ଓଡିଶା- ଦାରିଦ୍ର୍ୟ ଦୂରୀକରଣରୁ ସମୃଦ୍ଧିର ସୋପାନରେ : ଅନେକ ଆହ୍ବାନପୂର୍ଣ୍ଣ ପଥର ସଫଳ ଯାତ୍ରା

ଭୁବନେଶ୍ବର : ଦିନେ ଦାରିଦ୍ର୍ୟ , ଅନାହାର ଭଳି ଅପବାଦ ମୁଣ୍ଡାଇଥିବା ଓଡିଶା ଏବେ ପ୍ରଗତି ଏବଂ ସମୃଦ୍ଧିର ଏକ ବଳିଷ୍ଠ ପରିଭାଷାର ଭୁଖଣ୍ଡ ପାଲଟିଯାଇଛି । ଗତ ଦୁଇ ଦଶନ୍ଧି ମଧ୍ୟରେ ଏହାର ବିକାଶର ଯାତ୍ରା ସବୁ କଣ୍ଟକିତ ପଥକୁ ଦୃଢତାର ସହ ସାମ୍ନା କରି ପ୍ରଗତିର ଏକ ନୁଆଁ ମାଇଲଖୁଣ୍ଟ ସ୍ଥାପନ କରିବାରେ ସଫଳ ହୋଇଛି । ଗତ କିଛି ବର୍ଷ ମଧ୍ୟରେ ଦାରିଦ୍ର୍ୟ ଦୂରୀକରଣ କ୍ଷେତ୍ରରେ ରାଜ୍ୟ ହାସଲ କରିଥିବା ସଫଳତା ଏବେ ସାରା ଦେଶ ପାଇଁ ଅନୁକରଣୀୟ ହୋଇଛି ।

ତେବେ, ଏହା କେବଳ ନମ୍ବରରେ ନୁହେଁ , ବରଂ ଲୋକଙ୍କ ଜୀବନ ଧାରଣର ମାନରେ ହୋଇଥିବା ଆଖିଦୃଶିଆ ଉନ୍ନତି ହିଁ ସଫଳତାକୁ ବୟାନ କରୁଛି । ଗତ କିଛି ବର୍ଷ ମଧ୍ୟରେ ଓଡିଶାର ଜିଡିପି ହାରରେ ଉଲ୍ଲେଖନୀୟ ଅଭିବୃଦ୍ଧି ରାଜ୍ୟର ଦାରିଦ୍ର୍ୟ ଦୂରୀକରଣଙ୍କୁ ସ୍ପଷ୍ଟ ଭାବେ ପ୍ରତିଫଳିତ କରୁଛି ।

ଏହି ପ୍ରଗତିର କିଛି ଝଲକ ପାଇବାକୁ ପିଏଚଡିଏମଏ ପକ୍ଷରୁ କରାଯାଇଥିବା ସାକ୍ଷାତକାର ସର୍ଭେ ସଂପର୍କିତ ଏକ ବିଶେଷ ରିପୋର୍ଟ …

ବିଜୁ ପକ୍କା ଘର ଯୋଜନା

ଦିନ ଥିଲା ଏଭଳି ବର୍ଷା ଦିନରେ ଆମେ ପ୍ରତି ମୂହୁର୍ତ୍ତରେ ଆମର ଝାଟି ମାଟିର ଘରେ ସାପ, ବିଚ୍ଛା ଭଳି ଭୟଙ୍କର ଜୀବର ଆକ୍ରମଣ ଭୟରେ ରାତି ବିତାଉଥିଲୁ । ତା ସାଙ୍ଗକୁ ପ୍ରତି ମୁହୂର୍ତ୍ତରେ ବର୍ଷାରେ ଭାଙ୍ଗିବାର ଭୟ ଥିଲା । ହେଲେ ବର୍ତ୍ତମାନ ବିଜୁ ପକ୍କା ଘର ଖଣ୍ଡିଏ ମିଳିବା ପରେ ଅନ୍ତତଃପକ୍ଷେ ମୁଣ୍ଡ ଉପରେ ସୁରକ୍ଷାର ବିରାଟ ଆଶ୍ରା ଟିକିଏ ମିଳିପାରିଛି । ଏଥିପାଇଁ ରାଜ୍ୟ ସରକାରଙ୍କୁ ଅଶେଷ ଧନ୍ୟବାଦ ” ବୋଲି କହିଛନ୍ତି ଜୟନ୍ତୀ ସାହୁ ନାମକ ଜଣେ ମହିଳା ହିତାଧିକାରୀ ।

ବିଜୁ ପକ୍କା ଘର ଦାରିଦ୍ର୍ୟ ଦୂରୀକରଣ ଯୋଜନାର ଏକ ପ୍ରମୁଖ ଅଂଶ । ଖାଦ୍ୟ ପରେ ସୁରକ୍ଷିତ ବାସଗୃହ ଖଣ୍ଡିଏ ହିଁ ଲୋକଙ୍କୁ ସର୍ବାଧିକ ଆବଶ୍ୟକତା । ଆଉ ଏହା ହିଁ ଲୋକଙ୍କ ଜୀବନ ଧାରଣର ମାନରେ ଅନେକ ପରିବର୍ତ୍ତନ ଆଣିପାରିଥାଏ । ଏଥିପାଇଁ ରାଜ୍ୟ ସରକାର ଗ୍ରାମାଞ୍ଚଳରେ ମାଟି ଘରେ ରହୁଥିବା ସବୁ ପରିବାର ପାଇଁ ବିଜୁ ପକ୍କା ଘର ଯୋଗାଇ ଦେଉଛନ୍ତି । ଗତ ୨୦୧୪ ମସିହାରୁ ଆରମ୍ଭ ହୋଇଥିବା ଏହି ଯୋଜନା ଦ୍ବାରା ଇତିମଧ୍ୟରେ ଲକ୍ଷାଧିକ ପରିବାର ଉପକୃତ ହୋଇପାରିଛନ୍ତି ।

ସରକାରଙ୍କ ଦ୍ବାରା ଯଥା ସମୟରେ ସହଯୋଗ ଦ୍ବାରା ମୋ ଭଳି ଗରିବ ଲୋକଙ୍କ ଜୀବନରେ ଅନେକ ଉନ୍ନତି ହୋଇପାରୁଛି । ଏହାଦ୍ବାରା ମୋତେ ଏକ ଉନ୍ନତମାନର ଜୀବନ ଧାରଣ ପାଇଁ ସାହାସ ମିଳିପାରିଛି । ‘ ଏହା କହିଛନ୍ତି ପୀତାମ୍ବର ଥାପା ନାମକ ଆଉ ଜଣେ ବିପିଜିଓ୍ବାଇ ଜିତାଧିକାରୀ ।

ପାଣି ପଞ୍ଚାୟତ

୨୦ ବର୍ଷ ତଳେ ଅଧିକାଂଶ ଉଠା ଜଳସେଚନ ପ୍ରକଳ୍ପ ଗୁଡିକ ଅଚଳ ହୋଇ ପଡିଥିଲା । ମରାମତି କରିବାକୁ କାହାରି ନିଘା ନଥିଲା । ହେଲେ ବର୍ତ୍ତମାନ ପାଣି ପଞ୍ଚାୟତ ହେବା ଦ୍ବାରା ନିୟମିତ ଭାବେ ସବୁ ଏଲଆଇ ପଏଣ୍ଟର ମରାମତି ହେବା ସହ ଚାଷୀଙ୍କ ହାତରେ ଜଳର ସୁପରିଚାଳନା ହୋଇପାରୁଛି । ଆଉ ସବୁ ଜମିକୁ ପାଣି ମାଡି ପାରୁଛି । ଏହା କହିଛନ୍ତି ମଦର ଟେରେସା ପାଣି ପଞ୍ଚାୟତର ସଭାପତି ପୃଥୀରାଜ ଜାଲ ।

ରାଜ୍ୟ ସରକାର ଗଠନ କରିଥିବା ପାଣି ପଞ୍ଚାୟତ ଚାଷୀଙ୍କ ଦ୍ବାରା ହିଁ ପରିଚାଳିତ ହେଉଛି । ପାଣି ସୁବଣ୍ଟନ ଭାର ଚାଷୀଙ୍କ ହାତରେ ହିଁ ନ୍ୟସ୍ତ ରହିଛି । ବର୍ତ୍ତମାନ ରାଜ୍ୟରେ ୩୫୫୦୦ରୁ ଅଧିକ ପାଣି ପଞ୍ଚାୟତ ଜଳସେଚନର ସୁବ୍ୟବସ୍ଥା ଦିଗରେ କାର୍ଯ୍ୟ କରୁଛି । ଗୋଟିଏ ହେକ୍ଟର ବି ଜମି ଯେମିତି ପାଣି ଅଭାବରୁ ମରୁଡିର ଶିକାର ନ ହୁଏ , ଏଦିଗରେ କାର୍ଯ୍ୟ କରିବାର କାମ ହେଇଛି ପାଣି ପଞ୍ଚାୟତର । ପ୍ରାୟ ୨ ଦଶନ୍ଧି ତଳେ ଆରମ୍ଭ ହୋଇଥିବା ପାଣି ପଞ୍ଚାୟତ ଚିନ୍ତାଧାରା ବର୍ତ୍ତମାନ ଚାଷୀଙ୍କ ଅଭିଜ୍ଞତାକୁ ବୃଦ୍ଧି କରିସାରିଥିବା ବେଳେ ଏହାଦ୍ୱାରା କଳସେଚନ ଦିଗରେ ବିରାଟ ଲକ୍ଷ୍ୟ ହାସଲ ହୋଇପାରୁଛି । ସେହିପରି ଚାଷୀଙ୍କ ମଧ୍ୟରେ ଭ୍ରାତୃତ୍ବ ରକ୍ଷା ଦିଗରେ ବି ଏହି ପାଣି ପଞ୍ଚାୟତ ଏକ ଗୁରୁତ୍ଵପୂର୍ଣ୍ଣ ଭୂମିକା ରଖି ଆସିଛି ।

ଗରିବଙ୍କୁ ସ୍ବତନ୍ତ୍ର କୋଭିଡ୍ ସହାୟତା

ପୂର୍ବରୁ ଆମେ ଗାଁ ପାଖରେ କାମ ଖୋଜି ନ ପାଇଲେ ସୁଦୂର ଆନ୍ଧ୍ରପ୍ରଦେଶକୁ ଦାଦନ ଖଟିବାକୁ ଯାଇଥିଲୁ । ହେଲେ ଲକଡାଇନ ବେଳେ ସ୍ଥିତି ବହୁତ ଖରାପ ହୋଇଗଲା । ପ୍ରଥମ ଲକଡ଼ାଉନ ବେଳେ ପରିବାର ମୁହଁରେ ଦାନା ଦେବା ବି ମୁସ୍କିଲ ହୋଇଗଲା । ମୋ ଭଳି ଗରିବ ଲୋକଙ୍କ ପାଇଁ ସେହି ସମୟରେ କାମ ଧନ୍ଦା ଖୋଜିବା କାଠିକର ହୋଇଗଲା । ହେଲେ ଓଡ଼ିଶା ସରକାର ପରବର୍ତ୍ତୀ ସମୟରେ ଆମର ଦୈନିକ ମଜୁରୀ ସହିତ ଅଧିକ ଭତ୍ତା ଦେବାର ବ୍ୟବସ୍ଥା କରିବା ଦ୍ବାରା ବହୁତ ବଡ଼ ଆଶ୍ବସ୍ତି ମିଳିପାରିଛି । ଏହି ଟଙ୍କାରୁ ଘରର ତେଲ ଲୁଣ ପରିବା ଖର୍ଚ୍ଚ ଉଠାଇପାରୁଛୁ । ପୁଣି ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ , ପୃଷ୍ଟିକର ଖାଦ୍ୟ ବି ଖାଇପାରୁଛି । ଏହା କହିଛନ୍ତି କୋଭିଡ୍ ସହାୟତାର ଜଣେ ହିତାଧିକାରୀ ସୁରେଶ ବଖ୍ୟ । କୋଭିଡ-୧୯ ପାଇଁ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିବା ୧୫୦୦ କୋଟି ଟଙ୍କାର ସ୍ବତନ୍ତ୍ର ଆର୍ଥିକ ପ୍ୟାକେଜ୍ ଗରିବଙ୍କୁ ବହୁତ ବଡ ଆଶ୍ୱସ୍ତି ଦେଇଛି । ମନରେଗା ଯୋଜନାରେ କାର୍ଯ୍ୟରତ ଶ୍ରମିକଙ୍କ ଉଦ୍ଦେଶ୍ୟରେ ଉଦ୍ଧିଷ୍ଟ ଏହି ପ୍ୟାକେଜ୍ ଦ୍ଵାରା ଅଧିକ କର୍ମ ନିଯୁକ୍ତି ସୃଷ୍ଟି କରାଯାଇଥିଲା । ଏହା ଲକଡାଉନ୍ ଭଳି କଠିନ ସ୍ଥିତିରେ ଗରିବଙ୍କୁ ଆଶୀର୍ବାଦ ସଦୃଶ ହୋଇଥିଲା ।

ମହିଳା ଏସଏଚଜିକୁ ସ୍ବତନ୍ତ୍ର କୋଭିତ୍ ସହାୟତା

କରୋନା ମହାମାରୀ ବେଳେ ଗୋଟିଏ ପରିବାରରେ ମହିଳାର ଦାୟିତ୍ବ କଣ ମୁଁ ଅନୁଭବ କରିଛି । ପରିବାରକୁ ଏଭଳି କାଠିକର ସମୟରେ ସହାୟତାର ହାତ ବଢ଼ାଇବା ସହ ନିଷ୍ପତି ନେବାର ଅଧିକାର ମିଳିବା ବି ଏକ ବଡ ଆହ୍ବାନ ଥିଲା । ଆଉ ଜଣେ ମହିଳା ଯଦି ସ୍ବାବଲମ୍ବି ହୁଏ ତାହେଲେ ପରିବାରର ବହୁତ ବଡ ସଙ୍କଟ ଟଳିଯାଇଥାଏ । ‘ ରାଜ୍ୟ ସରକାରଙ୍କ ଏସଏଚଜିକୁ ସହାୟତା ପ୍ରସଙ୍ଗରେ ଏହା କହିଛନ୍ତି ପ୍ରଗତି କୃଷକ ଉତ୍ପାଦକ ସଂଘର ଗୀତା ନିର୍ମଳା ।

ମହିଳା ସଶକ୍ତିକରଣକୁ ରାଜ୍ୟ ସରକାର ସବୁ ବେଳେ ସର୍ବାଧିକ ଗୁରୁତ୍ବ ଦେଇ ଆସିଛନ୍ତି । ଏଥିପାଇଁ କରୋନାର ଦ୍ବିତୀୟ ଲହର ବେଳେ ଗତ ଜୁଲାଇ ମାସରେ ମହିଳା ଏସଏଚଜିଙ୍କ ପାଇଁ ସତନ୍ତ୍ର ପ୍ୟାକେଜ୍ ଘୋଷଣା କରିଥିଲେ । ସେହିପରି ଗତବର୍ଷ ମହିଳା ଏସଏଚଜିକୁ ମିଳୁଥିବା ରଣରେ ସୁଧ ହାରକୁ କି ସରକାର ହ୍ରାସ କରିଥିଲେ । ଏହାଦ୍ୱାରା ମହିଳାଙ୍କ ଗୋଷ୍ଠୀଗତ ବିକାଶ ଦିଗରେ ବିରାଟ ଉପଲବ୍ଧି ମିଳିପାରିଛି ।

ସରକାରଙ୍କ ଦ୍ବାରା ସଠିକ ସମୟରେ ସହାୟତା ଦ୍ଵାରା ଆମର ଜୀବନ ଧାରଣରେ ବିରାଟ ପରିବର୍ତ୍ତନ ଆସିପାରିଛି । ଏହାଦ୍ୱାରା ମୋର ଆତ୍ମବିଶ୍ଵାସ ବି ବଢିପାରିଛି । ଏହା କହିଛନ୍ତି ମିଶନ ଶକ୍ତି ଅଧୀନରେ ପରିଚାଳିତ ତାରାଦେବୀ କୃଷକ ଉତ୍ପାଦକ ସଂଘର ସରସ୍ବତୀ ବଳ ।

କୂଅ ଖନନ

ପୂର୍ବରୁ ଏଠାରେ ଖଣ୍ଡିଏ ଟାଙ୍ଗରା ଭୂଇଁ ଥିଲା । ହେଲେ ଏଠାରେ ଏକ କୂଅ ଖୋଳିବା ଦ୍ଵାରା ବର୍ତ୍ତମାନ ସବୁ ପ୍ରକାର ପନିପରିବା ଚାଷ ହୋଇପାରୁଛି । ଏହି କୂଅ ଯୋଗୁଁ ମିଳିଥିବା ସଫଳତାରେ ମୁଁ ବେଶ୍ ଖୁସି ଅଛି ଏବଂ ମୋ ପରିବା ବାଢିର ପରିଚାଳନା କରି ଦେଶ ଦୁଇ ପଇସା ରୋଜଗାର କରିପାରୁଛି । ଏହା କହିଛନ୍ତି ମନରେଗା ଯୋଜନାରେ କୂଅ ଖୋଳିଥିବା ସ୍ବାଧୀନ ସାହୁ ନାମକ ଜଣେ ହିତାଧିକାରୀ ।

ଏହି କୂଅ ଖନନ ଦ୍ବାରା ଗ୍ରାମାଞ୍ଚଳର ଗରିବ ପରିବାର ସମେତ ଛୋଟ ଛୋଟ ପରିବାର ଏବଂ ଚାଷୀ ବିଶେଷ ଭାବେ ଉପକୃତ ହୋଇପାରୁଛନ୍ତି । ଏହାଦ୍ବାରା କେବଳ ଜଳସେଚନ ସୁବିଧା ହେଉଛି ତା ନୁହେଁ , ବରଂ ପିଇବା ପାଣି ସମସ୍ୟାରୁ ବି ମୁକ୍ତି ମିଳିପାରୁଛି । ତେବେ , ଜଳସେଚନରୁ ବାଦ୍ ପଡିଥିବା ମରୁଡିଗ୍ରସ୍ତ ଅଞ୍ଚଳରେ ଏହି ପ୍ରକଳ୍ପ ବିଶେଷ ଭାବେ ଫଳପ୍ରଦ ହୋଇପାରୁଛି ଆଉ ଗରିବ ଚାଷୀଙ୍କୁ ଆତ୍ମନିର୍ଭର କରିବାରେ ବେଶ୍ ଫଳପ୍ରଦ ହୋଇପାରୁଛି ।

ରାଜ୍ୟ ସରକାରଙ୍କ ଦାରିଦ୍ର୍ୟ ହ୍ରାସରେ ଉଲ୍ଲେଖନୀୟ ସଫଳତା ସମଗ୍ର ବିଶ୍ୱର ପ୍ରଶଂସିତ ହୋଇପାରିଛି । ତେବେ , ଏହି ସଫଳତା ପଛରେ ରାଜ୍ୟ ସରକାରଙ୍କ ସମସ୍ତ ଯୋଜନା ଏବଂ କାର୍ଯ୍ୟକ୍ରମର ସଫଳ ରୂପାୟନ ପାଇଁ ତୃଣମୂଳସ୍ତରରୁ ହେଉଥିବା ଅକ୍ଲାନ୍ତ ଉଦ୍ୟମର ଫଳ ରହିଛି ।

Comments are closed.