁ ଅପିଲ କରିଛନ୍ତି ଏସଆରସି । କେରଳରେ ଓନମ ପର୍ବ ବେଳେ କୋଭିଡ କଟକଣା କେହି ମାନି ନ ଥିବାରୁ ସେଠାରେ ସଂକ୍ରମଣ ବଢିଥିଲା । ତେଣୁ ଓଡିଶାରେ ସେଭଳି ସ୍ଥିତି ସୃଷ୍ଟିନ ହେଉ ବୋଲି କହିଛନ୍ତି ଏସଆରସି ।

Comments are closed.